ଅନୁଭୂତିରେ ଶ୍ରୀଜଗନ୍ନାଥ : ନିବେଦିତା ନନ୍ଦ

ଦର୍ଶନାନୁଭୂତି 

ସେ ଅନାଥର ନାଥ, ସେ ଅଗତିର ଗତି।ତାଙ୍କ ଇଚ୍ଛା ବିନା ପତ୍ର ଟିଏ ହଲେନି ଏ ସଂସାରରେ। ମୁଁ ବା କି ଛାର ମଣିଷ ଲେଖିବି ତାଙ୍କ ଦର୍ଶନାନୁଭୂତି ! ସେ ନିଜେ ହିଁ ଚଳେଇନେବେ ମୋ କଲମ ବର୍ଣ୍ଣି ହେଇଯିବ ତାଙ୍କ ମହିମା।

ଦୁଇ ହଜାର ସତର ମସିହା କଥା। ପୁଅ ବ୍ରତଘର ପଡିଲା ଅଣସର ବେଳେ। ପୁରୀରେ ବ୍ରତଘର ହେଲା ଦଶମୀ ତିଥିରେ। ତା ପରଦିନ ଏକାଦଶୀ ତିଥିରେ ଅଲାରନାଥ ଦର୍ଶନ କଲୁ। ଆଗରୁ କେବେ ଅଲରନାଥଙ୍କୁ ଦେଖି ନଥିଲି। କେବଳ ପଢ଼ିଛି ଆଉ ଶୁଣିଛି ଯେ ତାଙ୍କୁ ଦେଖିଲେ ଜଗନ୍ନାଥ ଦର୍ଶନ ଜନିତ ପୁଣ୍ୟ ପ୍ରାପ୍ତି ହୁଏ। ମୋ ଆଖି ଖାଲି କାଳିଆ କୁ ଖୋଜୁଥାଏ। ମୁଁ କଣ୍ଟିଲୋ ଅଞ୍ଚଳ ଝିଅ ହୋଇଥିବା ହେତୁ ମୋତେ ଅଲାରନାଥ ଶ୍ରୀ ନୀଳମାଧବଙ୍କ ରୂପ ଭଳି ପ୍ରତୀତ ହେଲେ। ମନ ବୁଝିଲାନି , ଆଉ କେଉଁ ଜଗା ଦର୍ଶନ ହୋଇପାରିବ। ରଥଯାତ୍ରା ଆଉ ଅଳ୍ପଦିନ ବାକିଥାଏ। କିନ୍ତୁ ମୋ ବାଆଁ ଗୋଡ଼ର ବଳାଗଣ୍ଠି ଉପର ହାଡଟି କିଛିଦିନ ପୂର୍ବରୁ ଗାଧୁଆଘରେ ପଡ଼ି ଭାଙ୍ଗି ଯାଇଛି। ବ୍ରତଘର ପୂର୍ବରୁ ସଦ୍ୟ ପ୍ଲାଷ୍ଟର୍ ଖୋଲା ହୋଇଥିବାରୁ ମୁଁ ଠିକରେ ଚାଲି ପାରୁନାହିଁ। ଡାକ୍ତର ବି ଚାପ ପକାଇ ଚାଲିବାକୁ ମନା କରିଛନ୍ତି। କାମ ପାଇଁ ବାଧ୍ୟ ହୋଇ ଆସିଛି , ଆଉ କୋଉ ଆସିପାରିବି । ସବୁଥର ଭଳି ସେଇ ଟିଭିରେ ଦେଖିବି ଯାହା ବିଗତ ଦୁଇବର୍ଷ ହେଲା ବଡ଼ ଯାଆ ଆଡ଼ପ ଦର୍ଶନକୁ ଆସୁଛନ୍ତି। ତାଙ୍କ ଅନୁଭୂତି ଶୁଣି ମନରେ ଭାବନା ଆସେ ପ୍ରଭୁ କେଡ଼େ ଭାଗ୍ୟ ତାଙ୍କର। ମୋତେ ଏମିତି ସୁଯୋଗ ଟିକେ ମିଳନ୍ତାନି !

ହେଲେ ଆଉ କେଉଁ ସୁବିଧା ହେବ ଏତେ ଶୀଘ୍ର ଆସିବାକୁ ! ସହଜେ ଭଙ୍ଗା ଗୋଡ଼ରେ ଚାଲିପାରୁନି ଦୁଃଖ ଆଉ ଅଭିମାନରେ କହିଲି, କାଳିଆ ରେ.ତୋତେ ପ୍ରତ୍ୟକ୍ଷ ଦର୍ଶନ କରିବା ଯୋଗ ବୋଧେ ମୋର ନାହିଁ । ଏଇଠୁ ଓଳିକି ହେଇ ଯାଉଛି।

କିଛିଦିନ ପରେ ମାଉସୀ ଶାଶୁଙ୍କ ଝିଅର ବାହାଘର ଠିକ ହେଲା ବାହୁଡ଼ା ଯାତ୍ରା ଦିନଭୁବନେଶ୍ୱର ରେ। ସେଇ ପ୍ରସ୍ତାବ ଟି ମୁଁ ପକେଇଥିଲି,ତେଣୁ ମାଉସୀ ଙ୍କ ର ଏକା ଜିଦ ତୁ ନ ଆସିଲେ କେମିତି ହେବ। ମୁଁ ତ ଠିକରେ ଚାଲିପାରୁନି ଘରେ ସିନା ଚଳିଯାଉଛି କାନ୍ଥବାଡ଼, ୱାକିଂଷ୍ଟିକ ଧରି । ବାହାରେ ନିହାତି କାହାର ସାହାଯ୍ୟ ଦରକାର ହେଉଥାଏ। ପୁଣି ମୁଁ ରାଉରକେଲାରେ ଆଉ ମୋ ସ୍ୱାମୀ ତାଙ୍କ ଚାକିରୀ ଜାଗା ଜଳେଶ୍ବରରେ। ସିଏ କହିଲେ ମୁଁ ଯାଇପାରିବି ନାହିଁ ଜରୁରୀ କାମ ଅଛି। ଅତଏବ ମୁଁ ବାହାରିଲି ।

ମୁଁ ମୂର୍ଖ ,ଅଧମ  କାହୁଁ ଜାଣିବି ଯେ ଏ ସବୁ କାଳିଆର ନାଟ। ସିଏ ଡୋରି ଲଗେଇ ଟାଣି ନେଉଛି ବୋଲି। ଗୋଟିଏ ଦିନ ପୂର୍ବରୁ ମାନେ ଅଷ୍ଟମୀ ଦିନ  ପହଞ୍ଚିଲି ଭୁବନେଶ୍ୱରରେ ସାନ ଭଉଣୀ ଘରେ। ହଁ କହିବାକୁ ଭୂଲି ଯାଇଛି ଯେ ବାହାଘରଟିରେ ମୁଁ କନ୍ୟାପକ୍ଷ ରହେଲେ ମୋ ସାନଭଉଣୀ ହେଲା ବରପକ୍ଷ ର।ମାନେ ମୋ ମାଉସୀ ଶାଶୁଙ୍କ ଝିଅର ବିବାହ ହେଉଥିଲା ତା ମାଉସୀ ଶାଶୁଙ୍କ ପୁଅ ସହ। ସେମାନେ ବ୍ୟସ୍ତ ରହୁଥାନ୍ତି ପୁଅ ବାହାଘର ରୀତି ନୀତି ଯୋଗଦେବାରେ ।

ମୋର ଭାରି ମନ ହେଉଥାଏ ହାତରେ ସମୟ ତ ଅଛି ମୁଁ ଟିକେ ଠାକୁରଙ୍କୁ ଦେଖି ଆସନ୍ତି। କିଛି ଦରକାର ହେଲେ ଭାଇନା ତ ଅଛନ୍ତି ପୁରୀରେ। ଭଉଣୀ ଆଉ ତା ପରିବାର ଲୋକେ ବାରଣ କରୁଥାନ୍ତି ଏ ଛୋଟା ଗୋଡ଼ରେ କୁଆଡେ ଯିବୁ ଯଦି କେଉଁଠି ଝୁଣ୍ଟି ପଡ଼ିଲୁ ତ କଥା ସରିଲା। ମୁଁ ପ୍ରଥମ ଦିନ ରହିଗଲି, ହେଲେ ମୋତେ ସାରାରାତି ଆଉ ନିଦ ହେଲାନି। ନବମୀ ଦିନ ପାହାନ୍ତାରୁ ଉଠି ଗାଧୋଇ ପାଧୋଇ ବାହାରିଲି ଅଟୋ ଡାକି କଳ୍ପନା ଛକକୁ। ଭଉଣୀ ଜୋଇଁ ଅଟୋ ଫେରାଇ ଦେଇ ନିଜେ ନେଇ କଳ୍ପନାରେ ବସରେ ଚଢେଇ ଦେଇ ଆସିଲେ। ପାଦ ଉପରକୁ କ୍ରେପ ବ୍ୟାଣ୍ଡେଜ ବାନ୍ଧିଥିବା ହେତୁ ମୁଁ ଠିକରେ ଚାଲି ପାରୁନଥାଏ।ଭାଙ୍ଗି ଯାଇଥିବା ଗୋଡଟି ଜମାରୁ ଭାର ନେଇ ପାରୁନଥାଏ । ବହୁତ କଷ୍ଟରେ ବସ ଉପରକୁ ଚଢ଼ି ପାରିଲି।

ପୁରୀରେ ପହଞ୍ଚି ଗଲି । ଭାଇନା ଆସି ବସ ପାଖରୁ ତାଙ୍କ ଘରକୁ ନେଇ ଗଲେ । ଭାଇନା କହିଲେ ଆମେ ସମସ୍ତେ ମଧ୍ୟାହ୍ନ ଭୋଜନ ସାରି ଗୁଣ୍ଡିଚାମନ୍ଦିର ଯିବା। କାରଣ ମୋ ଗୋଡ଼ର ଅବସ୍ଥା ଯାହା ନବମୀ ରେସନ୍ଧ୍ୟା ଦର୍ଶନ ପାଇଁ ଅସମ୍ଭବ ଭିଡ଼ ହେବ ଆଉ ମୁଁ ଅସୁବିଧାରେ ପଡିବି। ପୁଣି ଦୀର୍ଘଶ୍ଵାସ ଉଠିଲା ନବମୀର ସନ୍ଧ୍ୟା ଦର୍ଶନ ଭାଗ୍ୟରେ ଥିଲେ ମିଳେ. । ଆଡ଼ପ ମଣ୍ଡପରେ ପ୍ରଭୁଙ୍କୁ ଦେଖିଲେ କୋଟି ଜନ୍ମର ପାତକ ନାଶ ଯାଏ. । ଏତେ ଦୂରରୁ ଆଣିଲ ପ୍ରଭୁ ପୁରୀରେ ଥାଇ ଏ ଶୁଭ ସୁଯୋଗ ହରାଇବି ! ହଉ ସବୁ ତୁମ ଇଚ୍ଛା , ମୁଁ ତ ଏତେ ବଡ଼ ଭକ୍ତ ନୁହେଁ । ମୋର ବା ଏତେ ପୁଣ୍ୟ କାହିଁ ?

ଖାଇସାରି ମନ୍ଦିର ଯିବାକୁ ପ୍ରସ୍ତୁତ ହେଉଛୁ ପହଞ୍ଚିଲେ ବଡ଼ ନାନୀ ଆଉ ଭିଣୋଇ। ସେମାନେ ସନ୍ଧ୍ୟା ଦର୍ଶନ ପାଇଁ ଭୁବନେଶ୍ବରରୁ ଆସିଥାନ୍ତି। ଭିଣୋଇ କହିଲେ ସମସ୍ତେ ସନ୍ଧ୍ୟାରେ ଯିବା । ଭାଇନା ବିରକ୍ତ ହେଲେ , କହିଲେ ତୁ ମୋ ସାଙ୍ଗରେ ଏବେ ଚାଲ ମୁଁ ତତେ ଧରି ଧରି ଆରାମରେ ଦର୍ଶନ କରେଇ ଆଣିବି। ସନ୍ଧ୍ୟାରେ ଭିଡ଼ ହେବ । ଭିଣୋଇ ଭାଇନାଙ୍କୁ କହିଲେ ତୁମେ ବ୍ୟସ୍ତ ହୁଅନି ଆମେ ଏତେ ଲୋକ ଅଛେ କିଛି ଅସୁବିଧା ହେବନି। ସିଏ ଏଇ ଅବସ୍ଥାରେ ପୁଣି ରାଉରକେଲାରୁ ଭୁବନେଶ୍ୱର ଆଉ ଭୁବନେଶ୍ୱରରୁ ପୁରୀ ଆସିପାରିଲା ଟି ! ମୋତେ ଲାଗୁଥିଲା ଏଇ ପଦକ ଜଗନ୍ନାଥ ଯେମିତି ଭିଣୋଇଙ୍କ ତୁଣ୍ଡରେ କୁହାଇ ନେଲେ।

ସନ୍ଧ୍ୟା ଦର୍ଶନ ସମୟ ନାହିଁ ନଥିବା ଭିଡ଼। ଗୁଣ୍ଡିଚାଘର ପାଖ ପାଣି କାଦୁଅ ପଚ ପଚ। ଭାଇନା ଆର ଏସ ଏସ ର ସକ୍ରିୟ କର୍ମକର୍ତ୍ତା ଥିବା ହେତୁ ଆମେ ସବୁ ଆର ଏସ ଏସ ଷ୍ଟଲ୍ ପାଖରେ ଜୋତା ଚପଲ ରଖି ମନ୍ଦିରକୁ ଚାଲିଲୁ। ଜୋତା ଖୋଲିବା କ୍ଷଣି ମୋ ପାଦରେ ଥିବା କ୍ରେପ ବ୍ୟାଣ୍ଡେଜ କାଦୁଅ ହୋଇଗଲା । ତାକୁ ଦେଖିବାକୁ ତଳକୁ ନଇଁ ପଡିଲା ବେଳକୁ ଜଣେ ବ୍ୟକ୍ତିଙ୍କ ସାଇକେଲ ଚକା ଚଢ଼ିଗଲା ପାଦ ଉପରେ। ମୋଟା ବ୍ୟାଣ୍ଡେଜ ଥିବାରୁ କିଛି କ୍ଷତି ହେଲାନି ସିନା ଭୀଷଣ କଷ୍ଟ ହେଉଥାଏ। ସେଥିରେ ଭାଇନାଙ୍କୁ ହାତ ଧରି ଚାଲିଗଲି ମନ୍ଦିର ଭିତରକୁ। ଭିତରକୁ ପଶିବା ପାଇଁ ବ୍ୟାରିକେଡ ଦେଇ ସମସ୍ତେ ଗୁଣ୍ଡିଚା ମନ୍ଦିର ଦୁଆର ପାଖରେ ଠିଆ ହୋଇଥାଉ। ପୋଲିସ ଅଟକାଇଲା ଭିତରେ ଥିବା ଲୋକଙ୍କୁ ଅନ୍ୟବାଟେ ବାହାରକୁ ଛଡ଼ାଯାଇ ସାରିଲେ ଆମମାନଙ୍କୁ ଭିତରକୁ ଯିବାକୁ ଦିଆଯିବ। ଆମ ଆଗରେ ଓ ପଛରେ ବେଶ ଭିଡ଼ ଲାଗିସାରିଥାଏ।ହଠାତ ହୁଇସିଲ ବାଜିଲା ଆଉ ଭକ୍ତଙ୍କ ସୁଅରେ ମୁଁ ପେଲି ହୋଇଗଲି ମନ୍ଦିର ଭିତରକୁ। ଭାଇନାଙ୍କ ହାତ ଛାଡି ହୋଇଗଲା।

ଏ କ’ଣ ଦେଖୁଚି ମୁଁ , କେଡ଼େ ବିଶାଳ କାୟା , କେତେ ବଡ଼ ବଡ଼ ମୂର୍ତ୍ତି ! ଶ୍ରୀମନ୍ଦିରରେ ତ ଏମିତି ଦେଖିନି କେବେ !

ମହାବାହୁ ବଳିୟାର ଭୁଜ। ମନ ମୋହନ ଚକନାୟନ, ସେ ଚକା ଡୋଳାରେ ଆଖି ମିଶିବା କ୍ଷଣି ହଜିଗଲି କେଉଁଆଡ଼େ ! ଇୟେ କଣ ସେଇ କୃଷ୍ଣ ଗର୍ତ୍ତ ; ଯାହା ଭିତରେ ସମଗ୍ର ବିଶ୍ୱବ୍ରହ୍ମାଣ୍ଡ ବିଲୀନ ହେବ। କେଉଁ ଏକ ସୁଅରେ ଭାସି ପରିକ୍ରମା କଲି ରତ୍ନବେଦୀ ଜାଣିନି। ସଚେତନ ହେଲା ବେଳକୁ ମହାବାହୁଙ୍କ ବଳିୟାର ଭୁଜ ତଳେ ଠିଆହୋଇ ଲୁହ ଝରାଉଥିଲି। ସେଠି ଥିବା ପଣ୍ଡା ମୋ ହାତ ନେଇ ପ୍ରଭୁଙ୍କ ଦେହରେ ଛୁଆଁଇ ଦେଲେ। ଆଉ ସମ୍ଭାଳି ପାରିଲିନି ଲୁହ, ମୁହଁ ଏକାକାର । ଦେଖିପାରିନି କିଏ ଜଣେ ହଳଦିଆ ଧୋତି ପିନ୍ଧିଥିବା ଲୋକ ମୋ ହାତରେ ଫୁଲ ମିଶା ତୁଳସୀ କିଛି ଦେଇ ମୋ ହାତକୁ ଧରି ବାହାରକୁ ଯିବା ଦୁଆର ପାଖରେ ଛାଡ଼ି ଦେଲେ। ମୋର କିଛି ମନେପଡୁନି । ଖାଲି ମନେଅଛି ଚକା ଆଖିରେ ଆଖି ମିଶିବା ପରଠୁ ମୁଁ ଗୋଟେ ଆଲୁଅର ପିଛା କରୁଥିଲି କେଉଁ ଏକ ଶୂନ୍ୟ ଲହରୀରେ ଭାସି ଭାସି।

ଭାଇନା, ଭାଉଜ, ନାନୀ, ଭିଣୋଇ ସମସ୍ତେ ମୋତେ ନ ପାଇ ବ୍ୟସ୍ତ । ବିନା ସାହାରା ରେ ଚାଲି ପାରୁନଥାଏ, ଭିଡରେ ପଡ଼ି ଦଳିଚକଟି ହୋଇଯାଇଥିବି ବୋଲି ସେମାନଙ୍କର ଧାରଣା। ସେପର୍ଯ୍ୟନ୍ତ ସେମାନେ ଦର୍ଶନ ନକରି ବାହାରକୁ ବାହାରିବା ଦୁଆର ପାଖରେ ଠିଆ ହୋଇଥାନ୍ତି। ମୋତେ ଦେଖି ହାତ ହଲାଇ ଡାକିଲେ। ଭାଇନା ବହୁ କଷ୍ଟରେ ଭିଡ଼ ଠେଲି ମୋତେ ନେବାକୁ ଆସିଲେ। ମୁଁ ସେ ପର୍ଯ୍ୟନ୍ତ ସମ୍ମୋହନରେ ଥାଏ । ଗୋଡ଼ର କଷ୍ଟ ଭୁଲିଯାଇଥାଏ। ମୋ ହାତରେ ଫୁଲ ତୁଳସୀ ଦେଖି ପଚାରିଲେ ଏ ସବୁ କେଉଁଠୁ ପାଇଲୁ ? ମୁଁ କହିଲି ସବୁ ବୃତ୍ତାନ୍ତ।

ସେମାନେ ଦର୍ଶନ କରିବାକୁ ଗଲେ କିନ୍ତୁ ଠାକୁରଙ୍କୁ ପରିକ୍ରମା କି ଛୁଇଁ ପାରିଲେନି। ଭାଇନା ବୁଝି ଆସିକହିଲେ ଯେ ଆମେ ଦର୍ଶନ ପାଇଁ ଅପେକ୍ଷା କରିଥିବା ବେଳେ ହଠାତ ସାହାଣମେଲା ହୋଇଯିବାରୁ ବାହାର ପଟୁ ଲୋକ ମାଡ଼ି ଆସିଲେ ଫଳରେ ମୁଁ ଭିତରକୁ ଠେଲି ହୋଇଗଲି। ମୁଁ ଭାବୁଥିଲି ଦୀର୍ଘ ଘଣ୍ଟାଏ କାଳ ମୁଁ ଭିତରେ କେମିତି ଠିଆ ହୋଇ ରହିଛି, ଚାଲି କି ପ୍ରଭୁଙ୍କୁ ପରିକ୍ରମା କରିଛି,ସବୁ ସେ ହିଁ ଜାଣନ୍ତି।

ଅନ୍ୟମାନେ ଦର୍ଶନ ସାରି ଫେରିଲା ବେଳକୁ ବେଶ୍ ଡେରି ହୋଇଯାଇଥିଲା। ଆଉ ମହାପ୍ରସାଦ ମିଳିବନିବୋଲି ସେମାନେ ବ୍ୟସ୍ତ ହୋଇପଡୁଥାନ୍ତି।। ଅବଢ଼ା ଦୋକାନ ସବୁ ବନ୍ଦ ହେଉଥାଏ। ଯଦିଓ ଗହଳି ଥାଏ ଭୋଗ ସରିଯିବାରୁ ସେମାନେ ଦୋକାନ ବନ୍ଦ କରୁଥାନ୍ତି। ଭାରି ଦୋଷୀ ଦୋଷୀ ଲାଗୁଥାଏ ନିଜକୁ । ମୋ ଯୋଗୁଁ ସିନା ସେମାନଙ୍କର ଡେରି ହେଲା । ହଠାତ କେହିଜଣେ ଭାଇନାଙ୍କ ନାଁ ଧରି ପଛରୁ ଡାକିଲେ , କହିଲେ ଅବଢ଼ା ପାଇଁ କହି ଭୁଲିଯାଇଛନ୍ତି ବୋଧେ ! ଭାଇନା ଆଶ୍ଚର୍ଯ୍ୟ ! ଭଦ୍ରଲୋକ ଯଦିଓ ତାଙ୍କ ଚିହ୍ନା ତେବେ ଅବଢ଼ା ପାଇଁ କହିଥିବା କଥା ମନେପଡୁନି। ସେଇ ସୁଆର ଜଣକ କହିIଲେ ଆପଣ ଦ୍ବିପ୍ରହରେ ଫୋନ କରି କହିଥିଲେ ଯେ ଭଉଣୀ ଆସିଛି ଆମ ଲାଗି ଅବଢ଼ା ରଖିଥିବେ। ସମସ୍ତେ ସ୍ତବ୍ଧ ! ହାତ ଆପେ ଆପେ ଉଠିଗଲା କାଳିଆ ଉଦ୍ଦେଶ୍ୟରେ।

ଘରକୁ ଆସିବା ରାସ୍ତାରେ ମୁଁ ଭାବୁଥିଲି କାଲି ପୁଣି ବସ୍ରେ କେମିତି ଚଢ଼ିବି। ଆସିବା ବେଳର କଷ୍ଟ ମନେ ପଡିଯାଉଥିଲା। କିନ୍ତୁ ଅଧିକ ରାତି ହୋଇଯିବା ହେତୁ ନାନୀ ଆଉ ଭିଣୋଇ ରହିଗଲେ ଆଉ ସକାଳୁ ମୋତେ ତାଙ୍କ ଗାଡ଼ିରେ ଆଣି ଭୁବନେଶ୍ୱର ରେ ଛାଡିଦେଲେ।

କରି କରାଉ ଥାଏ ସେହି ତା ବିନୁ ଅନ୍ୟ କେହି ନାହିଁ।

।। ମୁକଂ କରୋତି ବାଚାଳମ୍ ,ପଙ୍ଗୁ ଲଙ୍ଘୟତେ ଗିରି
ଯତ୍ କୃପା ତନ୍ମହମ ବନ୍ଦେ ପରମାନନ୍ଦ ମାଧବମ୍ ।।
ଜୟ ଜଗନ୍ନାଥ।

ବାସନ୍ତୀ କଲୋନୀ, ରାଉରକେଲା