Latest Odisha News

BREAKING NEWS

ନବ ଦାସଙ୍କ ହତ୍ୟା ଘଟଣାରେ FBIର କୌଣସି ଭୂମିକା ନାହିଁ: ପ୍ରକାଶ ମିଶ୍ର

ଭୁବନେଶ୍ୱର: ନବ ଦାସଙ୍କୁ ହତ୍ୟା ମାମଲା ଓ ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ନେତା ତଥା ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର । କହିଛନ୍ତି, ପୋଲିସ ହେଉଛି ଏକ ଫୋର୍ସ ଏବଂ ଏକ ‘ଚେନ୍ ଅଫ୍ କମାଣ୍ଡ’ର ବ୍ୟବସ୍ଥାର ସମନ୍ୱୟ ରହିଥାଏ । ରାଜ୍ୟରେ ବହୁ ଦକ୍ଷ ପୋଲିସ ଅଧିକାରୀ ଅଛନ୍ତି । କିନ୍ତୁ ଶୃଙ୍ଖଳା ଅଭାବ କାରଣରୁ ରାଜ୍ୟରେ ପୋଲିସ ବ୍ୟବସ୍ଥା ସଂପୂର୍ଣ୍ଣ ଧ୍ୱଂସ ପାଇଛି । ପୋଲିସ ଡିଜି, ବରିଷ୍ଠ ପୋଲିସ ଅଧିକାରୀ, ଏସପି ଓ ଅନ୍ୟାନ୍ୟ ପୋଲିସ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟର ଅଭାବ ସ୍ପଷ୍ଟ ପରିଲକ୍ଷିତ ହେଉଛି ।

ଦଳୀୟ ଆନୁଗତ୍ୟ ଏବଂ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ କାରଣରୁ କାହାକୁ ଏକାଧିକ ଦାୟିତ୍ୱ ମିଳୁଛି ତ ଆଉ କାହାକୁ ଦାୟିତ୍ୱ ମିଳୁ ନାହିଁ । ଏହା ଆଦୌ ଶୁଭଙ୍କର ନୁହେଁ । ଯଥାଶୀଘ୍ର ପୋଲିସ ବ୍ୟବସ୍ଥାର ସୁଧାର ଅଣାଯିବା ଆବଶ୍ୟକ । ଏଭଳି ପରିସ୍ଥିତି ଜାରି ରହିଲେ ଆଗକୁ ଆହୁରୀ ଅନେକ ଗୋପାଳ ଦାସ ସୃଷ୍ଟି ହେବାର ଆଶଙ୍କା ବୃଦ୍ଧି ପାଉଛି ବୋଲି ବରିଷ୍ଠ ନେତା ତଥା ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ର କହିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଶ୍ର କହିଛନ୍ତି, ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ ଅଧିକାରୀ ଜଣକ ଗୁଳି କରି ହତ୍ୟା କରିବା ସମଗ୍ର ଓଡ଼ିଶା ରାଜନୀତିକୁ ସ୍ତବ୍ଧ କରିଥିଲା । ଓଡ଼ିଶା ଇତିହାସରେ ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଦିବାଲୋକରେ ଜଣେ ପୋଲିସ ଏଏସଆଇ ହତ୍ୟା ସମସ୍ତଙ୍କୁ ବିଚଳିତ କରିଥିଲା । ଏଘଟଣାର ସଠିକ୍ ତଦନ୍ତ ହୋଇ ସ୍ୱର୍ଗତଃ ଦାସଙ୍କୁ ହତ୍ୟା କାହିଁକି କରାଯାଇଛି ତାର ସତ୍ୟାସତ୍ୟ ସାମ୍ନାକୁ ଆସିବା ନିହାତି ଆବଶ୍ୟକ ।

କିନ୍ତୁ ହତ୍ୟାକୁ ୨୫ଦିନ ବିତିଯାଇଥିଲେ ମଧ୍ୟ ହତ୍ୟାର କାରଣ ସଂପର୍କରେ କୌଣସି ସ୍ପଷ୍ଟୀକରଣ ମିଳିପାରିନାହିଁ । ସ୍ୱର୍ଗତଃ ଦାସଙ୍କ ହତ୍ୟାର ତଦନ୍ତ ଦିନକୁ ଦିନ ଜଟିଳ ହେବାରେ ଲାଗିଛି ଏବଂ ସାଧାରଣରେ ସନ୍ଦେହ ଦିନକୁ ଦିନ ବୃଦ୍ଧି ପାଇଚାଲିଛି । ଘଟଣାର ଉଦ୍ଦେଶ୍ୟ ସଂପର୍କରେ ରାଜ୍ୟ ସରକାର କାହିଁକି କିଛି ପ୍ରକାଶ କରୁନାହାନ୍ତି ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି ।

ହତ୍ୟା କରିବା ପରେ ଗୋପାଳ ଦାସ ଜଣେ ମାନସୀକ ରୋଗୀ ବୋଲି ପରିବାର ଓ ଡାକ୍ତର କହିଥିଲେ । ଯୋଜନାବଦ୍ଧ ଭାବେ ଗୋପାଳକୁ ପାଗଳ ବୋଲି ପ୍ରମାଣିତ କରାଯିବାର ପ୍ରଚେଷ୍ଟା କରାଯାଉଛି । ହାର୍ଟର ବାମ ପାର୍ଶ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ରିପୋର୍ଟ ଅନୁଯାୟୀ ନବ ଦାସଙ୍କ ବାମ ପାଶ୍ୱର୍ରେ ଗୁଳି ଲାଗିଥିଲା ଏବଂ ବର୍ତମାନ ସୁଦ୍ଧା ସେ ଗୁଳିର ପତା ମିଳିନାହିଁ ।

ଏହା ହୋଇଥିଲେ ମୃତ୍ୟୁ ତୁରନ୍ତ ହୋଇଥାଏ । କିନ୍ତୁ ତାଙ୍କୁ ଭୁବନେଶ୍ୱର ଅଣାଯାଇ ଚିକିତ୍ସା କରାଗଲା କେମିତି ? ସ୍ୱର୍ଗତଃ ଦାସଙ୍କ ମୃତ୍ୟୁ କେଉଁ ସମୟରେ ହୋଇଥିଲା, ତାହାର ସତ୍ୟାସତ୍ୟ ଜଣାପଡିନାହିଁ । ନବ ଦାସଙ୍କ ପ୍ରକୃତ ମୃତ୍ୟୁ ସମୟ କାହିଁକି ଲୁଚାଗଲା, ମୃତ୍ୟୁର ତଦନ୍ତ କାହିଁକି ବିଳମ୍ବ ହେଲା ? ନବଙ୍କ ମୃତ୍ୟୁର ସମୟ ଲୁଚାଇଥିବା ବ୍ୟକ୍ତିକୁ ଆଇପିସି ଧାରା ୨୦୧ରେ ଅନ୍ତର୍ଭୁକ୍ତ କରାଯିବା ଆବଶ୍ୟକ । ବାସ୍ତବରେ ସତ୍ୟାସତ୍ୟ କଣ ବୋଲି ରାଜ୍ୟ ସରକାରଙ୍କୁ ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି ।

ରାଜ୍ୟ ସରକାର ବାହାର ରାଜ୍ୟକୁ ନେଇ ଗୋପାଳର ନାର୍କୋ ଟେଷ୍ଟ, ଲାଇ ଡିଟେକ୍ସନ ଟେଷ୍ଟ କରାଇଥିଲେ । ନିମହାନ୍ସ ଭଳି ବିଶ୍ୱସ୍ତରୀୟ ଅନୁଷ୍ଠାନର ଡାକ୍ତରୀ ଦଳ ଦ୍ୱାରା ଗୋପାଳର ମାନସିକ ପରିସ୍ଥିତିର ପରୀକ୍ଷା କରାଗଲା । ଫଳାଫଳ କଣ ବାହାରିଲା, ତା ସଂପର୍କରେ କିଏ ଜାଣିଲେ ନାହିଁ । ଗତ କାଲି ମୁଖ୍ୟମନ୍ତ୍ରୀ ଏଫବିଆଇ ଦ୍ୱାରା ତଦନ୍ତ କରାଯିବାର ଘୋଷଣା କରିଛନ୍ତି । ଯେତେବେଳେ ଅପରାଧୀ ଚିହ୍ନଟ ହୋଇସାରିଛି, ସେତେବେଳେ ଏଭଳି ଘଟଣାରେ ଏଫବିଆଇର କୈାଣସି ଭୁମିକା ନାହିଁ । ତଦନ୍ତ ପ୍ରକ୍ରିୟା ବର୍ତମାନ ସଂପୂର୍ଣ୍ଣ ସନ୍ଦେହ ଘେରରେ ଥିବାବେଳେ ସଠିକ ତଦନ୍ତ ସିବିଆଇ ଭଳି ନିରପେକ୍ଷ ଏଜେନ୍ସି ଦ୍ୱାରା କରାଯିବାକୁ ଶ୍ରୀ ମିଶ୍ର ଦାବୀ କରିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ନାଉରୀ ନାୟକ, ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ ଦାସ, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.