Latest Odisha News

BREAKING NEWS

ସମ ହସ୍ପିଟାଲ୍‌ରେ ନ୍ୟୁରୋମୋଡ୍ୟୁଲେସନ୍ ଲ୍ୟାବ୍ ଉଦ୍‌ଘାଟିତ

ଭୁବନେଶ୍ୱର: ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ମାନସିକ ରୋଗ ବିଭାଗରେ ବୁଧବାର ଏକ ‘ନ୍ୟୁରୋମୋଡ୍ୟୁଲେସନ୍ ଲ୍ୟାବ୍‌’ ଉଦ୍‌ଘାଟିତ ହୋଇଯାଇଛି ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଓ ହସ୍ପିଟାଲ୍‌ର ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଯୋଗ ଦେଇ ଲ୍ୟାବ୍‌ର ଶୁଭାରମ୍ଭ କରିଥିଲେ ।

ଏହି ‘ନ୍ୟୁରୋମୋଡ୍ୟୁଲେସନ୍ ଲ୍ୟାବ୍‌’ରେ ଅତ୍ୟାଧୁନିକ ଜ୍ଞାନ କୌଶଳ ଯୁକ୍ତ “ରିପିଟିଟିଭ୍ ଟ୍ରାନ୍ସକ୍ରାନିଆଲ୍ ମ୍ୟାଗ୍ନେଟିକ୍ ଷ୍ଟିମୁଲେସନ୍‌” (ଆର୍‌ଟିଏମ୍‌ଏସ୍‌) ଓ “ଟ୍ରାନ୍ସକ୍ରାନିଆଲ୍ ଡିରେକ୍ଟ କରେଂଟ ଷ୍ଟିମୁଲେସନ୍‌” (ଟିଡିସିଏସ୍‌) ସେବା ଉପଲବ୍ଧ ।

ଏହି ଚିକିତ୍ସା ବ୍ୟବସ୍ଥା ବିଷାଦ, ଓସିଡି, ମାଇଗ୍ରେନ, ନ୍ୟୁରୋପାଥି ବ୍ୟଥା ତଥା ଅନେକ ମାନସିକ ବ୍ୟାଧିର ଉପଶମରେ ସାହଯ୍ୟ କରିପାରିବ । ଉଭୟ ଚିକିତ୍ସା ପଦ୍ଧତି ଅତ୍ୟଧିକ ସୁରକ୍ଷିତ ଓ ବିନା ନିଶ୍ଚେତକରେ ବହିଃ ସ୍ୱାସ୍ଥ୍ୟ ବିଭାଗରେ ହୋଇ ପାରିବ । ଏହି ବ୍ୟବସ୍ଥା ଭୁବନେଶ୍ୱରରେ କୌଣସି ମେଡିକାଲ୍ କଲେଜରେ ପ୍ରଥମ ଥର ପାଇଁ ଉପଲବ୍ଧ ହୋଇ ପାରିଛି ।

ଏହି ଅବସରରେ ପ୍ରଫେସର ମହାପାତ୍ର କହିଥିଲେ ଯେ ଏହି ଲ୍ୟାବ୍ ଦ୍ୱାରା ମାନସିକ ରୋଗର ଚିକିତ୍ସା କ୍ଷେତ୍ରରେ ଅନେକ ଉନ୍ନତି ହୋଇପାରିବ । ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଏହି ଅବସରରେ ହସ୍ପିଟାଲର ମାନସିକ ରୋଗ ବିଭାଗକୁ ଶୁଭେଚ୍ଛା ଜଣାଇବା ସହ ନ୍ୟୁରୋମୋଡ୍ୟୁଲୋସନ୍ ଲ୍ୟାବ୍ ମାନସିକ ଚିକିତ୍ସା କ୍ଷେତ୍ରରେ ଅନେକ ନୂତନ ସମ୍ଭାବନା ସୃଷ୍ଟି କରିବ ବୋଲି କହିଥିଲେ ।

ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଚିକିତ୍ସା ଜଗତରେ ପ୍ରଯୁକ୍ତିବିଦ୍ୟାର ବୈପ୍ଲବିକ ପରିବର୍ତନ କିପରି ମାନସିକ ରୋଗ ଜଡ଼ିତ ଚିନ୍ତାଧାରାକୁ ବ୍ୟାହତ କରିପାରିବ ସେ ନେଇ ଆଲୋକପାତ କରିଥିଲେ ।

ବିଭାଗୀୟ ମୁଖ୍ୟ ପ୍ରଫେସର (ଡାକ୍ତର) ସୁରଜିତ୍ ସାହୁ ଆର୍‌ଟିଏମ୍‌ଏସ୍ ଓ ଟିଡିସିଏସ୍ ଚିକିତ୍ସାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ପ୍ରଫେସର (ଡାକ୍ତର) ଶୁଭେନ୍ଦୁ ନାରାୟଣ ମିଶ୍ର ଏହି ମେସିନ୍‌ର ବୈଜ୍ଞାନିକ ଗବେଷଣା କ୍ଷେତ୍ରରେ କିପରି ଉପଯୋଗ ହୋଇପାରିବ ସେ ବିଷୟରେ କହିଥିଲେ । ଡାକ୍ତର ଜିତେନ୍ଦ୍ରୀୟ ବିଶ୍ୱାଳ ଓ ଡାକ୍ତର ରାକେଶ ମହାନ୍ତି ମେସିନ୍‌କୁ ଚଳାଇ ସମସ୍ତଙ୍କୁ ପ୍ରଦର୍ଶିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡାକ୍ତର ସ୍ନେହାଂଶୁ ଦେ, ଡାକ୍ତର ସୌମ୍ୟ ରଂଜନ ଦାଶ, ଡାକ୍ତର ଅମିୟ କୃଷ୍ଣ ସାହୁ, ଡାକ୍ତର ଲଗ୍ନଜିତ୍ ଦାସ, ଡାକ୍ତର ହିରଣ୍ମୟ ମହାପାତ୍ର, ଡାକ୍ତର କିର୍ତୀ ଅନୁରାଗ , ଡାକ୍ତର ରୁପେଶ ସେନାପତି ତଥା ପିଜି ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.