Latest Odisha News

BREAKING NEWS

ଲଣ୍ଡନ ଯିବା ପରେ ଆସିଲା ପୁନାୱାଲାଙ୍କ ଆଉ ଏକ ବୟାନ, ‘୩ ମାସରେ ସମସ୍ତଙ୍କୁ ଟିକାକରଣ ଅସମ୍ଭବ’

ନୂଆଦିଲ୍ଲୀ: ଦେଶ କରୋନାର ଦ୍ୱିତୀୟ ପ୍ରବାହ ସହ ଲଢ଼ୁଛି । ଦୈନିକ ୪ ହଜାରରୁ ଅଧିକ ସଂକ୍ରମିତ କରୋନାରେ ପ୍ରାଣ ହରାଉଛନ୍ତି । ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ସହ ମୃତ୍ୟୁହାରକୁ ଦେଖି ଭ୍ୟାକ୍ସିନର ଚାହିଦା ବଢ଼ିଛି । କେତେକ ରାଜ୍ୟ ଭ୍ୟାକ୍ସିନ୍ ଅଭାବକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଭ୍ୟାକ୍ସିନକୁ ନେଇ ବିବାଦ ଭିତରେ ଥିବା ସେରମ୍ ଇନଷ୍ଟିଚ୍ୟୁଟର ଅଧ୍ୟକ୍ଷ ଅଦର ପୁନାୱାଲାଙ୍କ ବୟାନ ଜାରି କରିଛନ୍ତି । କହିଛନ୍ତି, ଭାରତ ବଡ଼ ଜନସଂଖ୍ୟାର ଦେଶ ।

ଏତେ ଜନସଂଖ୍ୟା ଥିବା ଦେଶରେ ସମ୍ପୂର୍ଣ୍ଣ ଟିକାକରଣ ମାତ୍ର ୨ରୁ ୩ ମାସ ମଧ୍ୟରେ କରିବା ସମ୍ଭବ ପର ନୁହେଁ । ସେରମ ପକ୍ଷରୁ ଜାରି ବୟାନରେ ଆହୁରି କୁହାଯାଇଛି, ଆମେ ଦୁନିଆର ୨ଟି ଜନବହୁଳ ରାଷ୍ଟ୍ର ମଧ୍ୟରେ ଅନ୍ୟତମ । ଏତେ ସଂଖ୍ୟକ ଲୋକଙ୍କୁ ୨ରୁ ୩ ମାସ ମଧ୍ୟରେ ଟିକା ଦେବା ଅସମ୍ଭବ । ସମଗ୍ର ଦୁନିଆକୁ ଟିକାକରଣ ପାଇଁ ୨ରୁ ୩ ବର୍ଷ ସମୟ ଲାଗିବ । ସେରମ ମୁଖ୍ୟ ପୁନାୱାଲା କହିଛନ୍ତି, ଆମେ ଭାରତର ଲୋକଙ୍କ ଜୀବନକୁ ବିପଦରେ ପକାଇ ଟିକା ରପ୍ତାନୀ କରି ନାହୁଁ । ଆମେ ଦେଶରେ ଟିକାକରଣକୁ ସମର୍ଥନ କରୁଛୁ ଓ ଟିକା ଯୋଗାଇ ଦେବାକୁ ପ୍ରତିବଦ୍ଧ ଅଛୁ ।

କମ୍ପାନୀ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ୨୦୨୧ ପ୍ରାରମ୍ଭରେ ଆମ ପାଖେ ବିପୁଳ ଟିକା ମହଜୁଦ୍ ଥିଲା । ଟିକାକରଣ ଆରମ୍ଭ ସହିତ ଦେଶରେ ସଂକ୍ରମଣ ମାତ୍ରା କମ୍ ଥିଲା । ସେହି ସମୟରେ ଅନ୍ୟ ଦେଶରେ କରୋନା ସଂକ୍ରମଣ ମାମଲା ଭୟାବହ ଥିଲା । ଅନ୍ୟ ଦେଶ ସାହାଯ୍ୟ ଚାହୁଁଥିଲେ, ଦୁଃସମୟରେ ଭାରତ ସରକାର ସହାୟତାର ହାତ ବଢ଼ାଇ ଥିଲେ । ଆମୁ ବୁଝିବା ଦରକାର ମହାମାରୀ କୌଣସି ଭୌଗଳିକ କିମ୍ବା ରାଜନୀତିକ ପାଚେରି ଭିତରେ ସୀମିତ ନୁହେଁ । ଯଦି ସମଗ୍ର ବିଶ୍ୱ ଭୂତାଣୁକୁ ହରାଇ ପାରିବ ନାହିଁ, ତେବେ ଆମେ ମଧ୍ୟ ସୁରକ୍ଷିତ ରହିବା ନାହିଁ ।

ସେହି ଅନୁସାରେ, ନିମ୍ନ ଆୟକାରୀ ଦେଶଙ୍କ ପାଇଁ ଆମେ କୋଭାକ୍ସ ମାଧ୍ୟମରେ ଭ୍ୟାକ୍ସିନ୍ ଦେବା । ସେରମ ୨୦୦ ମିଲିୟନରୁ ଅଧିକ ଡୋଜ୍ କୋଭିସିଲ୍ଡ ବିତରଣ କରିଛି । ଯେତେବେଳେ କି ଆମେ ଆମେରିକାର ୨ ମାସ ପରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପାଇଥିଲୁ । ଆମର ଉତ୍ପାଦନ ଓ ବିତରଣକୁ ଦେଖିଲେ କୋଭିସିଲ୍ଡ ବିଶ୍ୱର ଟପ୍ ୩ରେ ରହିଛି । ଆମେ ଉତ୍ପାଦନ ବୃଦ୍ଧି କରିବା ସହ ଭାରତକୁ ପ୍ରାଥମିକତା ଦେଉଛି ବୋଲି ସେରମ ପକ୍ଷରୁ ବୟାନ ଜାରି କରାଯାଇଛି । ବର୍ଷା ଶେଷ ସୁଦ୍ଧା କୋଭାକ୍ସକୁ ଭ୍ୟାକ୍ସିନ୍ ଦେବା ନେଇ ସେରମ ଆଶା ପ୍ରକଟ କରିଛି ।

Leave A Reply

Your email address will not be published.