ସ୍ୱାଗତିକା ସ୍ୱାଇଁଙ୍କ ଉପନ୍ୟାସ ‘ନିକୁଲ’

ସ୍ୱାଗତିକା ସ୍ୱାଇଁଙ୍କ ଉପନ୍ୟାସ ‘ନିକୁଲ’

ଆର୍ଯ୍ୟକୁମାର ହର୍ଷବର୍ଦ୍ଧନ

ସ୍ୱାଗତିକା ସ୍ୱାଇଁ ‘ଝିଅ ପାଇଁ କବିତା’ ଲେଖି ଯେତିକି ପ୍ରଶଂସା ସାଉଁଟିଛନ୍ତି; ଅସଂପର୍କ, ଏଇ ଦୁଃଖର ନାଁ ନାଇଁ ଆଦି ଗଳ୍ପ ସଂକଳନରେ ପ୍ରିୟ ଗାଳ୍ପିକାର ଆସନ ଅଳଂକୃତ କରିଛନ୍ତି । ‘ନିକୁଲ୍’ ଉପନ୍ୟାସଟିରେ ଶିଶୁ ମନସ୍ତତ୍ତ୍ୱକୁ ସେ ଅତି ଆପଣାର ଢଙ୍ଗରେ ପରଷି ଦେଇଛନ୍ତି ।

ନିକୁଲର ବୟସ ମାତ୍ର ନଅବର୍ଷ । ଏକ୍ଲାପଣ ତାକୁ ଅନେକ ସମୟରେ ଭୂତ ପରି ଗୋଡ଼ାଇବା ପରି ଲାଗେ । ସ୍ୱାଗତିକା ଅତି ନିଚ୍ଛକ ଭାବେ ନିକୁଲର ଅସହାୟପଣକୁ ଦର୍ଶାଇବାକୁ ଯାଇ ଲେଖୁଛନ୍ତି: ‘ରାତିରେ କାମରୁ ଫେରିବା ପରେ ମାମା ପାପା ଦୁହେଁ ବଡ଼ ହାଲିଆ ଆଉ କ୍ଲାନ୍ତ ଦେଖାଯାଉଥିଲେ । ସତେ ଯେମିତି ସେମାନଙ୍କୁ ଅଫିସରେ ନୁହଁ ତ କୋଉଠି ମୂଲିଆ କାମ କରିବାକୁ ପଡ଼ିଚି । ଘରକୁ ଆସି ଦୁହେଁ ସବୁଦିନ ପରିକା ଲୁଗା ପାଲଟେଇବା, ଗାଧୋଇବା, ଚା ପିଇବା ପ୍ରଭୃତି କାମ କରିଚାଲିଲେ । ଆଶ୍ଚର୍ଯ୍ୟ! କେହି ହେଲେ ନିକୁଲକୁ ଆଜିକାର ସ୍କୁଲ୍ ଫଙ୍କସନ କଥା ପଚାରିଲେ ନାହିଁ । ସତେ ଯେମିତି ସେମାନଙ୍କର କାମର ଦାୟିତ୍ୱ ବୋଝ ପାଖରେ ନିକୁଲର ଫଙ୍କସନରେ ନାଚିବା କଥାଟା ଏମିତି ଗୋଟେ ଛୋଟିଆ କଥା ଯେ ତାକୁ ମନେ ରଖିବାର ଟିକେ ହେଲେ ଦରକାର ନାହିଁ ।’

ଏ ଭିତରେ ବାପା ମା’ କିନ୍ତୁ ପୁଅଟିଏ ଚାହୁଁଛନ୍ତି । ଭାଇଟିଏ ଆସିବ ବୋଲି ନିକୁଲ୍ ଖୁସିରେ ଉଛୁଳି ଉଠୁଛି । ତାର ସ୍ନେହ ଶ୍ରଦ୍ଧାରେ ଭାଗ ବସାଇଲେ ବି ତାକୁ ଗୋଟେ ସାଙ୍ଗ ମିଳିଯିବ । ମାତ୍ର ଘଟଣାଟି ଅସମ୍ଭବ ଭାବରେ ମୋଡ଼ ନେଉଛି ଏବଂ ସେଇ ଈପ୍ସିତ ନିକୁଲର ସାନଭାଇ ଜନ୍ମ ହେବା ପରେ ଜଣାପଡ଼ୁଛି ଯେ ତା’ ଛାତିରେ କଣା । ମଣିଷ ଛାତିତଳେ ଆଟ୍ରିୟା ଭିତରେ ସେପ୍ଟମ୍ ବୋଲି ଯେଉଁ କାନ୍ଥଟିଏ ଅଛି ସେପ୍ଟାଲ୍ ଡିଫେକ୍ଟରେ ଆକ୍ରାନ୍ତ ଲୋକଟିର ସେଇଥିରେ କଣାଟିଏ ହୋଇଯାଏ । ଯାହା ଯୋଗୁଁ ବାମ ପାଖର ଅମ୍ଳଜାନଭର୍ତ୍ତି ରକ୍ତ ଡାହାଣ ପାଖର ଅମ୍ଳଜାନବିହୀନ ରକ୍ତରେ ଯାଇ ଜଲଦି ଜଲଦି ମିଶିଯାଏ । ସେଠୁ ଛାତିର ସ୍ପନ୍ଦନ ତୀବ୍ର ହୁଏ । ଖୁବ୍ ତୀବ୍ର । ଜୀବନ ଛାଡ଼ିଗଲା ପରି ଲାଗେ । ପ୍ରାଣବାୟୁ ଉଡ଼ିଯିବା ପରି ମନେହୁଏ ।

ଏହା ଜାଣିବା ପରେ ନିକୁଲ୍ କି ଆଉ ଥୟ ଧରି ରହିପାରେ । ଶେଷରେ ସ୍ୱାଗତିକା ସ୍ୱାଇଁ ଉପନ୍ୟାସଟିର ନିର୍ଯ୍ୟାସ ନେବାକୁ ଯାଇ ନିକୁଲର ଏକ ଚିଠିର ଅବତାରଣା କରୁଛନ୍ତି । ଚିଠିରେ ଲେଖାଅଛି : ‘ମାମା!

ମୁଁ ନିକୁଲ୍ କହୁଛି । ତମରି ଛୁଆ ନିକୁଲ୍ । ମୁଁ ତମକୁ ବହୁତ ଭଲ ପାଏ । ପାପାଙ୍କୁ ବି । ତମେ ଦି’ଜଣ କୁନିପୁଅ ପାଇଁ ବହୁତ ବେଶୀ ଚିନ୍ତାରେ ବୁଡ଼ିଯାଇଛ । ମୁଁ ବି ଯେ ତମର ଗୋଟେ ପିଲା ଏ ଘରେ ଅଛି ସେ କଥାକୁ ପୂରାପୂରି ଭୁଲିଯାଇଛ । ହେବା କଥା, କାହିଁକି ନା ତମେ ଦୁହେଁ ତାକୁ ଚାହିଁ ଚାହିଁ ଆଣିଛ । ସିଏ ତମର ବହୁତ ଆଶାର ଛୁଆ । ତାକୁ କଷ୍ଟ ହବାର ଦେଖିବ ତ!

ହେଲେ ମାମା! ମୁଁ ବି ତମକୁ ବହୁତ ଭଲପାଏ । କେବେ ଖୋଲି କହିନି ସିନା କିନ୍ତୁ ତମକୁ କାନ୍ଦିବାର ଦେଖିଲେ ମତେ ଭାରି କଷ୍ଟ ଲାଗେ । ତମେ କାନ୍ଦ ନାହିଁ ମାମା । ଜମାରୁ କାନ୍ଦ ନାହିଁ । ତମ ଝିଅ ନିକୁଲ୍ ଅଛି ନା’ । ମୁଁ ଚାଲିଯିବା ପରେ ମୋ ଛାତିକୁ ନେଇ କୁନିପୁଅ ଦେହରେ ଲଗାଇଦେବ । ସେ ଭଲ ହୋଇଯିବ । ନିଶ୍ଚୟ ଭଲ ହୋଇଯିବ । ସମସ୍ତଙ୍କୁ ମୋର ବହୁତସାରା ଗେହ୍ଲା ।
– ନିକୁଲ୍

ସ୍ୱାଗତିକା ସ୍ୱାଇଁ ଶିଶୁ ମନସ୍ତତ୍ତ୍ୱର ନିଆରା ରୂପକାର ଭାବରେ ‘ନିକୁଲ୍’ ଉପନ୍ୟାସର ସମ୍ବେଦନାକୁ ଫୁଟାଇଛନ୍ତି ନିଜସ୍ୱ ଶୈଳୀରେ। ଛୋଟ ପିଲାଙ୍କ ମନକୁ ବୁଝିବା ଯେତିକି କାଠିକର ତାଙ୍କ ସ୍ତରକୁ ଓହ୍ଲାଇ ତାଙ୍କ ଭାଷା ଓ ଭାବକୁ ଅଭିବ୍ୟକ୍ତ କରିବା ସେତିକି କଷ୍ଟସାଧ୍ୟ ବ୍ୟାପାର । ଜଣେ ମା’ ସ୍ତରକୁ ଓହ୍ଲାଇ ସ୍ୱାଗତିକା ସ୍ୱାଇଁ ‘ନିକୁଲ୍’କୁ ପାଳିଛନ୍ତି, ଏହା ହିଁ ଏକ ଆନନ୍ଦର ବିଷୟ ।