Latest Odisha News

BREAKING NEWS

ମାଘରେ ନାହିଁ ଶୀତ, ରାଜ୍ୟର ୭ଟି ସ୍ଥାନରେ ୩୨ ଟପିଲା ତାପମାତ୍ରା

ଭୁବନେଶ୍ୱର: ମାଘ ମାସରେ ବି ଶୀତ ନାହିଁ । ରାଜ୍ୟରେ ଏବେ ଭୋରରେ କୁହୁଡ଼ି ଲାଗି ରହୁଥିବା ବେଳେ ଦିନ ବେଳା ଗରମ ଅନୁଭୂତ ହେଉଛି । ଯେମିତି ଲାଗୁଛି ମାର୍ଚ୍ଚ ଅଧା ହେଲାଣି । ଶୀତ ସରି ନଥିବା ବେଳେ ରାଜ୍ୟରେ ଦିନ ତାପମାତ୍ରାରେ ଅସ୍ୱାଭାବିକ ପରିବର୍ତ୍ତନ ଦେଖା ଦେଇଛି ।

 

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଅନୁସାରେ, ଆଜି ରାଜ୍ୟର ୭ଟି ସ୍ଥାନରେ ଦିନ ତାପମାତ୍ରା ୩୨ ଡିଗ୍ରୀ ଉପରେ ରହିଛି । ସେହିଭଳି ୨ଟି ସ୍ଥାନରେ ପାରଦ ୩୩ ଡିଗ୍ରୀ ଛୁଇଁଛି । ସମ୍ବଲପୁରରେ ପାରଦ ୩୩.୨ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିବା ବେଳେ ବୌଦ୍ଧରେ ୩୩ ଡିଗ୍ରୀ, ଭୁବନେଶ୍ୱରରେ ୩୨.୮ ଡିଗ୍ରୀ,  ଝାରସୁଗୁଡ଼ାରେ ୩୨.୮ ଡିଗ୍ରୀ, ଅନୁଗୁଳରେ ୩୨.୭ ଡିଗ୍ରୀ, ଭଦ୍ରକରେ ୩୨.୫ ଡିଗ୍ରୀ, ସୋନପୁରରେ ୩୨.୩ ଡିଗ୍ରୀ ରହିଛି ।

ଉତ୍ତରା ପବନର ପ୍ରଭାବ କମିଥିବା ଏବଂ ଚଳିତବର୍ଷ ଉତ୍ତର ଭାରତରେ ତୁଷାରପାତ ମାତ୍ରା ହ୍ରାସ ପାଇଛି । ପଶ୍ଚିମା ଝଡ଼ର ପ୍ରକୋପ କମିଛି । ଡିସେମ୍ବରରେ ମଧ୍ୟ ଶୀତ ନଥିଲା । ଚଳିତ ଜାନୁଆରୀରେ ମାତ୍ର ଗୋଟିଏ  ଦିନ ଶୀତ ଲହରୀ ଅନୁଭୂତ ହୋଇଥିଲା ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ । ଗୁରୁଚାପ ବଳୟ ମଧ୍ୟ ଭାରତର ସ୍ଥଳଭାଗ ଅଞ୍ଚଳ ବିଶେଷକରି ମଧ୍ୟପ୍ରଦେଶରେ ସକ୍ରିୟ ରହିଲେ ଉତ୍ତରା ପବନ ସକ୍ରିୟ ହୋଇଥାଏ । କିନ୍ତୁ ଏବେ ଗୁରୁଚାପ ବଳୟ ଓଡ଼ିଶା ପାଖାପାଖି ରହିବାରୁ ସାମୁଦ୍ରିକ ବାୟୁର ପ୍ରଭାବ ଅଧିକ ରହୁଥିବାରୁ ଶୀତ ପରିବର୍ତ୍ତେ ଗରମ ଅନୁଭୂତ ହେଉଛି ।

ଆଗାମୀ ୪ରୁ ୫ ଦିନ ମଧ୍ୟରେ ରାତି ତାପମାତ୍ରାରେ ସେଭଳି ବିଶେଷ ପରିବର୍ତ୍ତନ ହେବ ନାହିଁ । ପାଗ ମୁଖ୍ୟତଃ ଶୁଖିଲା ରହିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତା ୨ ଦିନ ଆଭ୍ୟନ୍ତରୀଣ ସହ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମଧରଣର କୁହୁଡ଼ି ଦେଖାଯିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

Leave A Reply

Your email address will not be published.