ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଅନୁରାଗ ଅନ୍ତରାଳେ

ଅସରନ୍ତି ଚେଷ୍ଟାରେ ଅଛି ତୁମ ସତ୍ତାକୁ ବାସ୍ତବ ରୂପ ଦେଇ ପରିପୂର୍ଣ୍ଣତାର ବିଭୋରତାକୁ ଆତ୍ମସ୍ଥ କରିବାକୁ ।ଈଶ୍ୱରଙ୍କୁ ଖୋଜିବାର ବ୍ୟାକୁଳତା ନେଇ ବାଳକ ଧ୍ରୁବ ଯେଉଁଭଳି ଛୁଇଁ ଛୁଇଁ ଯାଉଥିଲା ହିଂସ୍ର ବନ୍ୟପ୍ରାଣୀଠାରୁ କାଳଖଣ୍ଡକୁ ଜାବୁଡି ଧରିଥିବା ମହାଦ୍ରୁମ ଯାଏଁ । ମୋର ବି ସେଇ ଅନୁଭୂତି ପାକଳେଇଛି , ଅନ୍ୱେଷଣରେ ତୁମ ଯାଏଁ ପହଞ୍ଚିବାରେ। “ଏଇ ଜଣଙ୍କ ନିଶ୍ଚୟ ତୁମେ ” କହି ଜାବୁଡି ଧରିଛି ଭିନ୍ନ ଭିନ୍ନ ସମ୍ପର୍କକୁ ବନ୍ଧୁତାର ନାଁ ଦେଇ ତ ଥକି ପଡିଛି । ତୁମେ ବୋଲି ଯଥେଷ୍ଟ ଢାଳି ହୋଇଛି , ଛୋଟବଡ଼ ସଙ୍ଗଠନ ଏବଂ ଅନୁଷ୍ଠାନରେ ତ ଛିଟିକି ପଡିଛି ପଲସ୍ତରା ଖଣ୍ଡ ଭଳି । ‘ଗୋଟେ ଚିତ୍ରର ଅନ୍ତରାଳେ’ ବୋଧେ ପ୍ରଥମ ଥର ପାଇଁ ଡୁବିଥିଲା ନିକ୍ଷିପ୍ତ ଅନୁଭବ ମୋର ଯାହାକୁ ଏବେ ଏବେ ଦେଖୁଚି, କେନା ମାରି ପଲ୍ଲବୀ ଯିବା । ଅଧା ଆଲୁଅ ଅଧା ଛାଇରେ ଆଙ୍କି ହୋଇଥିବା ସେହି ଅସ୍ପଷ୍ଟ କମନୀୟ ରୂପ , ଯାହାଙ୍କ ପାଖରେ ଅଛି ଦୁଇ ଆକର୍ଷଣୀୟ ଆଖି ମୋତେ ଅଟକେଇ ଦେଇ ପାରେ । ହଜାରେ ହଁ , ନାହିଁର ଅଙ୍କ କଷି କଷି ମୁଁ ସବୁବେଳେ ପହଞ୍ଚି ଯାଉଥାଏ ସେହି ଚିତ୍ର ପାଖରେ ଯେଉଁଥିରେ ମୋର କଳ୍ପନାକୁ ବସ୍ତ୍ର କରି ତୁମେ ବସିଥାଅ ଚୁପଚାପ ହସନ୍ତ ମୂର୍ତ୍ତି ଭଳି । ମୁଁ ମୁଗ୍ଧ ହୁଏ – ବିଭୋର ହୁଏ । ଆସ୍ତେ ଆସ୍ତେ ସଂକ୍ରମିତ ହେଉଥାଏ ତୁମ ପୃଥିବୀର ଭଲପାଇବାରେ । ଲୁଚି ଲୁଚି ତୁମକୁ ଚଳ ପ୍ରଚଳ ହେବାର ଦେଖି ମୁଁ ଯେତିକି ମୁଗ୍ଧ ହୋଇପାରେ ; ହୁଏ ଏବଂ ଆଶ୍ୱସ୍ତିରେ ନୂଆ ନୂଆ ଗୀତଙ୍କ ଠିକଣା ଖୋଜୁଥାଏ । ମୁଁ ନିଶ୍ଚୟ ପାଗଳୀ ନୁହେଁ !!

ଚିଠି ଲେଖିବା ଆରମ୍ଭରୁ ହିଁ ବହୁତ କିଛି ଭାବନାକୁ ଆସି ଯାଉଥିଲା । ଲେଖି ହେଉନି ଏବେ । ମନକୁ ବୁଝେଇ , ଭାବନାକୁ ସାଉଁଟି ଲେଖୁଥିଲାବେଳେ ଘରୋଇ କାମ ଭିଡି ନେଲା । ଦାୟିତ୍ୱ ହୋଇ ମିଳିଥିବା ଜଞ୍ଜାଳକୁ ଫୁଲଦାନୀରେ ଖଞ୍ଜିଲା ଭଳି ଖଞ୍ଜି ଚିଠି ଲେଖିବାକୁ ବସୁଛି ଯେ ଅଟକେଇ ଦେଉଛି କ୍ଲାନ୍ତି । ଏପ୍ରିଲ ମାସର ତାଡନା ଅଲଗା କାରଣ ବସନ୍ତର ପ୍ରଭାବୀ ଶକ୍ତି ଏମିତି ଯେମିତି ମୁଁ ମୋ ଭିତରେ ଋତୁ ବଦଳିବାର ଆଶା ରଖିପାରୁଥିବି । ତୁମର ସ୍ଥିତି ତ ମଳୟ ଭଳି । ବହିଯାଅ ଏବଂ ବୁହାଇ ନିଅ ମୋତେ ମୋ ରଚିତ ଦୁନିଆଁକୁ ଚନ୍ଦନର ସୁରଭି ଦେଇ । ଏବେ ତ ଏପ୍ରିଲ ଭରପୁର ପ୍ରଳୟର କୋଳାହଳରେ । ତୁମେ ଅଛ ବୋଲି ଯାହା ବି ଘଟୁଛି କି ଘଟି ଚାଲିଛି କଣ୍ଟା ଭର୍ତ୍ତି ବଗିଚା ଭିତରେ ଗୋଲାପର ଉପସ୍ଥିତି ପରି ପ୍ରାଣବନ୍ତ , କୋମଳ ଓ ପୁଲକମୟ। କେଉଁ ବି କାଟୁଛି ସେହି କଣ୍ଟାର ରାମ୍ପୁଡା ? ଯାହା ବି ଆମୋଦିତ ଏବଂ ବାସ୍ନାୟିତ କରୁଛି ତାହା ତ କେବଳ ଫୁଲର ହିଁ ! ତୁମେ ଗୋଟେ ଆନନ୍ଦର ଅବସ୍ଥିତି । ଗୋଟେ ପରିପୂର୍ଣ୍ଣତା ହିଁ ତୁମରି ନାଁ। ତୁମେ ଏମିତି ଗୋଟେ ସତ୍ତା ଯାହା ମୋର ସମୁଦାୟତାକୁ ଆବୋରି ଯାଇଛି ଅବ୍ୟକ୍ତ ରୋମାଞ୍ଚରେ ଉଚ୍ଚକିତ ହୋଇ । ତୁମେ ଗୋଟେ ବିଶ୍ୱାସ , ଗୋଟେ ପ୍ରତ୍ୟୟ ଯିଏ ବିଛେଇ ଦେଇପାରେ ନିଜକୁ ମାଟି କରି । ବିସ୍ତାରି ଯାଇପାରେ ଆକାଶ ହୋଇ । ଆଉ ଏସବୁ ସେଇ ମନୋଇ , ଜିଦ୍ଖୋର ମଣିଷଟି ପାଇଁ ଯାହାକୁ ଅନ୍ୟମାନେ ଅଣଦେଖା କରନ୍ତି ଅଥବା ବହୁତ ଦେଖନ୍ତି ।

ଭାବୁଛ କି ମୁଁ ମିଛ ଲେଖୁଛି ତୁମକୁ ? କିଛି କଥା ନିହାତି ମୁଁ ଲୁଚେଇ ପାରେ ଘଟଣାର ଗୁରୁତ୍ୱକୁ ଆଖିରେ ରଖି କିନ୍ତୁ ମିଛ କହି ପାରିବିନି ବିଶେଷ କରି ତୁମକୁ । ସତ୍ତା କଣ ମୁଖା ପିନ୍ଧେ ଯେ ମିଛଟେ ଲୋଡ଼ା ପଡିବ ତୁମ ଭଳି ସକାରତ୍ମକତାର ମିଠାଳିଆ ଉର୍ଜ୍ଜା ପାଇଁ ? ମିଛ ମାନେ ଧାଡି଼ ବାନ୍ଧି କେବେ ଦିନେ କୋରସ ଗାଇବେ ଆମ ପାଇଁ । ମୋତେ ଲାଗେ କିନ୍ତୁ ଅନୁପ୍ରବେଶ କରି ପାରିବେନି ଆମ ଭିତରକୁ । କହିଛି ନା ମୁଁ ତୁମକୁ ମୋର ବିସ୍ତାରିତ ରୂପରେ ଦେଖେ । ତେଣୁ ଏଇ ତ ସ୍ୱଚ୍ଛନ୍ଦ ହୋଇପାରେ । ଅଭିମାନରେ ମୁହଁ ଲୁଚାଇପାରେ ତୁମ ଭଲ ପାଇବାର ଛାତିରେ । ପୁଣି ତୁମ ଦିଆ ମଧୁର କଷ୍ଟରେ । ଆମେ କଥା ହେବା ଦିନେ । ବହୁତ କିଛି ଶୁଣିବାର ଅଛି । ବହୁତ କିଛି ବାଣ୍ଟି ହେବାର ଅଛି । ସେହି କଥା ହେବା ଦିନଟି ହିଁ ମୋ ପାଇଁ ରମଣୀୟ ଭାବରେ ସ୍ମରଣୀୟ ହୋଇ ରହିବ । ତା’ ପୂର୍ବରୁ ତୁମ ପାଇଁ ନାଁଟେ ଖୋଜୁଛି ଖାଲି । ଏବେ ଯେମିତି ତୁମ ପାଇଁ ଉଦ୍ଦିଷ୍ଟ ଚିଠି ସବୁ ପଢିଯାଅ ଉତ୍ତର ନଫେରେଇ ସେମିତି ବି ତୁମେ ଶୁଣିଯିବ ମୋର ସବୁ ଆବୁରୁଜାବୁରୁ କଥା ପ୍ରତ୍ୟୁତ୍ତର ନଦେଇ ବୋଲି ମୁଁ ଜାଣେ । ସମ୍ବୋଧନ ପାଇଁ ନାଁଟେ ଲୋଡ଼ା ନା ! ତୁମେ ତୁମ ନିରବତାରେ କହି ଦେଉଥାଅ ମୋ କଥା କବିତା କବିତା ଲାଗେ ତ ମୁଁ ଆନନ୍ଦରେ ଅଧୀର ହୁଏ । ଆଉ ନିଜ ଭିତରେ ତୁମକୁ ଖୋଜି ହୁଏ ।

ତଥାପି ବେଳେବେଳେ ଏତେ ଅନ୍ୟମନସ୍କତା କାହିଁକି ଆସେ ? କାହିଁକି ବି ଲିଭି ଲିଭି ଆସେ ମୋ କଳ୍ପନାରେ ଅଙ୍କିତ ଛବିଟିର ସାମଗ୍ରିକ ରୂପ ଯିଏ ଦୁଃସ୍ବପ୍ନର ଘୋଡ଼ା ଚଢି ଆସନ୍ତି ମୋତେ ସ୍ବପ୍ନମୁଖର ଜୀବନଟେ ଦେବାକୁ ? କିଛି ଭୁଲ ରହିଯାଉଛି କି ମୋ ଦେଇ ? ମୋ’ ଅଙ୍କନ , ନିଷ୍ଠା କି ତତ୍ପରତାରେ ?? କିଛି ଚାପ ପଡୁଛି କି ତୁମ ଉପରେ ଗତାନୁଗତିକ ଧାରାରୁ ବାହାରି ନିଜକୁ ମୋ ମୁତାବକ ତିଆରି କଲାବେଳେ ? ତୁମ ନିରବତାକୁ ପଢିଲା ବେଳେ କାହିଁକି ମୋ ଆଖି ଭାରି ହୋଇପଡେ ଲୁହରେ ?? ଗଢିବା କି ଗଢ଼ି ହେବା ବଦଳରେ ଯଦି ଆମେ ପଡିବା ଏବଂ ପୋଡି ପୋଡି ଯିବା ତେବେ କୁହ କଣ ହେବ କାଲିମାନଙ୍କ ଦିନ ସବୁ ? କିଏ କାହାର ଯତ୍ନ ନେବାର ନାହିଁ ଅଥଚ ଉଭୟେ ଉଭୟଙ୍କ ଚିତ୍ରରେ ଖୁସିର ରଙ୍ଗ ବୋଳିବାର ଅଛି । ଏହା ହିଁ ନିଷ୍ପତ୍ତି ଥିଲା ଆମ ଈଶ୍ୱରଙ୍କର । ନୁହେଁ ??

ମୁଁ ଶୋଇନି। ଆକାଶମୁହାଁ ମୋର ଆଖି ।ବାଦଲ କଡ଼ ଲେଉଟାଉଛି ହୁଏତ ଜକେଇ ଯାଉଛି ସର୍ଜିବାର କୋହରେ । ହୁଏତ ନିଗିଡି ଆସିପାରେ ମେଘଖଣ୍ଡରୁ ଲୋତକର ଅଞ୍ଜଳି । ହୁଏତ ଭସେଇ ଆଣିପାରେ ପ୍ରସ୍ତୁତ ଅପ୍ରସ୍ତୁତ ସମସ୍ତ ଶାଏରୀ , ଲୟହୀନ ଲୋରି । ନିଜ ଭିତରର ପରିବର୍ତ୍ତନର ଶବ୍ଦ ବି ଅସମ୍ଭବ ପ୍ରଖର । ଖୁବ ଆବେଗପ୍ରବଣ ଏବେ ମୁଁ । ଭାଙ୍ଗିଯାଇ ପାରେ । ଗଢ଼ି ଦେଇ ପାରେ । ଉଡିପାରେ ,ଉଡେଇ ଦେଇପାରେ । ଏହି ଶକ୍ତିକୁ ପରଖିବା ଲାଗି କେବଳ ରାତି ହିଁ ଅଛି ସାକ୍ଷୀ ହୋଇ । ସମ୍ଭାଳି ନେବାକୁ ଜହ୍ନ ଜହ୍ନ ଲାଗୁଥିବା ହସନ୍ତ ଈଶ୍ୱର । କିଛି ଗୋଟାଏ କରି ଦେଇପାରେ ଏଇ ମୁହୂର୍ତ୍ତରେ । ସେଇ ଗୋଟାଏକୁ ତ ଅନ୍ତତଃ ସ୍ଥିର କରନ୍ତୁ ଠାକୁର । ମୁହୂର୍ତ୍ତମାନଙ୍କୁ ଦୀର୍ଘ କରି ଭୋଗିବାର ଲୋଭ କି ଦୁଃସାହସ କେବଳ ମୁଁ ହିଁ କରିପାରେ ।

ଏବେ ପ୍ରବଳ ନିଦ । ଜାଣିଶୁଣି ନିଦରେ ଲେଖୁଛି ବୋଧହୁଏ କଳିବାକୁ ଚାହେଁ କେତେ ଶବ୍ଦକୁ ଅନୁଭବରେ ଆଙ୍କି ପାରୁଛି ମୋର ଏହି ମନୋଇ ନିଦ !!ଏବେ ପାଖାପାଖି ତୁମେ ଓ ଈଶ୍ୱର । ମୋତେ ଦିଶୁଚି ଜହ୍ନର ଡଙ୍ଗାରେ ଘୋଡ଼ା ସହ ଉତ୍ତୁରି ଆସୁଛ ମୋ ଆଖି ପାଖାପାଖି ସ୍ବପ୍ନ ହୋଇ । ଶୁଖିଲା ପାଖୁଡା ସମ ଝଡି ପଡୁଛନ୍ତି ସାରାଦିନର ଅବସାଦ ।ଏବେ ନିଦ ସହ , ସ୍ୱପ୍ନ ସହ ମୋ ଓଠରେ ଭର୍ତ୍ତି ହୋଇସାରିଛି ଗୋଲାପି ସକାଳର ପ୍ରତିଶ୍ରୁତି । ନିଅ ମୋ ତନ୍ମୟତା । ଏଇ ମାତ୍ର ଆଙ୍କିବା ଆରମ୍ଭ କରିଥିବା ଗୋଟିଏ କିଶୋରୀର ଜୀବନ ।
ତୁମର
‘ମୁଁ ‘