Latest Odisha News

BREAKING NEWS

ସ୍ୱଳ୍ପ ଗଳ୍ପ : ଆଢୁଆଳର ମାଆ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୨୦ 

ଇଟାଲୀୟ ଶିଳ୍ପୀ ଲିଣ୍ଡା ଫ୍ରେନି ନାଗଲର୍ ଭେନିସ୍ ଠାରେ ଗୋଟିଏ ପ୍ରଦର୍ଶନୀର ଆୟୋଜନ କରିଥିଲେ । ସେହି ପ୍ରଦର୍ଶନୀରେ ପ୍ରାୟତଃ ହଜାରେ ଖଣ୍ଡେ (ସଠିକ ହିସାବ କରି କହିଲେ ତାହା ସଂଖ୍ୟାରେ ହେବ ୯୯୭) ସଂଗୃହିତ ଫଟୋଗ୍ରାଫ୍ ପ୍ରଦର୍ଶିତ ହୋଇଥିଲା । ସେଦିନ ଥିଲା ୨୧ ଜୁନ୍ ୨୦୧୩ । ଶିଳ୍ପୀ ଲିଣ୍ଡା ନାଗଲର୍ ଏଇ ଫଟୋଗ୍ରାଫି ପ୍ରଦର୍ଶନୀର ନାଆଁ ରଖିଥିଲେ “ଦି ହିଡନ୍ ମଦର୍ ବା ଆଢୁଆଳର ମାଆ” ।

ମାଆମାନେ ଚିରକାଳ ଆଢୁଆଳରେ ରହିଥାଆନ୍ତି ଏଥିରେ ବା ଏହି ଭଳି ଏକ ସ୍ୱାଭାବିକତା ସହ ଆମେ ବେଶ୍ ଭଲଭାବରେ ପରିଚିତ । ପିତୃସତ୍ତାତ୍ମକ ବ୍ୟବସ୍ଥା ଅତ୍ୟନ୍ତ ଚତୁରତାର ସହ ଗୋଟିଏ ନାରୀର ସମସ୍ତ ନାରୀତ୍ୱର ଅଧିକାରକୁ, ସ୍ୱାତନ୍ତ୍ର୍ୟକୁ କେବଳ ମାତୃପଣ ବୋଲି ଏକ ଅବଧାରଣା ଭିତରେ ଏକ ପ୍ରକାର ସଙ୍କୁଚିତ , ନିୟନ୍ତ୍ରିତ ତଥା ଦମନ କରି ରଖିଥାଏ । ଗୋଟିଏ ନାରୀର ସବୁଠୁ ସୁନ୍ଦର ଏବଂ ସଫଳ ତଥା ସାର୍ଥକ ପରିଭାଷା ମାଆ ବୋଲି ଆମେ ଗୋଟିଏ କଥାରେ ରାଜି ହୋଇଯିବା । କହିବା କଥା ହେଉଛି ଆମେ ନାରୀ ଭିତରେ କେବଳ ମାଆରୂପକୁ ଦେଖୁ ଏବଂ ଏହି ଭଳି ମାତୃରୂପକୁ ଦେଖିବାରେ ଆମର ସବୁବେଳେ ସନ୍ତୋଷ ଏବଂ ଏହି କଥାକୁ ଠିକ୍ ଅନ୍ୟ ଭାବରେ କହିଲେ କୌଣସି ମାଆ ଭିତରେ ନାରୀର ଅନ୍ୟ ରୂପ ଆମର ସେମିତି ପସନ୍ଦର ପ୍ରସଙ୍ଗ ନୁହଁ।

ଏଇଠି ତାହା ହେଲେ ଗୋଟିଏ କଥା ମନକୁ ଆସିବ, ଜଣେ ପୁରୁଷର ଯଦି ସର୍ବଶ୍ରେଷ୍ଠ ପରିଚୟ କେବଳ ତାହାର ପିତୃପଣରେ ହିଁ ପ୍ରତିଷ୍ଠିତ ନୁହଁ । ପୁରୁଷକୁ ଯଦି ଆମେ ନାୟକ ଏବଂ ବୀର ହିସାବରେ ସଜାଇ ତାହାପାଇଁ ଚତୁଃପାର୍ଶ୍ୱରେ “ବୀରଭୋଗ୍ୟା ବସୁନ୍ଧରା” ଭଳି ଏକ ସ୍ୱୈରାଚାର ଏବଂ ଉତ୍ସୃଙ୍ଖଳତାକୁ ସ୍ୱାଭାବିକ ଭାବରେ ଗ୍ରହଣ କରିନେଉଥିବା, ତାହା ହେଲେ ନାରୀ ପ୍ରତି ସମାନ ଅବସ୍ଥାନ, ସମାନ ସ୍ୱୈରାଚାର ପାଇଁ ଆମେ ସଚରାଚର କୁଣ୍ଠିତ କାହିଁକି ? ନାରୀର ବି ନାୟିକା ହେବାର ଅଧୀକାର ରହିଛି । ଆମେ ତା’କୁ କେବଳ ମାଆ ଭୂମିକାରେ ଦେଖିବା ଭଳି ନିଷ୍ପତ୍ତି ସହ ସବୁବେଳେ ରହିବା କାହିଁକି ?

ମାତୃପଣକୁ ନେଇ ଏଇଠି ନାରୀ ଆଉ ପୁରୁଷର ଯେଉଁ ଦ୍ୱିପାକ୍ଷିକତାର କଥା ଉଠିଲା ସେଇଠି ଅସଲ ପ୍ରସଙ୍ଗଟି ହେଉଛି ଶରୀର । ମାତୃପଣ ର ଆଧାରରେ ଆମେ ନାରୀକୁ କେବଳ ଗୋଟିଏ ଶାରୀରିକ ଅବସ୍ଥାନରେ ରଖିବାକୁ ସର୍ବୋତ୍ତମ ମନେକରୁ । ମାଆ ହେବା ବ୍ୟତୀତ ଅନ୍ୟ କୌଣସି ଶରୀରୀ-ବିକଳ୍ପ ନାରୀ ପାଇଁ ଉଚିତ ନୁହଁ ବୋଲି ପୁରୁଷ-ପୁରାଣର ନିରନ୍ତର ବଖାଣ । ଏଠାରେ ବିଶିଷ୍ଟ ଅଷ୍ଟ୍ରେଲୀୟ ନାରୀବାଦୀ ଚିନ୍ତକ ଜର୍ମାଇନ୍ ଗ୍ରୀଅର୍ ଙ୍କର ବହୁଚର୍ଚ୍ଚିତ ପୁସ୍ତକ “ଦି ଫିମେଲ୍ ୟୁନକ୍” କୁ ପ୍ରସଙ୍ଗକୁ ନିଆଯାଇ ପାରେ । ତାଙ୍କର ଅଭିମତରେ ନାରୀ ହେଉଛି ଏକ ଯୌନ-ବାଧିତ ପ୍ରଜାତି । ନାରୀକୁ ମାତୃରୂପରେ ଅଭିଷିକ୍ତ କରି ଆମେ ତା’ଭିତରୁ ସମସ୍ତ ଶରୀରୀ-ଇଚ୍ଛାକୁ ଅପହରଣ କରି ନେଇଛୁ ।

ପୃଥିବୀର ଅନ୍ୟ ସମସ୍ତ ଅଞ୍ଚଳ ତୁଳନାରେ ଭାରତୀୟମାନେ ସବୁବେଳେ ଗୋଟିଏ ପୁତ୍ରର ଭୂମିକାରେ ରହିବାକୁ ଅଧିକ ପସନ୍ଦ କରିଥାଆନ୍ତି । ତାହାର ଅନ୍ୟ ଅର୍ଥ ବି ଏମିତି ହେବ ଯେ ଭାରତୀୟମାନେ ସ୍ୱାମୀ ହିସାବରେ ସେମିତି ଉଚ୍ଚକୋଟିର ସ୍ୱାମୀ ନୁହଁନ୍ତି । ଚେତନାରେ ପୁତ୍ର ଆଉ ସ୍ୱାମୀର ଦ୍ୱନ୍ଦ୍ୱ ହିଁ ସାମାଜିକ ଭାବରେ ମାତୃପଣକୁ ସାମାଜିକ ପ୍ରତିଷ୍ଠା ପ୍ରଦାନ କରିଥାଏ ।

ସଂକ୍ଷେପରେ କହିଲେ ଗୋଟିଏ ମାଆର ଯୌନ-ଆଚରଣକୁ ଆମେ ବସ୍ତୁତଃ କେଉଁ ଭଳି ଗ୍ରହଣ କରିଥାଉ ତାହାକୁ ନେଇ ଆମେ ନିଜେ ନିଜ ଭିତରେ ଏଇ ପ୍ରସଙ୍ଗକୁ ସଠିକ ତର୍ଜମା କରିପାରିବା ।

ଇଟାଲୀୟ ଶିଳ୍ପୀ ଲିଣ୍ଡା ଫ୍ରେନି ନାଗଲରଙ୍କ ଦ୍ୱାରା ୨୦୧୩ ମସିହାରେ ଭେନିସ୍ ଠାରେ ଆୟୋଜିତ “ଦି ହିଡନ୍ ମଦର” ଶୀର୍ଷକ ରେ ଯେଉଁ ଫଟୋଗ୍ରାଫି ପ୍ରଦର୍ଶନୀର ଆୟୋଜନ ହୋଇଥିଲା ସେଠାରେ କିନ୍ତୁ ମାଆର କୌଣସି ଯୌନାଚାରଣର ପ୍ରସଙ୍ଗ ଆଦୌ ନଥିଲା । ସେଇଠି କେବଳ ଗୋଟିଏ କଥା ଦର୍ଶାଯାଇଥିଲା ଯେ ମାଆଟିଏ କେମିତି ଆଢୁଆଳରେ ରହିଥାଏ ।

ଏହି ବିଶେଷ ପ୍ରଦର୍ଶନୀ ପାଇଁ ସଂଗୃହିତ ଆଉ ପ୍ରଦର୍ଶିତ ଫଟୋଗ୍ରାଫଗୁଡିକ କହିବାକୁ ଗଲେ ଭାରି ପୁରୁଣା । ସେହି ସବୁ ହେଉଛି ଭିକ୍ଟୋରିଆ ଯୁଗରେ ଉତ୍ତୋଳିତ ହୋଇଥିବା ଫଟୋଗ୍ରାଫ୍ । ସେମିତି କହିଲେ ସେହି ଛବି ଗୁଡିକର ଆନୁମାନିକ ସମୟ ହେବ ୧୮୪୦ ଖ୍ରୀଅରୁ ୧୯୨୦ ଖ୍ରୀଷ୍ଟାବ୍ଦ ।

ସେହି ସବୁ ପ୍ରଦର୍ଶିତ ଛବିରେ ନାରୀମାନେ ଅଛନ୍ତି , ଛବିରୁ ସ୍ପଷ୍ଟ ଭାବରେ ସେମାନଙ୍କର ଉପସ୍ଥିତି ସମସ୍ତଙ୍କୁ ଜଣାପଡୁଛି । ମାତ୍ର ସେମାନେ ସମସ୍ତେ ଗୋପନରେ ଅଛନ୍ତି । ଛବିରେ ସେମାନଙ୍କର ଅବସ୍ଥାନଟି ଆଢୁଆଳରେ ରହିଛି । ସେମାନଙ୍କୁ ଏହି ସବୁ ଛବିରେ ଲୁଚାଇଦିଆଯାଇଥିବା କଥା ସେମିତି ସ୍ପଷ୍ଟ ଭାବରେ ବି ସମସ୍ତଙ୍କୁ ଦିଶୁଛି ।

ଛବିରେ ନାରୀମାନେ ଅଛନ୍ତି, ଦୃଶ୍ୟ ଅଥଚ ଗୋପନ । ଆଉ ସେମାନେ ସମସ୍ତେ ହେଉଛନ୍ତି ମାଆ, ଆଢୁଆଳରେ ରହିଥିବା ମାଆ ।

ତାହାହେଲେ ଏଇଠି ଏହି ଆଢୁଆଳରେ ଥିବା ନାରୀମାନେ ତଥା ମାଆମାନେ ଏମିତି ରହିଛନ୍ତି କାହିଁକି ? ଏହିପରି ସେମାନଙ୍କର ମୁହଁ ଦିଶୁ ନଥିବା ଏମିତି ଫଟୋଗ୍ରାଫମାନ ଉଠାଯାଇଛି କାହିଁକି ?

ଏହି ମାଆମାନଙ୍କୁ ଏହି ସବୁ ଛବିରେ ଆଢୁଆଳ କରି ରଖାଯିବା ପଛରେ ଗୋଟିଏ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ରହିଥିଲା। ଆଗରୁ ଉଲ୍ଲେଖ ଅଛି ଯେ ଏଇ ସମସ୍ତ ହେଉଛି ଭିକ୍ଟୋରିଆ-କାଳୀନ ତଥା ଊନବିଂଶ ଶତାବ୍ଦୀର ଶେଷ ଭାଗରେ ଇଂଲଣ୍ଡରେ ଉତ୍ତୋଳନ କରାଯାଇଥିବା ଛବି । ସେ ସମୟରେ କ୍ୟାମେରାରେ ଗୋଟିଏ ଫଟୋ ଉଠାଇବା ବେଳେ ଫଟୋ ଉଠାଇବାର ପ୍ରସ୍ତୁତି ହିସାବରେ ଅନେକ ସମୟ ଲାଗୁଥିଲା ଏବଂ ଯାହାର ଫଟୋ ଉଠାଯାଉଛି ତାହାକୁ ସେତିକି ସମୟ ନିଶ୍ଚଳ ଭାବରେ କ୍ୟାମେରା ସାମ୍ନାରେ ବସିରହିବାକୁ ପଡୁଥିଲା । ସେ ଦୃଷ୍ଟିରୁ ପ୍ରାକୃତିକ ଦୃଶ୍ୟାବଳିର ଫଟୋ ଉଠାଇବାରେ କୌଣସି ଅସୁବିଧା ନଥିଲା । ସେହିଭଳି ପ୍ରାପ୍ତ ବୟସ୍କମାନେ କ୍ୟାମେରା ସାମ୍ନାରେ ସେହି ଅସହଜ ସମୟକୁ ପ୍ରାୟତଃ ଅତିକ୍ରମ କରିପାରୁଥିଲେ । କିନ୍ତୁ ଶିଶୁମାନଙ୍କ କ୍ଷେତ୍ରରେ କ୍ୟାମେରା ସାମ୍ନାରେ ଏତେ ସମୟ ଫଟୋ ଉଠାଇବା ପାଇଁ ଧୀରସ୍ଥିର ଭାବରେ ବସି ରହିବା ନିହାତି କଷ୍ଟକର ଥିଲା । ସେଇଥିପାଇଁ ଯେତେବେଳେ କେହି ନିଜର ଶିଶୁମାନଙ୍କର ଏକେଲା ଫଟୋ ଉଠାଇବାକୁ ଚାହୁଁଥିଲେ ସେତେବେଳେ କ୍ୟାମେରା ସାମ୍ନାରେ ନିଜର ଶିଶୁପୁତ୍ର ବା ଶିଶୁକନ୍ୟାଙ୍କୁ ଯେମିତି ସେମାନେ ଟିକିଏ ବୋଲି ହଲଚଲ ନହୁଅନ୍ତି ସେହି କଥାକୁ ନିଶ୍ଚିତ କରିବା ପାଇଁ ସେମାନଙ୍କୁ ନିଜ କୋଳରେ ଧରି ବସୁଥିଲେ ସେମାନଙ୍କର ମାଆମାନେ ଆଉ ସେତେବେଳେ ମାଆର ଦେହ ଠାରୁ ମୁଣ୍ଡ ସବୁ ରହିଥିଲା କୌଣସି ଚାଦର ର ଆଢୁଆଳରେ । ମାଆର କୋଳରେ ଶିଶୁଟି ଅତି ସହଜରେ ବସିରହୁଥିଲା ଏବଂ ଫଟୋ ଉତ୍ତୋଳନ କାର୍ଯ୍ୟଟି ସଫଳତାର ସମାପନ କରାଯାଇପାରୁଥିଲା । ଠିକ୍ ସେଇଭଳି ହସହସ ମୁହଁରେ ଅସହାୟ ପିତାଜଣକ ତାହାର ସନ୍ତାନର ପ୍ରଥମ ଚୁଟିକଟା ବେଳରେ ତାହାର ଶୈଶବର ମଥାଟି ଯେମିତି କ୍ଷୌରକର୍ମ ନିମନ୍ତେ ସ୍ଥିର ରହିବ ସେଇକଥାର ସହାୟକ ସାଜିଥାଏ ।

ମାଆର ଆଢୁଆଳରେ ନାରୀଟିଏ ରହିଯିବା ଭଳି ସତକୁ ଆମର ମନେ ରଖିବା ଉଚିତ । ଠିକ୍ ସେମିତି ମାଆ ଜଣକ ସବୁବେଳେ ଆଢୁଆଳରେ ରହି ନିଜ ସନ୍ତାନର ବାହ୍ୟ ପୃଥିବୀ ପାଇଁ ଏକ ଉତ୍କୃଷ୍ଟ ପରିଦୃଶ୍ୟ ପ୍ରତିସ୍ଥାପନ କରିବା ବି ଅନ୍ୟତମ ସତ୍ୟ ।

କାଳର ସାମ୍ନାରେ ଆମର ଅସହଜ ପଣକୁ ସମ୍ଭାଳି ଧୀରସ୍ଥିର ଭାବରେ ଆମକୁ ଚିରକାଳ ତାହାର କୋଳରେ ଧରି ରଖିଥିବା ମାଆଟି ପାର୍ଥିବ ହେଉ କି ଅପାର୍ଥିବ, ସେଇ ବିଶ୍ୱାସ ଆମ ପାଇଁ ଅତ୍ୟନ୍ତ ଆନନ୍ଦର କଥା।

ଆଢୁଆଳ ଆଉ ଆଢୁଆଳକୁ ବାଦ୍ ଦେଲେ ସବୁ ମାଆର କଥା ତ ଏତିକି ।

Leave A Reply

Your email address will not be published.