Latest Odisha News

BREAKING NEWS

ବ୍ୟଙ୍ଗ : ଷଣ୍ଢଙ୍କ ରାକ୍ଷୀ ଚିନ୍ତା

ଆଜି ଆମ ଏରିଆର ଷଣ୍ଢ ମାନଙ୍କ ଏକ ମିଟିଂ ବସିଥିଲା । ବୁଲା ଫାଙ୍କାରେ ବୁଲୁଥିବା ଷଣ୍ଢ ମାନଙ୍କ ଚିନ୍ତାର କାରଣ ହେଲା ଆସନ୍ତା ରାକ୍ଷୀ ପୁନେଇଁ । ଷଣ୍ଢଙ୍କ ସର୍ଦ୍ଦାର କହିଲା ଆମେ ହେଲୁ ଜାତିରେ ଷଣ୍ଢ । ନା ଆମର ଅଛି ପରିବାର ଚିନ୍ତା ନା ସଂସାର ଚିନ୍ତା । ସାରା ପୃଥିବୀଟା ଆମ ପାଇଁ ଗାଈମୟ । ସମ୍ପର୍କ ଭିତରେ ବାନ୍ଧି ନହେବା ପାଇଁ ଆମେ ଷଣ୍ଢ ଜନ୍ମ ପାଇଛୁ । କିନ୍ତୁ ଗତ ରକ୍ଷୀ ପୂର୍ଣ୍ଣିମାରେ ଗାଈ ମାନେ ଯେଉଁ ଉତ୍ପାତ କଲେ ସେ ବିଷୟରେ ଆଉ ଅଧିକ କହି ଆପଣ ମାନଙ୍କ ବହୁ ମୂଲ୍ୟ ସମୟ ନଷ୍ଟ କରିବିନି । କେବଳ ଏତିକି କହିବି ରାକ୍ଷୀ ପୂର୍ଣିମାକୁ ଆଉ ଦୁଇ ତିନି ଦିନ ବାକି ରହିଲା । ତା ପୂର୍ବରୁ ଆମକୁ କିଛି କରିବାକୁ ପଡିବ । ନଚେତ ମୋ ଭଳି ଅବସ୍ଥା ସମସ୍ତଙ୍କର ହେବ ।

ଗତବର୍ଷ କେବଳ ମୋ ହାତରେ ଅଧ ସେଞ୍ଚୁରିରୁ ଅଧିକ ରାକ୍ଷୀ ବନ୍ଧା ହୋଇଥିଲା । ମୋ ଜାଣିବାରେ ଆମ ଏରିଆରେ ଏତେ ଗାଈ ନାହାଁନ୍ତି ଯେତିକି ସେ ଦିନ ମୋ ହାତରେ ରାକ୍ଷୀ ବନ୍ଧା ହୋଇଥିଲା । ଖାସ ସେଇଥିପାଇଁ, ବର୍ଷେ ହେଲାଣି ମୁଁ କିଭଳି ବ୍ରହ୍ମଚର୍ଯ୍ୟ ପାଳନ କରି ଜୀବନ ବିତଉଛି ତାହା କେବଳ ମୁଁ ଜାଣେ । ଯୁଆଡେ ଦେଖ ସିଆଡେ ମୋତେ ଖାଲି ଭଉଣୀ ଭଉଣୀ ନଜର ଆସୁଛନ୍ତି । କଣ ଏଇଥିପାଇଁ ଷଣ୍ଢ ଜନମ ପାଇଥିଲି ? ଧିକ ମୋ ଷଣ୍ଢ ପଣିଆକୁ ।

ଆଉ ଗୋଟେ ବୟସ୍କ ଷଣ୍ଢ କହିଲା ଆମେ ଅହେତୁକ ପୌରୁଷ ପଣିଆ ଦେଖେଇବାକୁ ଯାଇ ରାସ୍ତା ଘାଟ, ଦିନ ରାତି କିଛି ମାନୁନୁ । ଆମକୁ ଟିକେ ସଂଯମ ରକ୍ଷା କରିବା ଉଚିତ । ଆମେ ନିଜର ବଳ କଷା କଷି ପାଇଁ ବିଚ ରାସ୍ତା ମଝିରେ ଘଣ୍ଟା ଘଣ୍ଟା ଧରି ଲଢ଼େଇ କରି ଯେତିକି ସମୟ ନଷ୍ଟ କରୁଛୁ ତାକୁ ଗାଈଙ୍କ ସୁରକ୍ଷା ପାଇଁ ଖର୍ଚ୍ଚ କଲେ ସେମାନେ ମଧ୍ୟ ଆମ ପ୍ରତି କୃତଜ୍ଞ ରୁହନ୍ତେ । ସହଜେ ଏବେ କରୋନା ଯୋଗୁଁ ଗୋ ପାଳକଙ୍କ ଅବସ୍ଥା ଅସମ୍ଭାଳ । ଗୁହାଳରେ ବାନ୍ଧି ଖାଇବାକୁ ଦେବାକୁ ସେମାନଙ୍କ ପାଖରେ ଆଉ ଧନ ନାହିଁ । ସକାଳୁ ଗାଈମାନଙ୍କୁ ବାହାରେ ଛାଡି ଦେଉଛନ୍ତି । ଉପରେ ପୁଣି ଆମ ଭୟରେ ଗାଈମାନେ ପରିବା ମାର୍କେଟ, ମନ୍ଦିର କି ଘାସ ପଡିଆ ପାଖ ମାଡୁନାହାନ୍ତି । ରାସ୍ତାଯାକ ବୁଲି ବୁଲି ଛିଣ୍ଡା ଜରି, ପୁରୁଣା ଔଷଧ, ଘର ଅଇଁଠା ଖାଇ ସେମାନଙ୍କ ଡ଼ଉଲ ଡାଉଲ ଚେହେରା ହାଡୁଆ ଦେଖା ଗଲାଣି। ଫି ବରଷ ସେମାନେ ଗର୍ଭବତୀ ହେବା ଦ୍ୱାରା ଭରି ଯବାନୀରେ ଵି ବୁଢ଼ୀ ଭଳି ଦେଖାଯାଉଛନ୍ତି । ଆମର ସେଥିପ୍ରତି ନିଘା ନାହିଁ ।

କିଛି ଯୁବ ଷଣ୍ଢ ଯେଉଁଠି ଯେତେବେଳେ ଯାହାକୁ ପାଇଲେ…. ଛିଃ …। ଆମ ବେଳେ କିନ୍ତୁ ଆମେ ଏତେ ଉତ୍ପାତିଆ ହେଉନଥିଲୁ । ଆମ ସମୟରେ ଏ ଏରିଆର ଗାଈମାନଙ୍କ ସୁନ୍ଦରତା ଯୋଗୁଁ ଆଖ ପାଖ ଏରିଆର ଷଣ୍ଢ ଆମ ସୀମା ସରହଦ ଭିତରକୁ ଲୁଚି ଛପି ଆସୁଥିଲେ । ଆଜି ଯଦି ଅତିଷ୍ଠ ଗାଈମାନେ ଆମକୁ ରାକ୍ଷୀ ବାନ୍ଧିବାକୁ ଯୋଜନା କରୁଛନ୍ତି ସେଥିପାଇଁ କେବଳ ଆମ ଭିତରେ ଥିବା କିଛି ଉତ୍ସୃଙ୍ଖଳ ଯୁବ ଷଣ୍ଢ ମାନେହିଁ ଦାୟୀ ।

ସର୍ଦ୍ଦାର କହିଲା ଦାଦା ସବୁ ଠିକ ଯେ ହେଲେ ଏବେ କରାଯିବ କଣ ? ସ୍କୁଲ ପାଖରେ ବୁଲି ବୁଲି ପିଲାଙ୍କ ଅଲକ୍ଷ୍ୟରେ ସେମାନଙ୍କ ବହି ଖାତା ଖାଇ ନିଜକୁ ବୁଦ୍ଧିଆ ବୋଲାଉ ଥିବା ଷଣ୍ଢ କହିଲା ଆମେ ଯଦି ରାକ୍ଷୀ ପୂର୍ଣ୍ଣିମା ଦିନ କୁଆଡେ ଅଦୃଶ୍ୟ ହୋଇଯାଅନ୍ତୁ ତେବେ ଗୋଟେ ଚିନ୍ତା ଯାଆନ୍ତା । କିନ୍ତୁ ପ୍ରଶ୍ନ ହେଲା ଅଦୃଶ୍ୟ ହେବେ କେମିତି !

ଜଣେ କହିଲା ଚାଲ ଆମେ ମୁନିସିପାଲିଟି ବାଲାଙ୍କୁ କହିବା ସେମାନେ ଯେମିତି ଆମକୁ ଦଶହରା ପୂର୍ବରୁ ନେଇ ସହରଠୁ କୋଡିଏ ତିରିଶ କିଲୋମିଟର ଦୂରରେ ଛାଡି ଦିଅନ୍ତି ଓ ଆମେ ସେଠୁ ଚାଲି ଚାଲି ପୁଣି ସହରରେ ପହଁଚିଲା ବେଳକୁ ଦଶହରା ସରିଯଇଥାଏ ସେମିତି ଆମକୁ ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ନେଇ ଦୂରରେ ଛାଡ଼ିଦେବେ ଆମେ ସେଠାରୁ ଫେରୁ ଫେରୁ ରାକ୍ଷୀ ପୂର୍ଣ୍ଣିମା ସରିଯାଇଥିବ । ସମସ୍ତଙ୍କ ମନକୁ କଥାଟା ପାଇଲା । ଜଣେ ଷଣ୍ଢ ମୁନିସିପାଲିଟି ବାଲାଙ୍କୁ ଫୋନ କରି କହିଲା ଆଜ୍ଞା ଆମକୁ ଦଶହରା ସମୟରେ ଯେମିତି ଧରି ସହର ବାହାରେ ଛାଡି ଦିଅନ୍ତି ସେମିତି ଏବେ ଆମକୁ ନେଇଯାଆନ୍ତୁ । ସେପଟୁ ମୁନିସିପାଲିଟି ଅଧିକାରୀ କହିଲେ ସେମିତି କେମିତି ହେବ? ଆମ ବଜେଟରେ କେବଳ ଦଶହରା ପୂର୍ବରୁ ରାସ୍ତା, ଷ୍ଟ୍ରିଟ ଲାଇଟ ମରାମତି ଓ ଷଣ୍ଢ ଧରିବା ପାଇଁ ଟଙ୍କା ଅଛି ଏ ଅବେଳରେ ଷଣ୍ଢ ଧରିବା ପାଇଁ ଆମ ବଜେଟରେ ଫଣ୍ଡ ନାହିଁ । ତୁମେ ଏବେ ଆରାମରେ ବୁଲା ବୁଲି କର ଦଶହରା ପୂର୍ବରୁ ଦେଖିବା କହି ଫୋନ ରଖିଦେଲା ।

କିଛି ସମୟ ପରେ ଆଉ ଗୋଟେ ଷଣ୍ଢ ଫୋନ କଲା, ଆଜ୍ଞା ମୁଁ ବହୁତ ମାରଣା ଷଣ୍ଢ ବୋଲି ଏ ଏରିଆର ଖ୍ୟାତି ଅଛି । ଆଜି ସକାଳୁ ଜଣଙ୍କୁ ମୋ ମୂନିଆ ଶିଙ୍ଘରେ ଭୂଷି ଅଧା ମରା କରିଛି ତେଣୁ ମୋତେ ଶୀଘ୍ର ଧରି କାଞ୍ଜିଆହୁଦାରେ ଛାଡି ଦିଆଯାଉ । ସେପଟୁ ଅଧିକାରୀ କହିଲେ , ଏଥିରେ ତୁମର କଣ ଭୁଲ ରହିଲା । ସେ ଲୋକଟା କଣ ଅନ୍ଧ? ଜାଣି ଶୁଣି ମାରଣା ଷଣ୍ଢ ପାଖକୁ କାହିଁକି ଯାଉଥିଲା ? ଏମିତିରେ କେଉଁ ନିୟମ ଅଛି ତୁମକୁ ନେଇ ଜେଲରେ ରଖିବା ପାଇଁ ? ବରଂ ସେ ଲୋକ ଯଦି ଆହତ ହୋଇଛି ତାଙ୍କ ପାଇଁ ଆମର କ୍ଷତି ପୂରଣ ବ୍ୟବସ୍ଥା ଅଛି । ଆମେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଫଣ୍ଡରୁ କ୍ଷତି ପୂରଣ ଦେବା ବ୍ୟବସ୍ଥା କରିଦେବୁ ।

ସବୁ ପ୍ରକାର ବାହାନା ଫେଲ ହେବା ପରେ ଶେଷରେ ବୁଦ୍ଧିଆ ଷଣ୍ଢ ଫୋନ କଲା , ଆଜ୍ଞା ଦୁଇ ଦିନ ହେଲାଣି ମୋର ତରଳ ଝାଡା ସାଙ୍ଗକୁ ଦେହରେ ଭୀଷଣ ଜର । ପ୍ରବଳ ଥଣ୍ଡାରୁ ନାକରୁ ଫେଣ ବାହାରୁଛି । ନିଃଶ୍ୱାସ ନେବାରେ କଷ୍ଟ ହେଉଛି । ଲାଗୁଛି ମୋତେ କରୋନା ହେଇଛି । ଶୀଘ୍ର ମୋତେ କ୍ୱାରେଣ୍ଟଇନ ସେଣ୍ଟରକୁ ନିଆଯାଉ । ଘଣ୍ଟାଏ ହେଇଛି କି ନାହିଁ ଦୁଇଟା ବଡ଼ ଡାଲା ବାଲା ଟ୍ରାକଟର୍ ଧରି ମୁନିସିପାଲିଟିର ଜନସ୍ୱାସ୍ଥ୍ୟବାଲା ପହଁଚିଲେ ।

ଷଣ୍ଢକୁ ସସମ୍ମାନେ ଗାଡ଼ିରେ ଚଢେଇ ପଚାରିଲେ ତୁମେ ଆଉ କାହା କାହା ସହ ଏଇ ଦିନେ ଦୁଇଦିନ ଭିତରେ ମିଶିଛ ? କଣ୍ଟାକ୍ତ ଟ୍ରେସିଂ ପାଇଁ ସେ ସମସ୍ତଙ୍କ କରୋନା ଟେଷ୍ଟ ହେବ । ଷଣ୍ଢ ବାକି ଅନ୍ୟ ସବୁ ଷଣ୍ଢମାନଙ୍କ ଆଡ଼କୁ ଅନେଇ କହିଲା, ଆଜ୍ଞା ଆମେ ସମସ୍ତେ ଆଜି ଏକ ଜରୁରୀ ମିଟିଂ ପାଇଁ ଏଇଠି ଏକାଠି ହେଇଥିଲୁ । ତା ପାଟିରୁ କଥା ସରିଛି କି ନାହିଁ ବାକି ସବୁ ଷଣ୍ଢ ଠେଲା ପେଲା ହେଇ ଟ୍ରାକ୍ଟର ଡାଲାରେ ଚଢିଗଲେ ।କ୍ୱାରେଣ୍ଟଇନ ସେଣ୍ଟରରେ ପହଞ୍ଚିଲା ପରେ ସମସ୍ତଙ୍କ ଆରଟିପିସିଆର ଟେଷ୍ଟ ପାଇଁ ସାମ୍ପୁଲ ନିଆଗଲା । ଯେ ପର୍ଯ୍ୟନ୍ତ ଟେଷ୍ଟ ରିପୋର୍ଟ ନ ଆସିଛି ସେ ପର୍ଯ୍ୟନ୍ତ ସରକାରୀ ଅତିଥି ଭାବେ ସେମାନଙ୍କ ଖାଇବା ପିଇବା ବ୍ୟବସ୍ଥା କରାଗଲା । ବାହାରୁ ଯେମିତି କେହି ଆସି ଭେଟି ପାରିବେ ନାହିଁ କି ସେମାନେ ବାହାରକୁ ଯାଇପାରିବ ନାହିଁ ସେଥିପାଇଁ ଗେଟ ବାହାରେ ପହରା ବ୍ୟବସ୍ଥା କରାଗଲା । ମଳୁ ଖୋଜୁଥିଲା ଯାହା ବଇଦ ଦେଲା ତାହା । ତିନି ଦିନ ପରେ ଅର୍ଥାତ ରାକ୍ଷୀ ପୂର୍ଣ୍ଣିମା ପରଦିନ ସମସ୍ତଙ୍କ କୋଭିଡ ରିପୋର୍ଟ ନେଗେଟିଭ ଆସିଲା । ସମସ୍ତେ ଖୁସି ଖୁସି ନିଜ ନିଜ ଏରିଆକୁ ଫେରିଲେ । ଏପଟେ ସବୁ ଗାଈମାନେ ଏଯାଏଁ ସେ ବୁଦ୍ଧିଆ ଷଣ୍ଢକୁ ଖୋଜୁଛନ୍ତି ଯିଏ ଏପରି ଏକ ସୂକ୍ଷ୍ମ ବୁଦ୍ଧି ଏମାନଙ୍କୁ ଦେଲା ।

ବନମାଳୀ ଭବନ
ଖାନନଗର, କଟକ
୯୪୩୭୦୧୦୭୫୮

Leave A Reply

Your email address will not be published.