ବ୍ୟଙ୍ଗ : ସତ କହିବାକୁ କିଆଁ ଡରିବୁ ସତ କହି ପଛେ ମଲେ ମରିବୁ

ଓଁ ଅଭିଜ୍ଞାନ ସାହୁ 

ଆଗରୁ ବହୁଳ ହ୍ଵାଟ୍ସଆପ ଏବଂ ଫେସବୁକର ବ୍ୟବହାର ଯୋଗୁଁ ଘରେ ମନେ ମନେ ସନ୍ଦେହ କରୁଥିଲେ ଏବେ କଣେଇ କଣେଇ ଚାହିଁଲେଣି । ବିଶେଷ କରି ହ୍ଵାଟ୍ସଆପରେ ବିଳମ୍ବିତ ରାତ୍ରି ଓ ଭୋର ସମୟରେ ଯେଉଁ ସବୁ ସୁନ୍ଦରିଆ ଗୁଡ଼ନାଇଟ୍ ଓ ଗୁଡ଼ମର୍ନିଙ୍ଗ ଫୋଟୋ ଆସୁଛି ତାକୁ ଦେଖି ଘରେ ସନ୍ଦେହ ଜାତ ହେବା ସ୍ୱାଭାବିକ । ଭଲ ପିଲାଗୁଡା ବିଗିଡିଯାଉଛନ୍ତି । ଆମେ କି ଛାର !ଗତ କିଛି ଦିନ ତଳେ ଗୋଟିଏ ଦୁର୍ଘଟଣା ଆମ୍ଭ ସହିତ ଘଟିଛି ।

ସକାଳୁ ଉଠି ଗୋଟିଏ ହ୍ଵାଟ୍ସଆପ ଗ୍ରୁପ ଖୋଲିଲା ବେଳକୁ ଦେଖିଲୁ ଜଣେ ଭଦ୍ରମହିଳା ଫୁଲ ତୋଡାଟିଏ ଧରି ଗୁଡ଼ ମର୍ନିଙ୍ଗ କହୁଛନ୍ତି । ସୁନ୍ଦର ତୃପ୍ତିର ଅବସାଦ ନାହିଁ ଯେତେ ଦେଖୁଥିଲେ ନୂଆ ଦିଶୁଥାଇ । ଅନେକ ସମୟ ଧରି ନିରିଖେଇ ନିରିଖେଇ ଦେଖୁଥିଲା ବେଳେ ଆମ ଅଲକ୍ଷରେ କେତେବେଳେ ଯେ ପତ୍ନୀ ମହୋଦୟା ପଛରୁ ଆମ ଉପରେ ଦୃଷ୍ଟି ପକେଇଛନ୍ତି ଆମେ ସେ ବିଷୟରେ ସମ୍ପୂର୍ଣ ଅଜ୍ଞ । ହଠାତ ତାଙ୍କୁ ଦେଖି ମୋର କପି କରୁଥିବା ଛୁଆକୁ ସାର୍ ଧରିବା ଭଳି ଅବସ୍ଥା । ଅତ୍ୟନ୍ତ ନିରୀହ ସ୍ୱରରେ ପାଟିରୁ ବାହାରି ପଡ଼ିଲା , “ବିଦ୍ୱାନମାନେ କହିଛନ୍ତି ସକାଳୁ ଭଲ ସୁନ୍ଦରିଆ ଜିନିଷ ଦେଖିଲେ ଦିନଟି ଭଲରେ କଟିବ । ”

“ଆଉ ସକାଳୁ ମୋ ମୁହଁ ଚାହିଁଲେ ? ” — ପତ୍ନୀ ପଚାରିଲେ ।

ବେଳେ ବେଳେ ଘର ବୁଦ୍ଧିମତୀମାନେ ଏପରି ପ୍ରଶ୍ନ ପଚାରିବେ ଯେ ଉତ୍ତର ଦେଲେ ମରିବ ନ ଦେଲେ ମରିବ ।

ସ୍କୁଲରେ ସବୁଦିନ ‘ଆହେ ଦୟାମୟ ବିଶ୍ଵବିହାରୀ………. ସତ କହିବାକୁ କିଆଁ ଡରିବୁ ସତ କହି ପଛେ ମଲେ ମରିବୁ’ ପାର୍ଥନା ବୋଲୁଥିଲୁ ।ପାର୍ଥନା ସରିବା ପରେ ସାର ଆମକୁ ସର୍ବଦା ସତ କହିବାକୁ ଶପଥ କରାଉଥିଲେ । ଆଜିକାଲି କିନ୍ତୁ କାହିଁକି କେଜାଣି ନିଜ ଘରେ ‘ସତ’ କହିବାକୁ ସାହସ ଜୁଟେଇପାରୁନି । ବଡ଼ ହେଲାପରେ ବୋଧେ ମରିବାକୁ ଡର ଲାଗୁଛି ।

ବନମାଳୀ ଭବନ , ଖାନ୍ ନଗର
କଟକ