Latest Odisha News

BREAKING NEWS

୬ ମାସ ଭିତରେ କାର୍ଯ୍ୟକାରୀ ହେବ ଓଡ଼ିଶା ସିଟି ଗ୍ୟାସ୍ ବିତରଣ ନୀତି

ଭୁବନେଶ୍ୱର: ଭୁବନେଶ୍ବର ସହରାଞ୍ଚଳରେ ଗ୍ୟାସ୍ ବିତରଣ ପ୍ରକଳ୍ପଗୁଡ଼ିକୁ ତ୍ବରାନ୍ବିତ କରିବାକୁ ସରକାର ଅଣ୍ଟା ଭିଡ଼ିଛନ୍ତି। ଏଥିପାଇଁ ସିଟି ଗ୍ୟାସ୍ ବିତରଣ ନୀତିକୁ କ୍ୟାବିନେଟ୍ ମଞ୍ଜୁରି ମିଳିଛି। ଏହି ନୀତି ଦ୍ବାରା ରାଜ୍ୟରେ ପାଇପ୍‌ଡ୍‌ ନାଚୁରାଲ୍ ଗ୍ୟାସ୍ (ପିଏନ୍‌ଜି) ଓ କମ୍ପ୍ରେସ୍‌ଡ ନାଚୁରାଲ୍ ଗ୍ୟାସ୍ (ସିଏନ୍‌ଜି) ଭିତ୍ତିଭୂମିର ସମ୍ପ୍ରସାରଣ ତ୍ବରାନ୍ବିତ ହେବ। ସିଟି ଗ୍ୟାସ୍ ବିତରଣ ପ୍ରକଳ୍ପଗୁଡ଼ିକ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହୋଇପାରିବ।

୬ ମାସ ଭିତରେ କାର୍ଯ୍ୟକାରୀ ହେବ ଓଡ଼ିଶା ସିଟି ଗ୍ୟାସ୍ ବିତରଣ ନୀତି। ଏନେଇ ସୂଚନା ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। କାଲି କ୍ୟାବିନେଟ ମଞ୍ଜୁରୀ ପରେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଲକ୍ଷ୍ୟ ରଖାଯାଇଛି ଯେ ୬ ମାସ ଭିତରେ ସିଟି ଗ୍ୟାସ୍ ବିତରଣ ନୀତି କାର୍ଯ୍ୟକାରୀ ହେବ। ସହରରେ PNG, CNG ବ୍ୟବସ୍ଥା ହେବ। CNG ଗାଡ଼ିକୁ ପ୍ରୋତ୍ସାହନ ମିଳିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ।

ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ୩୯ତମ କ୍ୟାବିନେଟ୍ ବୈଠକରେ ୮ଟି ବିଭାଗର ୮ଟି ପ୍ରସ୍ତାବ ପାରିତ ହୋଇଥିଲା। ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କ୍ୟାବିନେଟ୍ ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ପୂର୍ବରୁ ସିଟି ଗ୍ୟାସ୍ ବିତରଣ ପ୍ରକଳ୍ପଗୁଡ଼ିକ ଅହେତୁକ ବିଳମ୍ବ ହେଉଥିଲା। ବିଭିନ୍ନ ସଂସ୍ଥାଠାରୁ ଅନୁମତି ପାଇବାରେ ବିଳମ୍ବ ଏବଂ ଏକ ସମନ୍ବିତ ନୀତିର ଅଭାବ ହିଁ ପ୍ରକଳ୍ପ କାର୍ଯ୍ୟକାରିତାରେ ବାଧକ ଥିଲା। ନୂଆ ନୀତି ଏହି ପ୍ରକ୍ରିୟାକୁ ସରଳୀକୃତ କରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ନୂଆ ନୀତି ଦ୍ବାରା ବିଭିନ୍ନ ବିଭାଗୀୟ ଅନୁମତି ପ୍ରକ୍ରିୟା ସହଜ ହେବ ଏବଂ ସ୍ବଚ୍ଛ ଜାଳେଣି ବ୍ୟବହାରକୁ ପ୍ରୋତ୍ସାହିତ କରାଯିବ। ପ୍ରକଳ୍ପ ସମ୍ପତ୍ତିର ଠିକ୍ ପରିଚାଳନା ମାଧ୍ୟମରେ ନିରାପଦ ଓ ନିରନ୍ତର ଗ୍ୟାସ୍ ଯୋଗାଣ ନିଶ୍ଚିତ ହୋଇପାରିବ।

ସ୍ବଚ୍ଛ ଭାରତ ମିସନ୍ ଅନ୍ତର୍ଗତ କମ୍ପ୍ରେସ୍‌ଡ ବାୟୋଗ୍ୟାସ୍ ପ୍ଲାଣ୍ଟ୍ ପ୍ରତିଷ୍ଠା ପାଇଁ ଆବଶ୍ୟକ ସମନ୍ବୟ ରକ୍ଷା କରାଯାଇପାରିବ। ଗୃହ ଓ ନଗର ଉନ୍ନୟନ ବିଭାଗ ଏହାର ନୋଡାଲ୍‌ ଏଜେନ୍ସି ଭାବେ କାର୍ଯ୍ୟ କରିବ। ଏହାର ସଫଳ ରୂପାୟନ ପାଇଁ ଏକ ରାଜ୍ୟସ୍ତରୀୟ ଅଧିକାରୀ କମିଟି ଓ ଜିଲ୍ଲାସ୍ତରୀୟ ତଦାରଖ କମିଟି ଗଠନ କରାଯିବ। ଏହା ଘରୋଇ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

Leave A Reply

Your email address will not be published.