Latest Odisha News

BREAKING NEWS

କରୋନା ମୁକାବୁଲା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ ଗୁଡ଼ିକ ସମ୍ପର୍କରେ ଜାଣନ୍ତୁ

ଭୁବନେଶ୍ୱର: କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ସୋମବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

BjdElectrycity

ପୂର୍ବରୁ ୫ଟି ଜିଲ୍ଲା ଖୋର୍ଦ୍ଧା, କଟକ, ଗଞ୍ଜାମ, କେନ୍ଦ୍ରାପଡ଼ା ଓ ଅନୁଗୋଳ ସହିତ ୮ଟି ସହର ଯଥା-ପୁରୀ, ରାଉରକେଲା (ରାଉରକେଲା ଇସ୍ପାତ ନଗରୀ ସମେତ), ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ୱର, ଭଦ୍ରକ, ଯାଜପୁର ଟାଉନ୍‌ ଓ ଯାଜପୁର ରୋଡ଼୍‌କୁ ରାଜ୍ୟ ସରକାର ସଂପୂର୍ଣ୍ଣ ଲକ୍ ଡାଉନ ଘୋଷଣା କରିଥିଲେ । ପୁନଶ୍ଚ ଏହାକୁ ପରିବର୍ଦ୍ଧିତ କରାଯାଇ ପୁରୀ, ନୟାଗଡ଼, ଜଗତସିଂହପୁର, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, ସମ୍ବଲପୁର ଏବଂ ଝାରସୁଗୁଡ଼ା ଆଦି ଜିଲ୍ଲାକୁ ୨୪ ମାର୍ଚ୍ଚ ସକାଳ ୭ଟାରୁ ୨୯ ମାର୍ଚ୍ଚ ରାତି ୯ଟା ପର୍ଯ୍ୟନ୍ତ ସଂପୂର୍ଣ୍ଣ ତାଲାବନ୍ଦ ଘୋଷଣା କରିଛନ୍ତି ।

୨୪ ତାରିଖ ପୂର୍ବାହ୍ନ ୧୧ଟା ସମୟରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ଯାତ୍ରୀବାହୀ ବସ୍‌ ଚଳାଚଳ ବନ୍ଦ ରହିବ ।

ସମସ୍ତ ସହରାଞ୍ଚଳରେ ସିଟି ବସ୍‌ ସେବା ୨୩/୦୩/୨୦୨୦ ମଧ୍ୟରାତ୍ରିଠାରୁ ବନ୍ଦ ରହିବ ।

କୌଣସି ପ୍ରକାର ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟର ସମସ୍ତ ୬୭୯୮ଟି ଗ୍ରାମପଞ୍ଚାୟତରେ ସବୁପ୍ରକାର ମୌଳିକ ସୁବିଧା ଥାଇ ୭୨୭୬ଟି ଅସ୍ଥାୟୀ ଚିକିତ୍ସା ଶିବିର ଚିହ୍ନଟ କରାଯାଇଛି ।

ଅସ୍ଥାୟୀ ଚିକିତ୍ସା ଶିବିର ପାଇଁ ଜଣେ ପଦବୀଧାରୀ ଅଧିକାରୀଙ୍କୁ ପ୍ରତି ଗ୍ରାମପଞ୍ଚାୟତ ପାଇଁ ନୋଡାଲ୍‌ ଅଫିସର ଭାବେ ଘୋଷିତ କରାଯାଇଛି ।

ଆବଶ୍ୟକ ସମୟରେ ଖାଦ୍ୟ, ଶଯ୍ୟା, ବେଡ୍‌ସିଟ୍‌ ଆଦି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇଦେବା ପାଇଁ ସେବା ପ୍ରଦାନକାରୀ (ସର୍ଭିସ ପ୍ରୋଭାଇଡର)ଙ୍କୁ ଚିହ୍ନଟ କରାଯାଇଛି ।

ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ ମୌଳିକ ସୁବିଧା ଯଥା-ପାନୀୟ ଜଳ, ଶୌଚାଳୟ, ବିଦ୍ୟୁତ ସଂଯୋଗ ଏବଂ ସମସ୍ତ ପରିମଳ ବ୍ୟବସ୍ଥା ସହ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏଥିପାଇଁ ବିଡ଼ିଓମାନଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ୧୦ ଲକ୍ଷ ଟଙ୍କା ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ୫ ଲକ୍ଷ ଟଙ୍କା ଲେଖାଏଁ ଖର୍ଚ୍ଚ କରିବାକୁ କ୍ଷମତା ପ୍ରଦାନ କରାଯାଇଛି ।

ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାର ସମସ୍ତ ପ୍ରତିନିଧିଙ୍କୁ କୋଭିଡ-୧୯ ସଂର୍ପକରେ ଥିବା ୭ଟି ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଲକଡାଉନ୍‌ ଘୋଷିତ ଅଞ୍ଚଳରେ ଅବସ୍ଥିତ ଏସ୍‌.ଟି., ଏସ୍‌.ସି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ଛାତ୍ରାବାସଗୁଡ଼ିକରେ ମାର୍ଚ୍ଚ ୨୫ ତାରିଖ ସନ୍ଧ୍ୟା ୬ଟା ସୁଦ୍ଧା ସ୍କଲାରସିପ୍‌ ଟଙ୍କା ଅଗ୍ରୀମ ବଣ୍ଟନ କାର୍ଯ୍ୟ ଶେଷ ହେବ ।

୨୫ ମାର୍ଚ୍ଚ ୨୦୨୦ ସନ୍ଧ୍ୟା ୬ଟା ସୁଦ୍ଧା ଅନ୍ତେବାସୀମାନଙ୍କୁ ସେମାନଙ୍କ ପିତାମାତା/ଅଭିଭାବକ/ସେମାନଙ୍କର ପ୍ରତିନିଧିମାନେ ଛାତ୍ରାବାସରୁ ସାଥିରେ ନେଇଯିବେ ।

ପିତାମାତା/ଅଭିଭାବକ/ପ୍ରତିନିଧିମାନେ ଏଥିପାଇଁ ନିଜେ ନିଜେ ବେସରକାରୀ ଗାଡ଼ିର ବନ୍ଦୋବସ୍ତ କରିବେ । ଏଥିପାଇଁ ସେମାନଙ୍କୁ ସଂପୃକ୍ତ ପ୍ରଧାନଶିକ୍ଷକ/ଶିକ୍ଷକମାନେ ଏକ ପ୍ରମାଣପତ୍ର ଦେବେ । ପ୍ରମାଣପତ୍ରରେ ଉକ୍ତ ଯାନଟି ପିଲାମାନଙ୍କୁ ଘରକୁ ନେବା ପାଇଁ ବ୍ୟବହୃତ ହୋଇଛି ବୋଲି ଦର୍ଶା ଯାଇଥିବ, ଫଳରେ ଲକ୍‌ ଡାଉନ୍‌ ସମୟରେ ଯାନବାହନ ଚଳାଚଳ କଟକଣାରୁ ସେହି ଯାନଗୁଡ଼ିକ ମୁକ୍ତ ରହିବ ।

ନିକଟରେ ଉଜ୍‌ବେକିସ୍ତାନରୁ ଫେରିଥିବା ଜଣେ ବ୍ୟକ୍ତି ସରକାରଙ୍କ କୋଭିଡ୍‌-୧୯ କ୍ୱାରାଣ୍ଟାଇନ୍‌ ଗାଇଡ୍‌ଲାଇନ୍‌କୁ ଉଲ୍ଲଂଘନ କରିଥିବା କାରଣରୁ କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷଙ୍କ ବିବରଣୀ ଅନୁଯାୟୀ ଏବଂ ପୁଲିସ୍‌ର ପ୍ରାରମ୍ଭିକ ତଦନ୍ତ ଅନୁସାରେ ସମ୍ବଲପୁରର ଧନୁପାଲି ଥାନାରେ ଏହି ବ୍ୟକ୍ତିଙ୍କ ବିରୁଦ୍ଧରେ ଭାରତୀୟ ପିଙ୍ଗଳ କୋଡ ଧାରା ୧୮୮/୨୭୧ରେ ଏକ ମାମଲା ରୁଜୁ ହୋଇଛି । ସଂପୃକ୍ତ ବ୍ୟକ୍ତିଙ୍କ ପରିଚୟ ଗୋପନ ରଖାଯାଇଛି ।

ଚଳିତ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ଥିବା ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଆସନ୍ତା ଅପ୍ରେଲ ୧ରୁ ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଟେକ୍‌ ହୋମ୍‌ ରାସନ୍‌ ବାବଦରେ ଛତୁଆ, ଲଡ଼ୁ ଆଦି ଶୁଖିଲା ଖାଦ୍ୟ ୬ ମାସରୁ ୩ ବର୍ଷର ଶିଶୁ, ଗର୍ଭବତୀ ଏବଂ ପ୍ରସୂତୀ ମହିଳାମାନଙ୍କୁ ଅଙ୍ଗନବାଡ଼ି କର୍ମୀ/ସହାୟିକାମାନେ ସେମାନଙ୍କ ଘରେ ପହଞ୍ଚାଇବେ ।

ପ୍ରାକ୍‌ ବିଦ୍ୟାଳୟ ଶିଶୁମାନଙ୍କୁ ସକାଳ ଜଳଖିଆ ଏବଂ ମଧ୍ୟାହ୍ନରେ ରନ୍ଧା ଖାଦ୍ୟ ବାବଦକୁ ଶୁଖିଲା ଖାଦ୍ୟ ସେମାନଙ୍କ ଘରେ ପହଞ୍ଚାଇ ଦିଆଯିବ ।

ପ୍ରତ୍ୟେକ ପରିବାରକୁ ସେମାନଙ୍କ ପ୍ରାପ୍ୟ ବାବଦକୁ ଅଣ୍ଡା ପ୍ରତି ସପ୍ତାହରେ ଘରେ ବଣ୍ଟନ କରାଯିବ ।

ଛତୁଆ ପ୍ରସ୍ତୁତକାରୀ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନେ ସାମାଜିକ ଦୁରତ୍ୱ ଏବଂ ପରିଷ୍କାରପରିଚ୍ଛନ୍ନତା ପାଇଁ ଆବଶ୍ୟକୀୟ ପ୍ରୋଟୋକଲ୍‌ ନିଶ୍ଚୟ ପାଳନ କରିବେ ।

ଓଡ଼ିଶାରେ ସଂକ୍ରମଣ ଚିହ୍ନଟ ହୋଇଥିବା ୨ ଜଣଙ୍କ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିିର ଅଛି । ଉଭୟ ହସ୍‌ପିଟାଲ୍‌ରେ ଦିଆ ଯାଉଥିବା ସାଧାରଣ ଖାଦ୍ୟ ଖାଉଛନ୍ତି ।

ମହାମାରୀ ରୋଗ ଆଇନ୍‌-୧୮୯୭ର ଧାରା ୨ ଅନୁସାରେ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ଯେ, ସମସ୍ତ ଅଣ-ଅତ୍ୟାବଶକ, ସରକାରୀ କାର୍ଯ୍ୟାଳୟ, ସାଧାରଣ ଉଦ୍ୟୋଗ, ବ୍ୟାଙ୍କ୍‌ ଓ ବୀମା କାର୍ଯ୍ୟାଳୟ ଆଦି ଶତକଡ଼ା ୧୦ ଭାଗ କର୍ମଚାରୀଙ୍କୁ ନେଇ ଚାଲିବ ।

ଏଥିନିମନ୍ତେ ସମ୍ପୃକ୍ତ କାର୍ଯ୍ୟାଳୟର ମୁଖ୍ୟ ଅଧିକାରୀ କର୍ମଚାରୀଙ୍କ ନାମ ଉଲ୍ଲେଖପୂର୍ବକ ନିର୍ଦ୍ଧାରିତ ଫର୍ମାଟ୍‌ରେ ସେମାନଙ୍କୁ ଯାତାୟତ ନିମନ୍ତେ ଅନୁମତି ଦେବେ । ଭେହିକିଲ୍‌ ପାସ୍‌ ଦିଆଯାଇଥିବା ଅଧିକାରୀ ଓ କର୍ମଚାରୀଙ୍କ ତାଲିକା ମଧ୍ୟ କାର୍ଯ୍ୟାଳୟର ମୁଖ୍ୟ ସ୍ଥାନୀୟ ଥାନାକୁ ଜଣାଇବେ ।

ଜନସାଧାରଣଙ୍କ ସ୍ୱାସ୍ଥ୍ୟର ସୁରକ୍ଷାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହୁଥିବା ବ୍ୟକ୍ତିଙ୍କ ଘର ସମ୍ମୁଖରେ ଏକ ନିର୍ଦ୍ଧାରିତ ଫର୍ମ ପୂରଣ କରି ଲଗାଯିବାକୁ ବିଜ୍ଞପ୍ତି ଜାରି କରିଛନ୍ତି ।

ରାଜ୍ୟ ବାହାରୁ ଆସୁଥିବା ଲୋକମାନେ ଯେପରି ହୋମ କ୍ୱରାଣ୍ଟାଇନ୍‌/ପୃଥକବାସରେ ରହିବେ, ସେଥିପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳମାନଙ୍କୁ କ୍ଷମତା ପ୍ରଦାନ କରାଯାଇଛି ।

ଅତି ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡ଼ିକ ଶତକଡ଼ା ୫୦ ଭାଗ ଷ୍ଟାଫଙ୍କୁ ନେଇ ଚାଲିବ । କେଉଁ କର୍ମଚାରୀ ଓ ଅଧିକାରୀମାନେ କାର୍ଯ୍ୟାଳୟ ଆସିବେ, ତାହା ସମ୍ପୃକ୍ତ ବିଭାଗର ଶାସନ ସଚିବ ନିର୍ଦ୍ଧାରଣ କରିବେ ।

Leave A Reply

Your email address will not be published.