Latest Odisha News

BREAKING NEWS

ଶ୍ରମିକଙ୍କ ପାଇଁ ‘ପରିଶ୍ରମ’ ପୋର୍ଟାଲ, ମିଳୁଛି ୫୨ ସୁବିଧା

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ୫-‘ଟି’ ଉପକ୍ରମରେ PAReSHRAM ପୋର୍ଟାଲରେ ୫୨ଗୋଟି ସେବା ଅନ୍‌ଲାଇନ୍‌ ମାଧ୍ୟମରେ ଯୋଗାଇ ଦିଆଯାଉଛି । ଯାହା ରାଜ୍ୟରେ ବ୍ୟବସାୟ ସରଳୀକରଣ ଦିଗରେ ସହାୟକ ହେବା ସହ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସ୍ୱଚ୍ଛତାର ସହ ସେବା ଯୋଗାଇ ପାରିଛି । ଅଦ୍ୟାବଧି, ଏହି ପୋର୍ଟାଲ ମାଧ୍ୟମରେ ୧୬,୫୦୦ରୁ ଉର୍ଦ୍ଧ୍ୱ ସେବା ପ୍ରଦାନ କରାଯାଇଛି ।

ଜୟଦେବ ଭବନରେ ରାଜ୍ୟ ସରକାରଙ୍କ ଶ୍ରମ ଓ କମର୍ଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ ମେ ୧ ତାରିଖରେ ରାଜ୍ୟସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ଏହି ସମାରୋହକୁ ମୁଖ୍ୟ ଅତିଥି ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ ଉଦ୍‌ଘାଟନ କରିଥିଲେ ।

ଆଜିର ଏହି ସମାରୋହରେ ମନ୍ତ୍ରୀ ଶ୍ରୀ ସିଂହ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ର ନୂତନ ଅନ୍‌ଲାଇନ୍‌ ପୋର୍ଟାଲ nirmanshramik.odisha.gov.in କୁ ଲୋକାର୍ପଣ କରିଥିଲେ । ଏହି ବ୍ୟବସ୍ଥା ଦ୍ୱାରା ନିର୍ମାଣ ଶ୍ରମିକମାନଙ୍କୁ ପଞ୍ଜିକରଣ, ନବୀକରଣ ଓ ସହାୟତା ଆବେଦନ ନିମନ୍ତେ ଏବେ ଆଉ ଶ୍ରମ କାର୍ଯ୍ୟାଳୟ ଯିବାକୁ ପଡ଼ିବ ନାହିଁ ବୋଲି କହିଥିଲେ ମନ୍ତ୍ରୀ ସୁଶାନ୍ତ ସିଂ ।

ଏହି ଅବସରରେ ରାଜ୍ୟ ଶ୍ରମ ନିର୍ଦ୍ଦେଶାଳୟ www.labourdirectorate.odisha.gov.in ଏବଂ କାରଖାନା ଓ ବାଷ୍ପିତ୍ର ନିର୍ଦ୍ଦେଶାଳୟ www.dfb.odisha.gov.in ର ଦୁଇଗୋଟି ୱେବସାଇଟ୍ ମଧ୍ୟ ଲୋକାର୍ପଣ କରାଯାଇଛି ।

ତତ୍‌ ସହିତ ‘ଶ୍ରମ କଲ୍ୟାଣ’ ନାମକ ଏକ ବୁଲେଟିନ୍‌ ମଧ୍ୟ ଉନ୍ମୋଚିତ ହୋଇଥିଲା । ବିଭିନ୍ନ ଶ୍ରମିକମାନଙ୍କୁ ବିଭାଗ ତରଫରୁ ମୁଖ୍ୟ ଅତିଥି ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।

ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ର ଅଧ୍ୟକ୍ଷ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ କହିଥିଲେ ଯେ, ଶ୍ରମିକମାନଙ୍କର ସର୍ବାଙ୍ଗୀନ ବିକାଶ ଓ ବହୁବିଧ କଲ୍ୟାଣ ରାଜ୍ୟ ସରକାରଙ୍କ ପ୍ରାଥମିକତା । ନିର୍ମାଣ ଶ୍ରମିକମାନଙ୍କର କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିବାରେ ଓଡ଼ିଶା ଭାରତରେ ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ ହୋଇଛି ।

ଏହି ସମାରୋହରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଲେ ଯେ, ରାଜ୍ୟ ସରକାର ଶ୍ରମିକମାନଙ୍କର ବହୁବିଧ କଲ୍ୟାଣ ନିମନ୍ତେ ଅଙ୍ଗୀକାରବଦ୍ଧ ଓ ସର୍ବଦା ସେମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି ।

ଶ୍ରମିକମାନଙ୍କ ପାଇଁ ଉତ୍ସର୍ଗୀକୃତ ମନୋଭାବ ନେଇ ଅହରହ କାର୍ଯ୍ୟ କରୁଥିବା ପ୍ରମୁଖ ଶ୍ରମିକ ସଂଗଠନର ୪ଜଣ ଶ୍ରମିକ ନେତାଙ୍କୁ ଏହି କାର୍ଯ୍ୟକ୍ରମରେ ‘ବିଜୁ ଶ୍ରମିକ ବନ୍ଧୁ ସମ୍ମାନ-୨୦୨୨’ରେ ସମ୍ମାନିତ କରାଯାଇଛି ।

Leave A Reply

Your email address will not be published.