Latest Odisha News

BREAKING NEWS

ବ୍ୟାଙ୍କରେ ଟଙ୍କା ଉଠାଣ ପାଇଁ ପହଂଚିଲା ମୃତକ

ପାଟନା: ବିହାରର ରାଜଧାନୀ ପାଟନାର ଏକ ଗାଁରେ ଚକିତର ଘଟଣା ସାମ୍ନାକୁ ଆସିଛି । ଟଙ୍କା ଉଠାଇବାକୁ ଜଣେ ମୃତ ବ୍ୟକ୍ତି ବ୍ୟାଙ୍କରେ ପହଂଚିଥିଲା । ଏପରି ଘଟଣା ବ୍ୟାଙ୍କ କର୍ମଚାରୀଙ୍କ ହୋସ୍ ଉଡାଇଥିଲାବଳେ ଏହା ପଛର କାରଣ ଜାଣିଲେ ଆପଣ ବି ତାଜୁବ ହୋଇଯିବେ ।

ସିଗରିୟାୱାଁ ଗାଁରେ ବାସିନ୍ଦା ମହେଶ ଯାଦବ । ୫୫ ବର୍ଷ ବୟସରେ ରୋଗାକ୍ରାନ୍ତ ସ୍ଥିତିରେ ମଙ୍ଗଳବାର ତାଙ୍କର ମୃତ୍ୟୁ ଘଟିଥିଲା । ଏହାପରେ ଗାଁ ଲୋକେ କାନାରା ବ୍ୟାଙ୍କରେ ଥିବା ମୃତ ମହେଶଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଯାଇଥିଲେ । ହେଲେ ବ୍ୟାଙ୍କର ମ୍ୟାନେଜର ଟଙ୍କା ଦେବାକୁ ସିଧାସଳଖ ମନା କରିଦେଇଥିଲେ ।

ମ୍ୟାନେଜରଙ୍କ ପ୍ରତ୍ୟାଖ୍ୟାନରେ କ୍ରୋଧିତ ହୋଇ ଗାଁ ଲୋକେ ଘଟାଇଥିଲେ ଏକ ଅବିଶ୍ୱସନୀୟ ଘଟଣା । କ୍ରୋଧ ଜର୍ଜରିତ ଅବସ୍ଥାରେ ସମସ୍ତ ଗାଁ ଲୋକେ ମହେଶଙ୍କ ମୃତଦେହକୁ ଧରି ବ୍ୟାଙ୍କରେ ପହଂଚିଥିଲେ । ଯାହାକୁ ଦେଖି ବ୍ୟାଙ୍କ କର୍ମଚାରୀ ବିବ୍ରତ ହୋଇପଡିଥିଲେ । ପ୍ରାୟ ତିନିଘଣ୍ଟା ଧରି ମୃତଦେହ ବ୍ୟାଙ୍କରେ ପଡିରହିଥିଲେ ବି ଗାଁ ଲୋକେ କିନ୍ତୁ ମାନିନଥିଲେ । ଶେଷରେ ବ୍ୟାଙ୍କ ମ୍ୟାନେଜର ନିଜ ହାତରୁ ୧୦ ହଜାର ଟଙ୍କା ଦେବାପରେ ମାମଲା ଶାନ୍ତ ପଡିଥିଲା ।

ଟଙ୍କା ପାଇବା ପରେ ଗାଁ ଲୋକେ ମହେଶଙ୍କ ମୃତଦେହକୁ ଧରି ଅନ୍ତିମ ସଂସ୍କାର ପାଇଁ ଚାଲିଯାଇଥିଲେ । ମିଳିଥିବା ରିପୋର୍ଟ ଅନୁଯାୟୀ ମୃତ ମହେଶ ବିବାହ କରିନଥିଲାବେଳେ ତାଙ୍କର କେହି ନିଜର ବୋଲି ନଥିଲେ । ତାଙ୍କ ଆକାଉଣ୍ଟରେ ୧ ଲକ୍ଷ ୧୮ ହଜାର ଟଙ୍କା ଥିବାବେଳେ କେହି ନୋମିନି ନଥିଲେ । ଏହି କାରଣରୁ ବ୍ୟାଙ୍କ ତାଙ୍କ ଟଙ୍କା ଦେବାକୁ ମନା କରିଥିଲା ।

Leave A Reply

Your email address will not be published.