Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତରେ ପତିତପାବନଙ୍କ ଭଳି ଶ୍ରଦ୍ଧାଳୁମାନଙ୍କ ପାଇଁ ଅନ୍ୟ ମହତ୍ୱପୂର୍ଣ୍ଣ ସ୍ଥାନ ହେଲା “ବାଇଶି ପାହାଚ ” । ସିଂହଦ୍ୱାର ଗୁମୁଟ ଡେଇଁ ବାହାର ବେଢାରେ ପ୍ରବେଶ କରିବାର ପାବଛ ଶ୍ରେଣୀକୁ ବାଇଶି ପାହାଚ କୁହାଯାଏ । ବଡ଼ଦାଣ୍ଡରୁ ପତିତପାବନଙ୍କ ଭଳି “ବାଇଶି ପାହାଚ “ମଧ୍ୟ ଦୃଶ୍ୟ ହୋଇଥାଏ। ନାମରୁ ଅନୁମେୟ ଯେ ଏହା ନିଶ୍ଚିତ ଭାବେ ୨୨ ଗୋଟି ପାବଛ ହୋଇଥିବ । କିନ୍ତୁ ସ୍ଥୁଳତଃ ଏହା ସଂଖ୍ୟା ରେ ଉଣେଇଶ (୧୯)। କିନ୍ତୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମଧ୍ୟ ଲେଖିଲେ “ବାଇଶି ପାବଛ ଗଲି ସୁଖେ, କୈବଲ୍ୟ ପସରା ବେନି ପlଶେ, ଚଣ୍ଡlଳୁ ବ୍ରlହ୍ମଣ ଶୁଦ୍ର ପରିଯନ୍ତେ, କୈବଲ୍ୟ ଭୁଞ୍ଜନ୍ତି ମୁଖେ ମୁଖେ ” । ଶ୍ରୀମନ୍ଦିର ସତ୍ୱଲିପି ଅନୁସାରେ ଶ୍ରୀମନ୍ଦିର ପ୍ଲଟ ନମ୍ବର ୧୫୭ (କ )ରେ ଏହି ବାଇଶି ପାହାଚର ଅବସ୍ଥିତି ଜାହିର କରେ । ବାଇଶି ପାବଛର ବର୍ଣ୍ଣନା କେବଳ କବିମାନେ ନୁହଁନ୍ତି । ଅନେକ ପ୍ରାଚୀନ ଗ୍ରନ୍ଥ ମଧ୍ୟ ଏହାର ଗୁଣ ଗାନ କରିଛନ୍ତି । ଶ୍ରୀମନ୍ଦିର ମଧ୍ୟରେ ମଧ୍ୟ ଏହାର ବିଶେଷତ୍ୱ ଅନେକ, ଏହା ଏକ ଅତି ପବିତ୍ର ସ୍ଥାନ ଭାବରେ ଭକ୍ତମାନଙ୍କ ହୃଦୟରେ ବିରାଜମାନ କରିଥାଏ। କାରଣ ଅତୀତରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ, ଠାକୁର ଶ୍ରୀଚୈତନ୍ୟ, ଧର୍ମଗୁରୁ ନାନକ ପ୍ରଭୃତି ଏହି ପାବଛ ଦେଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଯାଇଥିବାର ପ୍ରମାଣ ମିଳେ। ଏହି ବାଇଶି ପାହାଚ ଦେଇ ରଥଯାତ୍ରା ସମୟରେ ସ୍ୱୟଂ ମହାପ୍ରଭୁ ଓହ୍ଲାଇ ଆସନ୍ତି ବଡ଼ଦାଣ୍ଡକୁ। କେବଳ ରଥଯାତ୍ରା ନୁହେଁ ଅନ୍ୟାନ୍ୟ ଯାନିଯାତ୍ରରେ ମଧ୍ୟ ଶ୍ରୀଜୀଉମାନଙ୍କ ଚଳନ୍ତି ପ୍ରତିମାମାନେ ଏହି ପାବଛ ଶ୍ରେଣୀ ଅତିକ୍ରମ କରି ଯାଇଥାନ୍ତି। ଏଥିରୁ ଜଣାଯାଏ, ଚତୁର୍ଦ୍ଧା ମୂର୍ତ୍ତିଙ୍କ ବ୍ୟତୀତ ଭୁଦେବୀ, ଶ୍ରୀଦେବୀ, ଦୋଳଗୋବିନ୍ଦ । ଅମାବାସ୍ୟା ନାରାୟଣ,ରାମ, କୃଷ୍ଣ ମଦନମୋହନ ନୃସିଂହ, ହନୁମାନ, ଶ୍ରୀରାମ, ଲକ୍ଷ୍ମଣ, ମାଧବ, ବାଡ଼ି ନୃସିଂହ ପଞ୍ଚ ମହାଦେବ ଆଦି ଦେବା ଦେବୀମାନେ ଏହି ପାବଛ ଅତିକ୍ରମ କରିଥାନ୍ତି। ତେଣୁ ଦେଖାଯାଏ ଶ୍ରଦ୍ଧାଳୁମାନେ ନିଜକୁ ପାପମୁକ୍ତ କରିବା ପାଇଁ ଏହି ପାବଛ ଶ୍ରେଣୀରେ ଗଡି ଗଡି ଓହ୍ଲାଇଥାନ୍ତି। ପୂର୍ବରୁ ଏହି ପାବଛ ଉପରେ ମହାପ୍ରସାଦ ବିକ୍ରୟ ହେଉ ଥିବାର ପ୍ରମାଣ ମିଳେ। ପ୍ରସିଦ୍ଧ ଜଣାଣ ଥକାମନ ଚାଲ ଯିବା, ଚକା ନୟନ ଦେଖିବା “ରେ ସାରିଆ ଭିକ ଲେଖିଲେ ବାଇଶି ପାହାଚେ ବିକା, ହେଉଛି କୈବଲ୍ୟ ଚୋଖା “। ଏବେ ତ କୈବଲ୍ୟ ପାଇଁ ସ୍ୱତନ୍ତ୍ର ଭାବେ ଆନନ୍ଦବଜାର ଅଛି ତେଣୁ ଆଉ କୈବଲ୍ୟ ପସରା ଆମେ ବାଇଶି ପାହାଚରେ ଦେଖି ପାରୁ ନାହିଁ । ସେହିପରି ଗବେଷକ ପ୍ରଫେସର ଗୌରୀ କୁମାର ବ୍ରହ୍ମlଙ୍କ ମତରେ ପୂର୍ବରୁ ବାଇଶି ପାହାଚ ନିଶ୍ଚିତ ଭାବେ ଥିଲା କିନ୍ତୁ କିଛି ମରାମତି ଓ ଅନ୍ୟାନ୍ୟ କାରଣ ଯୋଗୁ ଏହାର ପରିବର୍ତନ ହୋଇଥିବାରୁ ବର୍ତ୍ତମାନ ସ୍ୱରୂପରେ ସଂଖ୍ୟା ହ୍ରାସ ପାଇଛି। ଆଗାମୀ ଅଧ୍ୟାୟରେ ଏହି ବାଇଶି ତତ୍ତ୍ୱର ପ୍ରତୀକ ବିଷୟରେ ବିଷଦ ଆଲୋଚନା କରିବା। ବର୍ତ୍ତମାନ ଆରାଧନା ଓ ଭାଗବତ ପଠନ।

ଦେହାତ୍ମଭାବ ପରିହରି
ବ୍ରହ୍ମ ଆନନ୍ଦେ ମୋଦଭରି ।
ଆତ୍ମ ସନ୍ଦେହ ତେଜି ଦୂରେ
ଆନନ୍ଦେ ଭ୍ରମିବ ସଂସାରେ ।
ଦେହ ଇନ୍ଦ୍ରିୟ ଦେବ ପ୍ରାଣ
ପବନ, ଜଳ, ହୁତାଶନ ।
କ୍ଷିତି ଗଗନ ଅହଂକୃତି
ବୁଦ୍ଧି ମନ ମାତ୍ରା ପ୍ରକୃତି ।
ଏ କେହି ଆତ୍ମା ନୋହେ ଜାଣ
ଅନ୍ନ ବିକାର ଏ ପ୍ରମାଣ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.