ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ କୁକୁର ପ୍ରବେଶ ଜନିତ ରୀତିନୀତି ବିଭ୍ରାଟକୁ ଦୂର କରିବା ପାଇଁ ମା କୁତ୍ତାମ ଚଣ୍ଡୀଙ୍କ ପ୍ରତିଷ୍ଠା ଓ ତାନ୍ତ୍ରିକ ତଥା ବୈଷ୍ଣବମାନଙ୍କ ମତଭେଦ କlରଣରୁ ମାଙ୍କ ବିଗ୍ରହ ରତ୍ନସିଂହାସନ ନିକଟରୁ ଯାଇ ଶ୍ରୀକ୍ଷେତ୍ରପାଳ ମହାଦେବଙ୍କ ମନ୍ଦିର ପଛ କାନ୍ଥରେ ସ୍ଥାପନର ସମସ୍ତ ଐତିହାସିକ ପ୍ରମାଣ ଅଛି। ତେଣୁ ଏହାକୁ କେବଳ କିମ୍ବଦନ୍ତୀ ବୋଲି କହିପାରିବିନି। ପ୍ରାବନ୍ଧିକ ତଥା ଶ୍ରୀମନ୍ଦିରର ପୂର୍ବତନ ପ୍ରଶାସକ ମହିମୋହନ ତ୍ରିପାଠୀଙ୍କ ମତରେ ଅଠର ଶହ ଶତାବ୍ଦୀର ଶେଷ ଭାଗରେ ରତ୍ନବେଦୀ ମରାମତି କରାଯାଇଥିଲା। ସେ ସମୟରେ ବୈଷ୍ଣବ ବୈରାଗୀମାନେ ତତ୍କାଳୀନ ମରହଟ୍ଟା ଶାସକଙ୍କୁ ନିବେଦନ କରି ଏହାଙ୍କୁ ରତ୍ନସିଂହାସନ ନିକଟରୁ ନେଇ ମୁକ୍ତିମଣ୍ଡପ ନିକଟରେ ଥିବା କ୍ଷେତ୍ରପାଳ ମନ୍ଦିର ପଛ ପାର୍ଶ୍ଵରେ ସ୍ଥାପନା କରାଇଥିଲେ। ଏହି ଘଟଣାରେ ଦଣ୍ଡୀ ସନ୍ୟାସୀ ଓ ତାନ୍ତ୍ରିକମାନେ ମଧ୍ୟ ଏହାର ଘୋର ପ୍ରତିବାଦ କଲେ। ମରହଟ୍ଟା ଶାସକ ରଘୁଜୀ ଭୋନସଲେଙ୍କୁ ଆଉ ଏକ ନୂତନ ମୂର୍ତ୍ତି ରତ୍ନସିଂହାସନ ନିକଟରେ ରଖିବାକୁ ଦାବି କଲେ। ନୂତନ ମୂର୍ତ୍ତି ମଧ୍ୟ ନିର୍ମିତ୍ତ ହେଲା କିନ୍ତୁ ଘୋର ବିବାଦର ଆଶଙ୍କା କରି ଏହି ନୂତନ ମୂର୍ତ୍ତି ଅନନ୍ତ ବାସୁଦେବ ମନ୍ଦିର କାନ୍ଥରେ ସ୍ଥାପନା କରାଯାଇଥିଲା। ୧୮୦୬ ଖ୍ରୀଷ୍ଟାବ୍ଦରେ ସନ୍ୟାସୀ ରାମ ଶଙ୍କର ଭାରତୀ ପୁନର୍ବାର ଇଂରେଜ ଶାସକଙ୍କ ପାଖରେ ନିବେଦନ କରିଥିଲେ କି ଏହି ବିଗ୍ରହ ପୁନଃ ରତ୍ନସିଂହାସନ ନିକଟରେ ସ୍ଥାପିତ ହେଉ କିନ୍ତୁ ଏହା ଖାରଜ ହୋଇ ଯାଇଥିଲା। ତେଣୁ ସେହି ପୁରୁଣା ମୂର୍ତ୍ତିଙ୍କ ସେବା ପୂଜା ପାଇଁ ସେବକ ମୋହନ ପ୍ରଧାନୀ ଦାୟିତ୍ୱ ନେଇଥିଲେ, ତାଙ୍କପରେ ତାଙ୍କ ପୁତ୍ର ଏହି ଦାୟିତ୍ୱ ନେଇ ପୂଜା କରୁଛନ୍ତି। ସକାଳ ଧୂପରେ ବଡ଼ବାଡ଼ର ଥାଳି ଆସି ଏହାଙ୍କୁ ସମର୍ପଣ ହୁଏ ଓ ସେଥିରୁ ମେଞ୍ଚେ ଏହି ସେବକ ପାଆନ୍ତି। ଏହା ଛଡା ଅନ୍ୟ କୌଣସି ଖଞ୍ଜା ନାହିଁ। ଏଭଳି ଐତିହାସିକ ତଥା ତନ୍ତ୍ର ପୂଜିତ ଚଣ୍ଡୀ ବିଗ୍ରହ ଆଜି ପର୍ଯ୍ୟନ୍ତ ମଧ୍ୟ ସର୍ବସାଧାରଣ ଭକ୍ତଙ୍କ ପାଇଁ ଅଜଣା ହୋଇ ରହିଛନ୍ତି। ତଥାପି ଆସନ୍ତୁ କରିବା ଆରାଧନା ଭାଗବତ ପଠନ।
ଆଚର ମୂଳେ ଧର୍ମ ଜାତ
ଧର୍ମେ ଧାରଣ ଏ ଜଗତ
ଏଣୁ ଧାର୍ମିକ ପ୍ରାଣୀଙ୍କର
ନିଗମ ଦେଖାଏ ଆଚାର ।
ଉଦ୍ଧବ ଭକ୍ତି ଯୋଗେ ମୋର
ନାହିଁ ନିଗମେ ଅଧିକାର ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )