Latest Odisha News

BREAKING NEWS

ଶ୍ରୀ ଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥ ବିଭିନ୍ନ ପର୍ବ ପର୍ବାଣୀରେ ଅନୁଷ୍ଠିତ ହେଉଥିବା ସ୍ୱତନ୍ତ୍ର ବେଶ ଗୁଡିକ ବିଷୟରେ ଆଲୋଚନା ଜାରି ରହିଛି । ଏହି ଧାରାରେ ଆମେ ଆଜି ଆଲୋଚନା କରିବା ଏକ ସ୍ୱତନ୍ତ୍ର ବେଶ “ଘୋଡ ଲାଗି ବେଶ “। ଏହି ବେଶ ମାର୍ଗଶୀର ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥି (ଓଢଣ ଷଷ୍ଠୀ )ଠାରୁ ବସନ୍ତ ପଞ୍ଚମୀ ପର୍ଯ୍ୟନ୍ତ ହୋଇଥାଏ । ଶୀତର ପ୍ରଭାବ ଆରମ୍ଭ ହେଉ ହେଉ ଯେଭଳି ସାଧାରଣ ମଣିଷ କିଛି ଗରମ ବସ୍ତ୍ର ବ୍ୟବହାର କରିଥାଏ ସେହିପରି ଭାବରେ। ପ୍ରଭୁ ଆମର ଘୋଡ ବସ୍ତ୍ର ଲାଗି ହୋଇ ପ୍ରତିଦିନ ଘୋଡ ବସ୍ତ୍ର ଧାରଣ କରିବାର ପରମ୍ପରା କୁ “ଘୋଡଲାଗି ବେଶ” କୁହାଯାଏ। ଯେଭଳି ଭାବରେ ପ୍ରଭୁ ତାଙ୍କର ବସ୍ତ୍ର ସିଂହାର ପରିପ୍ରେକ୍ଷୀରେ ବିଭିନ୍ନ ବାରରେ ବିଭିନ୍ନ ରଙ୍ଗର ବସ୍ତ୍ର ଧାରଣ କରିଥାନ୍ତି। ସେଭଳି ଏହି ସ୍ୱତନ୍ତ୍ର ଶୀତ ବସ୍ତ୍ର (ଘୋଡଲାଗି ବସ୍ତ୍ର )
ମଧ୍ୟ ବିଭିନ୍ନ ରଙ୍ଗର ହୋଇ ଥାଏ। ଯଥା :-

୧ . ରବିବାର :-କଳା ରଙ୍ଗର ଘୋଡ
୨ . ସୋମବାର :-କଳା ଛିଟା ମିଶା
ଶୁକ୍ଳ ଘୋଡ ବସ୍ତ୍ର
୩ . ମଙ୍ଗଳବାର :-ବାରପଟିଆ (ପାଞ୍ଚ
ରଙ୍ଗ ମିଶା )ଘୋଡ ବସ୍ତ୍ର
୪ . ବୁଧବାର :-ନୀଳ ରଙ୍ଗ ଘୋଡବସ୍ତ୍ର
୫ . ଗୁରୁବାର :-ବସନ୍ତ (ହଳଦିଆ )
ରଙ୍ଗର ଘୋଡ ବସ୍ତ୍ର
୬ . ଶୁକ୍ରବାର :-ଶୁକ୍ଳ ରଙ୍ଗର ଘୋଡ
୭ . ଶନିବାର :-କଳା ରଙ୍ଗର ଘୋଡ

ବିଧି ବିଧାନ ଅନୁସାରେ ଶ୍ରୀଜୀଉମାନଙ୍କୁ ସ୍ୱତନ୍ତ୍ର ଭାବରେ ନିର୍ମିତ୍ତ ଏହି ଶୀତ ବସ୍ତ୍ରଗୁଡିକୁ ଓଢଣଷଷ୍ଠୀଠାରୁ ବସନ୍ତ ପଞ୍ଚମୀ ପର୍ଯ୍ୟନ୍ତ ଲାଗି ହୋଇଥାଏ। ପ୍ରତିଦିନ ଏହି ବେଶ ସମୟରେ ଶ୍ରୀଜୀଉମାନେ ଆଠ ମୂର୍ତ୍ତି ସୁନା ଅଳଙ୍କାର ଲାଗି ହୁଅନ୍ତି । ଯଥା ତ୍ରିଶାଖା -୨ , କୁଣ୍ଡଳ -୪ , ତଡକୀ -୨ କିନ୍ତୁ ଏହି ବେଶ ସମୟରେ ଝୋବ କଣ୍ଠି ଲାଗି ହୁଏନାହିଁ । ଆଗାମୀ ଅଧ୍ୟlୟରେ ଆମେ ଜାଣିବା ବିଭିନ୍ନ ପ୍ରକାର ଘୋଡ ବସ୍ତ୍ର ବାବଦରେ ଓ ବସନ୍ତ ପଞ୍ଚମୀଠାରୁ ଫଗୁ ଦଶମୀ ପର୍ଯ୍ୟନ୍ତ ଲାଗି ହେଉଥିବା ଘୋଡ ବିଷୟରେ ଏବେ ଆସନ୍ତୁ କରିବା ଆରାଧନା ଓ ଭାଗବତ ପଠନ ସବୁଦିନ ପରି ।

“ମୁଁ ମୂଢ଼ ମାୟା ଜଡ଼ ମତି
ଭୋନାଥ ଶୁଣ ଯଦୁ ପତି ।
ମୁହିଁ ମୋହର ଏ ଶରୀର
ସକଳ ସଂସାର ମୋହର ।
ମୋହେ ଜଡିତ ମୋର ଚିତ୍ତ
ଏଣୁ ମୁଁ କୈବଲ୍ୟେ ବଞ୍ଚିତ ।”

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.