ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଏକ ବିଶେଷ ନୈମିତିକ ବିଧି ଯଥା ଏକାଦଶୀ ବିଶେଷ ନୀତି ଆଲୋଚନା କରିସାରିବା ପରେ ଆଉ ଏକ ବିଶେଷ ପରମ୍ପରା ଦୃଷ୍ଟିଗୋଚର ହୁଏ। ଯଥା: ବାର ଅନୁସାରେ ଏକାଦଶୀ ନୀତି :- ପ୍ରଥମେ ଆଲୋଚନା କରିବା ଏକାଦଶୀ ସୋମବାର ପଡ଼ିଲେ କଣ ହୂଏ। ଏହି ଏକାଦଶୀ “ଶମ୍ଭୁ ଏକାଦଶୀ “ଭାବେ ପରିଚିତ, ଏହିଦିନ ଶ୍ରୀଲୋକନାଥ ମନ୍ଦିରରୁ ଏକ ପାଲିଙ୍କି ଆସି ଶ୍ରୀମନ୍ଦିରରେ ଥିବା ଭଣ୍ଡାର ଲୋକନାଥଙ୍କୁ ତାଙ୍କର କୋରା ଭୋଗ ପରେ ପରେ ଘଣ୍ଟା, ଛତା ସହ ଆଡମ୍ବରରେ ଶ୍ରୀଲୋକନାଥ ମନ୍ଦିରକୁ ନେଇ ଯାଆନ୍ତି। ଏହାପରେ ଦ୍ବିପହର ଧୂପ ହୁଏ ଓ ମଦନମୋହନ ମଧ୍ଯ ପାଲିଙ୍କିରେ ଶ୍ରୀଲୋକନାଥ ମନ୍ଦିରକୁ ବିଜେ କରନ୍ତି। ଏଠାରେ ଥିବା ବାନାମ୍ବରଙ୍କ ଗମ୍ଭୀରlରେ ଉଭୟ ଭଣ୍ଡାର ଲୋକନାଥ ଓ ମଦନ ମୋହନ ବିଜେ କରନ୍ତି। ଏହିଠାରେ ପନ୍ତି ଭୋଗ ହୁଏ। ଶ୍ରୀମନ୍ଦିରର ସୁଧ ସୁଆର ବା ଅlସ୍ଥାନ ପଢ଼ିଆରୀ ସେଠାକୁ ଯାଇ ପୂଜା ଠା କରନ୍ତି ଓ ପୂଜାପଣ୍ଡା ଯାଇ ଭୋଗ କରନ୍ତି। ପୂଜା ପରେ ଆରତି ବନ୍ଦାପନା ହୁଏ ଓ ତାପରେ ଦୁଇ ଦିଅଁ ମଦନ ମୋହନ ଯାଇଥିବା ପାଲିଙ୍କିରେ ଫେରି ଆସନ୍ତି । ଜୟ ବିଜୟ ଦ୍ୱାରଠାରେ ଉଭୟଙ୍କୁ ଏକାଦଶୀ ଭୋଗ ହିସାବରେ ଦୁଇ ସରା କୋରା ଭୋଗ ହୁଏ। ଠିକ ନକ୍ଷତ୍ର ବନ୍ଦାପନା ପରି ପୂଜା ଓ ଆରତି ହୋଇ ଦ୍ୱାର ଫିଟା ଯାଏ ଓ ଠାକୁର ମାନେ ସ୍ୱ ସ୍ୱ ଅସ୍ଥାନକୁ ଲେଉଟି ଯାଆନ୍ତି । କିନ୍ତୁ ଆଷାଢ଼ ମାସ ଶୟନ ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଳ ଏକାଦଶୀ ଯାଏଁ ଦିଅଁ ମାନେ ଶ୍ରୀଲୋକନାଥ ମନ୍ଦିରକୁ ଯାଆନ୍ତି ନାହିଁ। ଉକ୍ତ ସମୟରେ ଲୋକନାଥଙ୍କ ସେବକ ଆସି ଭଣ୍ଡାର ଲୋକନାଥ ଓ ମଦନ ମୋହନଙ୍କୁ ଜୟ ବିଜୟ ଦ୍ୱାର ନିକଟକୁ ଆଣି ବିଜେ କରାନ୍ତି। ଚତୃମାର୍ସ୍ୟ ଯୋଗୁ ଏହି ଜୟ ବିଜୟ ଦ୍ୱାରଠାରେ ସମସ୍ତ ପୂଜା ଓ ବନ୍ଦାପନା ବିଧି ପାଳିତ ହୁଏ। ସେହିପରି ଚନ୍ଦନଯାତ୍ରା ଓ ରୁକ୍ମିଣୀ ହରଣରେ ଶମ୍ଭୁ ଏକାଦଶୀ ପଡ଼ିଲେ ଦିଅଁମାନେ ଶ୍ରୀଲୋକନାଥ ମନ୍ଦିରକୁ ଯାଆନ୍ତି ନାହିଁ। ପୂର୍ବ ପରି ଜୟ ବିଜୟ ଦ୍ୱାର ନିକଟରେ ସମସ୍ତ ରୀତିନୀତି ହୋଇଥାଏ। ଆଗାମୀ ଅଧ୍ୟାୟରେ ଜାଣିବା ଗୁରୁବାରରେ ଏକାଦଶୀ ପଡ଼ିଲେ କିପରି ପାଳିତ ହୋଇଥାଏ। ବର୍ତ୍ତମାନ କରିବା ଆରାଧନା ଓ ଭାଗବତ ପଠନ ସବୁଦିନ ପରି ।
ଏ କାୟା ଘରେ ଵାସ ମୋର
ନିରତେ ବହେ ନବଦ୍ୱାର ।
ଏହା ମଧ୍ୟରେ ମଳ ମୂତ୍ର
ସମ୍ପୂର୍ଣ କଫ, ବାତ ପିତ ।
ଦୁର୍ଗନ୍ଧ କୃମି ଲାଳ ନାଡି
ଅଶେଷ ରୋଗ ଛନ୍ତି ବେଢ଼ି ।
ଏମନ୍ତ ଘରେ ମୋତେ ଥୋଇ
ଯେ ଗୁରୁ ଗଲା ଶିକ୍ଷା ଦେଇ ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )