ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନୈମିତିକ -ବିଧି ଭିତରେ ଏକ ବିଚିତ୍ର ବିଧି ହେଉଛି ବେଣ୍ଟ ବା ଶିକାର ନୀତି। ଏହି ନୀତି ପାଳନର ବୈଦିକ ତାତ୍ପର୍ଯ୍ୟ ସେଭଳି କିଛି ଥିବାର ଅନୁମାନ ହୁଏନି। କେବଳ ପୁରାତନ କାଳରେ ରାଜା ରାଜୁଡାମାନେ ବେଣ୍ଟ କୁ ନିଜ ଗାରିମାର ପ୍ରତୀକ ରୂପେ ନେଇଥିବା ବେଳେ ମୋ ପ୍ରଭୁ ରାଜାଧୀରାଜ ଶ୍ରୀଜଗନ୍ନାଥ ମଧ୍ଯ ଏହାକୁ ଭକ୍ତମାନଙ୍କ ତୁଷ୍ଟି ବିଧାନ ପାଇଁ ନିଜ ନୀତି ମଧ୍ୟରେ ସାମିଲ କରିଛନ୍ତି । ରହସ୍ୟମୟ ଠାକୁରଙ୍କ ଲୀଳା ମଧ୍ଯ ରହସ୍ୟମୟ। ତେଣୁ ଗୋଟିଏ କଥା ମନରେ ରହିବା ଉଚିତ ମହାପ୍ରଭୁଙ୍କ ଲୀଳାର ଅନ୍ୟ ଅର୍ଥ ବାହାର ନକରି, କେବଳ ଏହାକୁ ପ୍ରଭୁଙ୍କ ବଚିତ୍ର ଲୀଳା ବା ପରମ୍ପରା ହିସାବରେ ବିବେଚନା କରିବା ଉଚିତ ହେବ। ଏହାକୁ ପ୍ରକୃତ ଶିକାର ଅର୍ଥରେ ନେଇ ସେହି ଭଳି ଆଚରଣ କରିବା ନିୟମ ବିରୁଦ୍ଧ କାର୍ଯ୍ୟ। ଏବେ ଆସନ୍ତୁ ଜାଣିବା ଏହି ବେଣ୍ଟ ବା ଶିକାର ନୀତିଟି କଣ? ବସନ୍ତ ପଞ୍ଚମୀ ଦିନ ମଧ୍ୟାହ୍ନ ଧୂପ ଶେଷ ହୋଇ ଚାଚେରୀ ବେଶ ହେଲା ପରେ ଏହି ନୀତି ହୋଇଥାଏ ।
ସେହିପରି ଫାଲଗୁନ ଶୁକ୍ଳପକ୍ଷ ପ୍ରତିପଦ ଦିନ ଶ୍ରୀଜୀଉ ଙ୍କ ମଙ୍ଗଳ ଆରତି ସରିବା ପରେ ଠାକୁରମାନଙ୍କ ବେଣ୍ଟ ବା ଶିକାର ନୀତି ହୋଇଥାଏ. ସେହି ଫାଲଗୁନ ମାସରେ ଆଉ ତିନୋଟି ତିଥିରେ ଏହି ନୀତି ହୋଇଥାଏ ଯଥା ଶୁକ୍ଳ ଚତୁର୍ଥୀ, ଅଷ୍ଟମୀ ଓ ଦ୍ୱାଦଶୀ ତିଥିରେ ଠିକ ପ୍ରତିପଦ ଦିନ ପରି ମଙ୍ଗଳ ଆରତି ପରେ ଠାକୁର ବେଣ୍ଟ ବା ଶିକାର ନୀତିକୁ ବିଜେ କରିବା ନିୟମ ଅଟେ। ଏହି ନୀତି ସାଧାରଣତଃ ଜଗନ୍ନାଥବଲ୍ଳଭ ମଠରେ ପାଳିତ ହୋଇଥାଏ। ସେହିଠାରେ ଶ୍ରୀଜୀଉମାନଙ୍କ ବେଣ୍ଟ ପୁଷ୍କରଣୀ ଅଛି। ଆଗାମୀ ଅଧ୍ୟାୟରେ ଏହି ବେଣ୍ଟ ବା ଶିକାର ନୀତିର ସମସ୍ତ ବିଧି ବିଧାନ ଆଲୋଚନା କରିବା, ପ୍ରତୀକାତ୍ମକ ଭାବରେ କିଏ ଶିକାରୀ ଓ କିଏ ଶିକାର ସେ ବିଷୟରେ ମଧ୍ଯ ଜାଣିବା। ବର୍ତ୍ତମାନ କରିବା ଆରାଧନା ଓ ଭାଗବତ ପଠନ ।
ଅନଳେ ଦହନ୍ତେ ସୁବର୍ଣ୍ଣ
ନିର୍ମଳ ହୁଅଇ ଯେସନ ।
ଭକତ ଜନ ସେହି ମତେ
ନିର୍ମଳ ହୋନ୍ତି ଏ ଜଗତେ ।
ଏ ରୂପେ ଭକ୍ତି ଯୋଗ ବଳେ
ଯେ ମୋତେ ଭଜଇ ନିଶ୍ଚଳେ ।
ଅଶେଷ ବାସନା ତାହାର
ମନରୁ ଛାଡି ଯାନ୍ତି ଦୂର ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )