Latest Odisha News

BREAKING NEWS

ଶ୍ରୀମନ୍ଦିର ଗର୍ଭଗୃହରୁ ପଥର ଖସିବା ନେଇ ଚର୍ଚ୍ଚା । ଆଦ୍ରତା ପାଇଁ ପଥର ନୁହେଁ ପ୍ଲାଷ୍ଟର ଖସିଛି

 ଶ୍ରୀମନ୍ଦିରରୁ କୌଣସି ପଥର ଖସିନାହିଁ  । ଆଦ୍ରତା ପାଇଁ ରତ୍ନସିଂହାସନ ଶ୍ରୀବଳଭଦ୍ରଙ୍କ ପଛ ପଟ ପାର୍ଶ୍ଵରୁ ଲାଇମ୍ ପ୍ଲାଷ୍ଟର ଚୂନ ଖଣ୍ଡ ଖସିଛି । ଶ୍ରୀମନ୍ଦିର କମାଣ୍ଡାରଙ୍କ ରିପୋର୍ଟ ଆଧାରରେ ଗତକାଲି ସକାଳ ଧୂପ ପରେ ଏହି ଘଟଣା ଘଟିଛି। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଏସଆଇକୁ ଜଣାଯାଇଛି।ଏଏସଆଇର ଏକ ଟିମ୍ ଶ୍ରୀମନ୍ଦିର ଯାଇ ସ୍ଥିତି ଯାଞ୍ଚ କରିଛନ୍ତି। ଏହି ଘଟଣାକୁ ସେବାୟତ ନିନ୍ଦା କରିବା ସହ ଏଏସଆଇର କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନ ଉଠାଇଛନ୍ତି ।

ତେବେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ କୌଣସି ଆଘାତ ଲାଗିନାହିଁ। ଏହି ଚୂନଖଣ୍ଡ ଯୋଗୁଁ ଶ୍ରୀଅଙ୍ଗ ପ୍ରତି କୌଣସି ବିପଦ ନ ଥିବା ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ସ୍ପଷ୍ଟ କରିଛନ୍ତି । ଗର୍ଭଗୃହର କାନ୍ଥ ଏବଂ ପ୍ରଥମ ମହଲାରେ କେବଳ ବଡବଡ ପଥର ଯୋଡେଇ ହୋଇଛି। ତାପରେ ପ୍ରଥମ ମହଲାର ଛାତରେ ଲୁହା ଚଦର ପ୍ଯାକିଂ ରହିଛି । ଦୁଇଟି ଏକଜିଟ୍ ଫ୍ଯାନ ଲାଗିଛି। ଫଳରେ ସେଠାରେ ଆଦ୍ରତା ଅଧିକ ରହୁଛି।ଏହି କାରଣରୁ ଲାଇମ ପ୍ଲାଷ୍ଟର ଖଣ୍ଡ ଖସି ଯାଇଛି।  ମହାପ୍ରଭୁ ଶ୍ରୀଗୁଣ୍ଡିଚା ଯାତ୍ରା କରିବା ପରେ ଏଏସଆଇ ଓ ବିଶେଷଜ୍ଞ ଟିମ୍ ଦ୍ୱାରା ଗର୍ଭଗୃହ ଯାଞ୍ଚ ହେବା ସହ ମରାମତି କରାଯାଇଥିଲା ।  ଏମିତିକି ସେହି ସମୟରେ କଳାହାଟ ଦ୍ୱାରକୁ ରୂପା ଛାଉଣୀ କରାଯାଇଥିଲା। ଏହି ସମୟରେ ଗର୍ଭଗୃହ ସଂପୂର୍ଣ୍ଣ ସୁରକ୍ଷିତ ଥିବା ଏଏସଆଇ ସୁପରିଟେଡେଣ୍ଟ କହିଥିଲେ। ରତ୍ନବେଦୀରେ ଯେଉଁ ମରାମତି କାର୍ଯ୍ୟ କରାଯାଇଥିଲା ବୋଧହୁଏ ସେଥିପାଇଁ ଚୂନଖଣ୍ଡ ଖସିଥିବା ସନ୍ଦେହ କରାଯାଉଛି।

କେବଳ ଗତ ରଥଯାତ୍ରା ନୁହେଁ ପ୍ରତିବର୍ଷ ରଥଯାତ୍ରା ସମୟରେ ଗର୍ଭଗୃହ ଯାଞ୍ଚ କରାଯାଇଥାଏ। ଏସବୁ ସତ୍ତ୍ୱେ ରତ୍ନସିଂହାସନ ପଛପାର୍ଶ୍ଵରୁ ଲାଇମ ଚୂନ ଖଣ୍ଡ ଖସିବା ଏଏସଆଇର କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନ ଉଠାଇଛି ।

Leave A Reply

Your email address will not be published.