Latest Odisha News

BREAKING NEWS

ବନ୍ଦେ ଭାରତ ଏକ୍ସପ୍ରେସର ଉଦଘାଟନ ଲାଗି ପୁରୀ ଆସିପାରନ୍ତି ପିଏମ୍ ମୋଦି

ଭୁବନେଶ୍ୱର: ଖୁବଶୀଘ୍ର ହାୱଡ଼ାରୁ ପୁରୀ ମଧ୍ୟରେ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍ । ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକାର୍ପଣ କରି ପାରନ୍ତି । ପୁରୀ ରେଲୱେ ଷ୍ଟେସନରେ ବନ୍ଦେ ଭାରତ ଏକ୍ସପ୍ରେସକୁ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିବା ନେଇ ଆଶାବାଦୀ ରହିଥିବା କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ।

ସେ କହିଛନ୍ତି, ଦେଶର ବିଭିନ୍ନ ସ୍ଥାନରେ ପ୍ରଧାନମନ୍ତ୍ରୀ ମୋଦି ବନ୍ଦେ ଭାରତ ଏକ୍ସପ୍ରେସର ଲୋକାର୍ପଣ କରିଛନ୍ତି । ଆମେ ବି ଆଶା ରଖୁଛୁ ପ୍ରଧାନମନ୍ତ୍ରୀ ଓଡ଼଼ିଶା ଆସି ପୁରୀରେ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ ।

ତେବେ ପୁରୀରୁ ଆସନ୍ତା ୧୫ରୁ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ନେଇ ଚର୍ଚ୍ଚା ହେଉଥିବା ବେଳେ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଏଯାଏ ତାରିଖ ନିର୍ଦ୍ଧାରଣ ହୋଇନି । ଖୁବଶୀଘ୍ର ହୋଇଯିବ ବୋଲି ଆଶା ରହିଛି ।

ଏପ୍ରିଲ୍ ୨୮ରେ ହାୱଡ଼ାରୁ ପୁରୀ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ୍ ରନ୍ କରାଯାଇଥିଲା । ଦୁଇ ଦିନ ପରେ ହାୱଡ଼ାରୁ ଭଦ୍ରକ ଯାଏ ପୁଣି ଥରେ ହୋଇଥିଲା ଟ୍ରାଏଲ୍ ରନ୍ । ୧୪ଟି କୋଚ୍ ବିଶିଷ୍ଟ ବନ୍ଦେ ଭାରତ ଏକ୍ସପ୍ରେସରେ ଚେୟାର ସହ ଏକଜୁକ୍ୟୁଟିଭ୍ କ୍ଲାସ୍ କୋଚ୍ ରହିଛି । ଯାହାକି ସପ୍ତାହକୁ ୩ ଦିନ (ସୋମବାର, ଶୁକ୍ରବାର ଓ ଶନିବାର) ଚଳାଚଳ କରିବ ବୋଲି ଚର୍ଚ୍ଚା ହେଉଛି ।

ତେବେ ସେନେଇ କିଛି ଘୋଷଣା ହୋଇ ନାହିଁ । ବନ୍ଦେ ଭାରତ ଏକ୍ସପ୍ରେସ୍ ଖଡ଼ଗପୁର, ଭଦ୍ରକ, ବାଲେଶ୍ୱର, କଟକ, ଭୁବନେଶ୍ୱର, ଖୋର୍ଦ୍ଧାରେ ରହଣୀ କରିବ । ଏହାଦ୍ୱାରା ପୁରୀକୁ ପର୍ଯ୍ୟଟକଙ୍କ ସହ ଶ୍ରଦ୍ଧାଳୁ ସହଜରେ ଆସି ପାରିବେ ।

Leave A Reply

Your email address will not be published.