Latest Odisha News

BREAKING NEWS

ସାବଧାନ ! ଏଥର ଭସାଣିରେ ଡିଜେ ବଜାଇଲେ ବାନ୍ଧିବ ପୋଲିସ, ଜାରି ହେଲା କଟକଣା

ଭୁବନେଶ୍ୱର: ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ। ଖୁଦୁରୁକୁଣୀ ଓ ଗଣେଶ ପୂଜା ସରିବା ପରେ ବିଶ୍ୱକର୍ମାଙ୍କ ପୂଜା ଚାଲିଛି। ଆଗକୁ ଦଶହରା, ଗଜଲକ୍ଷ୍ମୀ ପୂଜା, କାଳୀ ପୂଜା ଆସିବ। ଭସାଣି ସମୟରେ ଡିଜେ ବ୍ୟବହାରକୁ ନେଇ କମିଶନରେଟ୍ ପୋଲିସ ପକ୍ଷରୁ କଟକଣା ଜାରି ହୋଇଛି। ଡିଜେ ବଜାଇଲେ ପୋଲିସ କଠୋର ଆଭିମୁଖ୍ୟ ନେବ ବୋଲି କମିଟିକୁ ସୂଚିତ କରାଯାଇଛି।

ବିନା ଅନୁମତିରେ ଡିଜେ ବଜାଇଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ପୁଲିସ ଚେତାବନୀ ଦେଇଛି । ୨୪ଟି ଗଣେଶ ପୂଜା କମିଟି ପୋଲିସର ଅନୁମତି ନେଇଥିବା ଜଣାପଡିଛି। ଏହାବାଦ ୨ ଶହରୁ ଉର୍ଦ୍ଧ୍ୱ ମଣ୍ଡପରେ ଗଜାନନଙ୍କ ମୂର୍ତ୍ତି ପୂଜା ପାଉଛନ୍ତି । କିଛି ସ୍ଥାନରେ ପୂଜା କମିଟି ପ୍ରଶାସନ ନିର୍ଦ୍ଦେଶକୁ ଫୁ କରି ଦେଉଛନ୍ତି। ଆଇନକୁ ଖାତିର କରୁ ନାହାନ୍ତି । ଲୁଚା ଛପାରେ ଡିଜେ ବଜାଇ ଭସାଣୀ କାର୍ଯ୍ୟକ୍ରମ କରୁଛନ୍ତି । ମଦ ନିଶାରେ ଚୁର ହୋଇ ଅସାମାଜିକ କାର୍ଯ୍ୟ ଓ ବିଭ୍ରାଟ ସୃଷ୍ଟି କରୁଛନ୍ତି।

ଏହା ମଧ୍ୟରେ ବାଲିପାଟଣା ଥାନା ପୋଲିସ ଗୋଟିଏ ରାତିରେ ଦୁଇଟି ଡିଜେ ଗାଡ଼ି ଜବତ କରିଛି। ମୁକୁନ୍ଦଦାସପୁର ପଞ୍ଚାୟତର ଅଦଲାବାଦ ଏବଂ ରାଜସ ପଞ୍ଚାୟତର ବତୀଲୋ ଗାଁରେ ଚାଲିଥିବା ଭସାଣି ଉତ୍ସବରୁ ଏହି ଦୁଇଟି ଡିଜେ ଗାଡ଼ି ଜବତ ହୋଇଛି। ଅଦଲାବାଦରୁ ଏକ ଡିଜେ ଗାଡ଼ି ଏବଂ ବତୀଲୋରୁ ଅନ୍ୟ ଏକ ଡିଜେ ଗାଡ଼ିକୁ ପୁଲିସ ଜବତ କରି ଥାନାରେ ରଖିଛି। ଏନେଇ ପୋଲିସ ମାମଲା ରୁଜୁ କରି ଗାଡ଼ିଗୁଡ଼ିକୁ କୋର୍ଟ ପଠାଇଥିବା ସୂଚନା ମିଳିଛି। ବାଲିପାଟଣା ଥାନା ଆଇଆଇସି ସୂର୍ଯ୍ୟାଂଶୁ ଶେଖର ପାଢ଼ୀ କହିଛନ୍ତି ଯେ, କୌଣସି ପୂଜା, ଉତ୍ସବ କିମ୍ବା ଭସାଣିରେ ବିନା ଅନୁମତିରେ ଡିଜେ ସାଉଣ୍ଡ ବ୍ୟବହାର କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ।

Leave A Reply

Your email address will not be published.