Latest Odisha News

BREAKING NEWS

ପ୍ରସଙ୍ଗ ସରକାରୀ ବଙ୍ଗଳା

ପ୍ରସଙ୍ଗ ସରକାରୀ ବଙ୍ଗଳା

ଜ୍ୟୋତିପ୍ରକାଶ ମହାପାତ୍ର

ବିଧାୟକମାନଙ୍କ ସରକାରୀ ଘର ଛାଡ଼ିବାକୁ ନେଇ ରାଜ୍ୟରେ ରାଜନୀତିର କିଛି ଚିତ୍ର ପଦାକୁ ଆସିଛି । ପୂର୍ବତନ ବିଧାୟକମାନେ ଘର ଛାଡ଼ୁ ନଥିବାରୁ ନୂଆ ବିଧାୟକମାନେ ଘର ପାଇବାରେ ଅସୁବିଧା ହେଉଛି । ତେଣୁ ପୂର୍ବତନମାନେ ତୁରନ୍ତ ଘର ଛାଡ଼ନ୍ତୁ ବୋଲି ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି । ଯିଏ ଘର ନ ଛାଡ଼ୁଛି, ସେହି ବାସଗୃହର ପାଣି ଓ ବିଜୁଳି କାଟିବାକୁ ବାଚସ୍ପତି କହିଛନ୍ତି ।

ତା’ପରେ ଆରମ୍ଭ ହୋଇଛି ରାଜନୀତିର ଘଣ୍ଟାଚକଟା । ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ଏହାକୁ ନେଇ ସରକାରଙ୍କ ବିରୋଧରେ ନିଜର ମତ ପ୍ରକାଶ କରିଛନ୍ତି । କଣ ପାଇଁ ଏମିତି ନୋଟିସ୍‍ ଦିଆଗଲା, ଜଣେ ପିଅନ ହାତରେ କାହିଁକି ନୋଟିସ ପଠାଗଲା ଓ ଏହା ଏକରକମ ଅପମାନ ବୋଲି ସେ ପରୋକ୍ଷରେ ସୂଚେଇ ଦେଇଛନ୍ତି । ସରକାରଙ୍କ ବିରୋଧରେ ଦେବାଶିଷ କହିବା ସହିତ ସରକାର ଠିକ ଭାବେ କାମ କରୁନାହିଁ ବୋଲିି ଜଣେଇଛନ୍ତି । ଏଥିରେ ଅନେକ ଏପାଖସେପାଖ ରହୁଛି ଯାହାକୁ ଦେବାଶିଷ ସାମ୍ନାକୁ ଆଣିଛନ୍ତି ।

ଦେବାଶିଷ ନାୟକଙ୍କୁ ଗଲା ନିର୍ବାଚନରେ ବରୀରୁ ଟିକେଟ ମିଳିନଥିଲା । ସେ ବହୁଦିନ ଧରି ବରୀରୁ ବିଧାୟକ ରହିବା ସହିତ ନବୀନ ପଟ୍ଟନାୟକ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ରହିଛନ୍ତି । ବରଖାସ୍ତ ବି ହୋଇଛନ୍ତି । ନବୀନ ବାବୁଙ୍କ ଘନିଷ୍ଠ ଭାବେ ସେ ଜଣାଶୁଣା ଥିଲେ । କିନ୍ତୁ କଣ ହେଲା କେଜାଣି- ଦେବାଶିଷ ଅଚାନକ ନବୀନଙ୍କ ଶୁଭଦୃଷ୍ଟିରୁ ବାହାରି ଗଲେ । ଅବଶ୍ୟ ସେହି ସମୟରେ ବିଧାନସଭାର ଜଣେ କର୍ମଚାରୀଙ୍କୁ ନେଇ ଅନେକ ବିବାଦ ସୃଷ୍ଟି ହୋଇଥିଲା । ଯାହା ବେଶ ହଇଚଇ ସୃଷ୍ଟି କରିଥିଲା ।

ଦେବାଶିଷ ଏବେ କଣ ପାଇଁ ଏମିତି କହିଲେ ବୋଲି ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଯେ ପର୍ଯ୍ୟନ୍ତ ସେ କ୍ଷମତାରେ ଥିଲେ, କଣ ସେତେବେଳ ପର୍ଯ୍ୟନ୍ତ ଦଳରେ ସବୁ ଠିକ ଥିଲା କି? କଣ ପାଇଁ ସେ ସେବେ ଚୁପ ରହିଥିଲେ ? ନା ଏବେ ପରିସ୍ଥିତି ବେଶ ବିଗିଡ଼ି ଗଲା? ଯେଉଁମାନେ ବିଜେଡ଼ିରୁ ବାହାରୁଛନ୍ତି, କଣ ପାଇଁ ସେମାନେ ପୂର୍ବରୁ କିଛି କହୁ ନାହାନ୍ତି? କଣ ପାଇଁ ସେମାନେ ପରେ ଦଳ ବିରୋଧରେ କହୁଛନ୍ତି? ଯେଉଁ କାରଣରୁ ଲୋକେ ତାଙ୍କୁ ଆଉ ବିଶ୍ୱାସକୁ ନେଉ ନାହାନ୍ତି । ଲୋକେ ଭାବୁଛନ୍ତି- ଏମାନେ ତ ଠିକଠାକ କ୍ଷମତା ଉପଭୋଗ କଲେ । ଠିକ ବାହାରିଲା ବେଳକୁ କାହିଁକି ଏମାନେ ଦଳ ବିରୋଧରେ କହୁଛନ୍ତି?

ଦେବାଶିଷଙ୍କ କ୍ଷେତ୍ରରେ ବି ସେଇ ଏକା କଥା । ନିର୍ବାଚନରେ ସେ ଟିକେଟ ପାଇଲେ ନାହିଁ । ବରୀରୁ ନୂଆ ଜଣେ ମହିଳାଙ୍କୁ ଟିକେଟ ମିଳିଲା । ହାରିବା ନେଇ ସଳ ଆଲୋଚନା ସତ୍ୱେ ମୂଆ ପ୍ରାର୍ଥୀ ଜଣକ ଜିତିଲେ । ତାପରେ ଦେବାଶିଷ ଚୁପ ଥିଲେ । ସମସ୍ତେ ଭାବୁଥିଲେ ବୋଧେହୁଏ ସେ ଦଳର ଏହି ପଦକ୍ଷେପକୁ ଗ୍ରହଣ କରିନେଲେ । କିନ୍ତୁ ତା’ ବଦଳରେ ଏବେ ନୂଆ କଥା ସାମ୍ନାକୁ ଆସିଲା । ଦେବାଶିଷ ସରକାରୀ ବାସଗୃହ ଛାଡ଼ିବା ପ୍ରସଙ୍ଗରେ ନିଜର ଅସନ୍ତୋଷକୁ ଜୋରଦାର ଢଙ୍ଗରେ ଝାଡ଼ିଦେଲେ ।

ଏଇଠି ଆଉ ଗୋଟେ କଥା ଆହୁରି ଗୁରୁତ୍ୱପୂର୍ଣ୍ଣ । ସରକାରୀ ବାସଗୃହ ଛାଡ଼ିବାକୁ କଣ ପାଇଁ ପୂର୍ବତନ ବିଧାୟକମାନେ ଏତେ ଅମଙ୍ଗ? କାହିଁକି ଏହାକୁ ଏକ ପ୍ରସଙ୍ଗ କରାଯାଉଛି? କେତେକ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଘର ଛାଡ଼ିବା ପାଇଁ କେତେ ଜଣ ସଫା ମନା କରି ଦେଇଛନ୍ତି । କିନ୍ତୁ ସେ ସରକାରୀ ବାସଗୃହ ତ ସେମାନଙ୍କୁ ସାରାଜୀବନ ପାଇଁ ଦିଆଯାଇନି । ଯେତିକି ଦିନ ବିଧାୟକ ରହିବେ, ସେତିକି ଦିନ ସେ ସରକାରୀ ବାସଗୃହରେ ରହିବେ । ତା’ପରେ ଛାଡ଼ିଦେବା କଥା । ଆପେ ଛାଡ଼ିଦେବା ହିଁ ସବୁଠାରୁ ଭଲ । ଯାହା ବାକି ଲୋକଙ୍କ ପାଇଁ ସବୁ ସମୟରେ ଆଦର୍ଶ ଓ ଉଦାହରଣ ସୃଷ୍ଟି କରିବ ।

କିନ୍ତୁ ତାହା ନ କରି ଓଲଟି ବାସଗୃହ ଛାଡ଼ିବା ପାଇଁ କହିଲା ବେଳକୁ ପ୍ରତିକ୍ରିୟାଶୀଳ ହୋଇ ପଡ଼ିବା କେତେ ଦୂର ଓ କେମିତି ବାଗରେ ଠିକ? ଆଇନ ତ ସଭିଙ୍କ ପାଇଁ ସମାନ । ପୁଣି ଆଇନ ଆମର ମାନ୍ୟବର ବିଧାୟକମାନେ ତିଆରି କରୁଛନ୍ତି । ଜଣେ ସରକାାରୀ କର୍ମଚାରୀ ବଦଳି ହୋଇଗଲେ, ସେ ସରକାରୀ ବାସଗୃହ ଛାଡ଼ୁଛି । ନହେଲେ ତା’ଠାରୁ ବଜାର ଦରରେ ଘରଭଡ଼ା ନିଆଯାଉଛି । ପୁଣି ଜୋରିମାନା ବି ନିଆଯାଉଛି । ବଜାର ଦରଠାରୁ କେତେ ଗୁଣ ଅଧିକ ଦାମରେ ଘରଭଡ଼ା ଆଦାୟ ହେଉଛି । ଦରମା ବନ୍ଦ ହେବାର ବି ଅନେକ ଉଦାହରଣ ଅଛି । ପେନସନ ବି ବନ୍ଦ ହୋଇଯାଇଛି । ଦରମାରୁ ଘରଭଡ଼ା ଆଦାୟ କରି ନିଆଯାଇଛି ।

ସବୁଦିନେ ସମସ୍ତେ ନିୟମ ସମାନ ହେବା ଦରକାର ବୋଲି କହୁଛନ୍ତି । କିନ୍ତୁ ମଣିଷମାନେ ଟିକେ ଭିନ୍ନ । ନିୟମ କଥା ଅଲଗା ଲୋକ ପାଇଁ ଜରୁରି ବୋଲି କହିବେ । କିନ୍ତୁ ନିଜ ବେଳକୁ ସେ ନିୟମ ଲାଗୁ ହେଲେ ତାକୁ ବିରୋଧ କରିବେ । ସେଇ କାରଣରୁ ତ ଆଇନ କାର୍ଯ୍ୟକାରୀ ହୋଇପାରେ ନାହିଁ । ସେଇ କାରଣରୁ ତ ଆମେ ନିଜ ସୁବିଧା ଅନୁସାରେ ଆଇନର ଫାଙ୍କ ଦେଇ ଆମ କାମ କରିନେଉ । ସେଇ କାରଣରୁ ତ ଆମ କାମ ସରିଲେ ପୁଣି ଚିକ୍ରାର କରୁ- ଆଇନ ଭାଙ୍ଗିବା ଠିକ ନୁହେଁ । କିନ୍ତୁ ଆମ କାମ କରିବା ପରେ ଯାଇ ।

Leave A Reply

Your email address will not be published.