Latest Odisha News

BREAKING NEWS

ଉନ୍ନତ ନିରାପଦ ରୋଗୀସେବା ପାଇଁ ଜାତୀୟ ସ୍ତରରେ ସମ୍ମାନୀତ ହେଲା ଏମ୍‌ସର ସିଏସଏସଡି ୟୁନିଟ୍

ଭୁବନେଶ୍ୱର : ଉନ୍ନତ ନିରାପଦ ରୋଗୀ ସେବା ପାଇଁ ଭୁବନେଶ୍ୱର ଏମସକୁ ସମ୍ମାନ ଜନକ ସ୍ୱାସ୍ଥ୍ୟ ଉତ୍କର୍ଷ ପୁରଷ୍କାର । ଉନ୍ନତ ନିରାପଦ ରୋଗୀ ସେବା ପାଇଁ ଏମ୍‌ସ ଭୁବନେଶ୍ୱରକୁ ସମ୍ମାନଜନକ ସ୍ୱାସ୍ଥ୍ୟ ଉତ୍କର୍ଷ ପୁରସ୍କାର ପ୍ରଦାନ କରାଯାଇଛି। କେରଳର କୋଚିରେ ଅନୁଷ୍ଠିତ ସ୍ୱୀକୃତିପ୍ରାପ୍ତ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନସମୂହଙ୍କ ମଧ୍ୟରେ ସଚେତନତା ସମ୍ମତି ଓ ଉତ୍କର୍ଷ(ସିଏଏଚ୍‌ଓ-ଏସ୍‌)ର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏମ୍‌ସ ଭୁବନେଶ୍ୱରର କେନ୍ଦ୍ରୀୟ ଷ୍ଟେରାଇଲ୍‌ ସେବା ବିଭାଗ(ସିଏସଏସଡି)କୁ ସରକାରୀ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନ ବର୍ଗରେ ଜାତୀୟସ୍ତରରେ ୨ୟ ପୁରସ୍କାର ମିଳିଛି।

ନିଜସ୍ବ ଜ୍ଞାନକୌଶଳରେ ନିର୍ମିତ ଏମ୍‌ସର ଅତ୍ୟାଧୁନିକ ସେଣ୍ଟ୍ରାଲ୍ ଷ୍ଟେରାଇଲ୍ ସେବା ବିଭାଗକୁ ମିଳିଥିବା ଏହି ପ୍ରତିଷ୍ଠିତ ପୁରସ୍କାରକୁ ଅଧୀକ୍ଷକ ଡ. ସଚ୍ଚିଦାନନ୍ଦ ମହାନ୍ତି ଏବଂ ସିଏସଏସଡି ବିଭାଗ ମୁଖ୍ୟ ଡ. ଅଶୋକ କୁମାର ଜେନା କୋଚିରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗ୍ରହଣ କରିଥିଲେ। ଏହା ଏମ୍‌ସ ଭୁବନେଶ୍ୱର ପାଇଁ ଏକ ଅତ୍ୟନ୍ତ ଆନନ୍ଦର ବିଷୟ ବୋଲି ନିର୍ଦ୍ଦେଶକ ପ୍ରଫେସର ମ‌ୁକେଶ ତ୍ରିପାଠୀ ପ୍ରକାଶ କରିଛନ୍ତି। ଏମ୍‌ସ ସର୍ବଦା ରୋଗୀସେବା କ୍ଷେତ୍ରରେ ନିରାପତ୍ତାକୁ ପ୍ରାଥମିକତା ଦେଇଆସିଛି ବୋଲି ଶ୍ରୀ ତ୍ରିପାଠୀ ମତବ୍ୟକ୍ତ କରିଛନ୍ତି।

ଏକାଧିକ ପର୍ଯ୍ୟାୟର କଠିନ ଚୟନ ପ୍ରକ୍ରିୟା ପରେ ପ୍ରଥମ ଥର ପାଇଁ ଏମ୍‌ସ ଭୁବନେଶ୍ୱର ଏହି ସମ୍ମାନ ପାଇଁ ମନୋନୀତ ହୋଇଛି। ଏହି ଉତ୍କର୍ଷ ପୁରସ୍କାର ରୋଗୀର ନିରାପତ୍ତାକୁ ସୁନିଶ୍ଚିତ କରିବା ସହିତ ପୁନଃବ୍ୟବହାର ଯୋଗ୍ୟ ବସ୍ତୁଗୁଡ଼ିକର ପୁନଃପ୍ରକ୍ରିୟାକରଣରେ ଉନ୍ନତ ପ୍ରକ୍ରିୟା ଅନୁପାଳନକୁ ଗଭୀରତାର ସହିତ ଅନୁଧ୍ୟାନ କରିଥାଏ। ରୋଗୀସେବା କ୍ଷେତ୍ରରେ ଉନ୍ନତ ନିରାପତ୍ତା ପ୍ରକ୍ରିୟା ଅବଲମ୍ବନ କରୁଥିବା ଦେଶର ମାତ୍ର ଦୁଇଟି ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନକୁ ଏହି ପୁରସ୍କାର ବର୍ଷକୁ ଥରେ ପ୍ରଦାନ କରାଯାଇଥାଏ।

ଉଲ୍ଲେଖଯୋଗ୍ୟଯେ ଏମ୍‌ସରେ ଏହି ଅତ୍ୟାଧୁନିକ ୟୁନିଟ୍‌ ୨୫ ମାର୍ଚ୍ଚ ୨୦୧୯ ରେ ରୋଗୀସେବା ନିମନ୍ତେ ଉଦ୍‌ଘାଟିତ ହୋଇଥିଲା। ଏମ୍‌ସ ଭୁବନେଶ୍ୱରର ବିଶୋଧନ ପ୍ରକ୍ରିୟାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏହି ବିଶୋଧନ ୟୁନିଟ୍ ବିଭିନ୍ନ ସର୍ଜିକାଲ୍ ଏବଂ ମେଡିକାଲ୍ ଯନ୍ତ୍ରପାତିର ନିରାପଦ ପୁନଃପ୍ରକ୍ରିୟାକରଣକୁ ସୁନିଶ୍ଚିତ କରିଥାଏ। ସେହିପରି ରୋଗୀସେବା କ୍ଷେତ୍ରରେ ମାତ୍ର ଥରକ ପାଇଁ ବ୍ୟବହୃତ ହେଉଥିବା ବିଭିନ୍ନ ଉପକରଣକୁ ଦକ୍ଷ, ପ୍ରଭାବଶାଳୀ ଏବଂ ନିର୍ଭରଯୋଗ୍ୟ ପ୍ରଣାଳୀ ମାଧ୍ୟମରେ ପ୍ରକ୍ରିୟାକରଣ କରାଯାଇଥାଏ।

ସଂକ୍ରମଣକୁ ପ୍ରତିହତ କରିବାନେଇ ରହିଥିବା ସମସ୍ତ ବ୍ୟବସ୍ଥା, ବିଶୋଧନ, ପରିଷ୍କାର ପରିଚ୍ଛନ୍ନତା, ପ୍ୟାକେଜିଂ, ନିରୂପଣ ଏବଂ ବିଶୋଧିତ ପଦାର୍ଥର ସଂରକ୍ଷଣ ସହିତ ଜଡ଼ିତ ସମସ୍ତ ପ୍ରକ୍ରିୟାକୁ ସିଏସଏସଡି ୟୁନିଟ୍‌ ପରିଚାଳନା କରିଥାଏ। ପ୍ରମୁଖ ଅସ୍ତ୍ରୋପଚାର ଗୃହ(ଓଟି), ଆଇସିୟୁ, ମାଇନର୍‌ ଓଟି, ଆଇପିଡି, ଓପିଡି, ଜରୁରୀକାଳୀନ ଚିକିତ୍ସା କେନ୍ଦ୍ର ଆଦିକୁ ଏହି ୟୁନିଟ୍‌ ସମସ୍ତ ବିଶୋଧିତ ସାମଗ୍ରୀ ଯୋଗାଣ କରିଥାଏ।

Leave A Reply

Your email address will not be published.