ନୂଆଦିଲ୍ଲୀ:ଆଗାମୀ ଘରୋଇ କ୍ରିକେଟ ସିଜନରେ ପୃଥ୍ୱୀ ଶ ମୁମ୍ବାଇ ପକ୍ଷରୁ ଖେଳିବେ ନାହିଁ । ୨୫ ବର୍ଷୀୟ ପୃଥ୍ୱୀ ଏଥିନେଇ ମୁମ୍ବାଇ କ୍ରିକେଟ ଆସୋସିଏଶନ ନିକଟରୁ ଏନଓସି ମାଗଥିଲେ । ଏମସିଏ ତାଙ୍କୁ ଏନଓସି ପ୍ରଦାନ କରିଛି । ୨୦୧୭ରୁ ମୁଁ ମୁମ୍ବାଇ ପକ୍ଷରୁ ଖେଳି ଆସିଛି । ଏହା ମୋ ପାଇଁ ସର୍ବଦା ସମ୍ମାନର ବିଷୟ ହୋଇ ରହିବ । ମୁଁ ଆଗକୁ ବଢ଼ିବାକୁ ଚାହୁଁଛି, ସେଥିପାଇଁ ଏହି ପଦକ୍ଷେପ ଗ୍ରହଣ କରିଛି ବୋଲି କହିଛନ୍ତି । ପୃଥ୍ୱୀ ୨୦୧୭ରେ ପ୍ରଥମ ଶ୍ରେଣୀ କ୍ରିକେଟରେ ପଦାର୍ପଣ କରିଥିଲେ । ସେ ୩୦୦୦ରୁ ଅଧିକ ରନ ସଂଗ୍ରହ କରିଛନ୍ତି । ସେ ସୟେଦ ମୁସ୍ତାକ ଅଲୀ ଟ୍ରଫିରେ ମଧ୍ୟ ମୁମ୍ବାଇ ପକ୍ଷରୁ ଖେଳିଥିଲେ ।
ପୃଥ୍ୱୀ ରଣଜୀ, ଦିଲୀପ ଓ ବିଜୟ ହଜାରେ ପଦାର୍ପଣ ମ୍ୟାଚରେ ଶତକ ମାରିଛନ୍ତି । ୨୦୧୮ରେ ବିଶ୍ୱକପ ଜିତିଥିବା ଭାରତର ୧୯ ବର୍ଷରୁ କମ ଦଳର ସେ ଅଧିନାୟକ ଦାୟିତ୍ୱ ମଧ୍ୟ ତୁଲାଇଥିଲେ । ୨୦୧୮ରେ ସେ ଆନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ । ପଦାର୍ପଣ ମ୍ୟାଚରେ ସେ ଏଠାରେ ମଧ୍ୟ ଶତକ ହାସଲ କରିଥିଲେ । ୨୦୨୧ରେ ସେ ଶେଷ ଥର ଶ୍ରୀଲଙ୍କା ବିପକ୍ଷରେ ଆନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ । ସେବେଠାରୁ ଟିମ ଇଣ୍ଡିଆରେ ସ୍ଥାନ ପାଇବା ପାଇଁ ସେ ସଂଘର୍ଷ କରୁଛନ୍ତି ।
Comments are closed.