Latest Odisha News

BREAKING NEWS

କୋଚ ଭାବେ ଡ୍ରାଭିଡଙ୍କ ପ୍ରଦର୍ଶନ କରୁଛି ନିରାଶ

ରାହୁଲ ଡ୍ରାଭିଡ ଭାରତର କୋଚ ଭାବେ ଦାୟିତ୍ୱ ତୁଲାଇବା ପରେ ଟିମ ଇଣ୍ଡିଆରେ ଆଶା ସଂଚାର ହୋଇଥିଲା । ପ୍ରଶଂସକମାନେ ମଧ୍ୟ ବେଶ ଉତ୍ସାହିତ ଥିଲେ । ତେବେ କ୍ରମାଗତ ଭାବେ ଭାରତର ଖରାପ ପ୍ରଦର୍ଶନ ସମସ୍ତଙ୍କୁ ଏବେ ଚିନ୍ତାରେ ପକାଉଛି । ଆଗକୁ ବିଶ୍ୱକପ ଥିବା ବେଳେ ଟିମ କମ୍ବିନେଶନ ସମ୍ପୂର୍ଣ୍ଣ ଭାବେ ବିଗିଡି ଯାଇଥିବା ଅନୁମାନ କରାଯାଉଛି । ତେବେ ବିଶ୍ୱକପ ପାଇଁ ସମସ୍ତ ପରୀକ୍ଷା ନିରୀକ୍ଷା ସହ ଡ୍ରାଭିଡ ଏକ ବିଜେତା ଟିମ ଦେବେ ବୋଲି ଅନେକ ଆଶା ବାନ୍ଧିଛନ୍ତି । ଟି୨୦ ସିରିଜରେ ୱେଷ୍ଟଇଣ୍ଡିଜ ନିକଟରୁ ହାରିବା ପରେ ପ୍ରଶଂସକମାନେ ବ୍ୟତୀବ୍ୟସ୍ତ ହୋଇ ପଡିଛନ୍ତି । ଏହି ଫର୍ମାଟରେ ଭାରତ ବିପକ୍ଷରେ ୱେଷ୍ଟଇଣ୍ଡିଜର ପ୍ରଦର୍ଶନ ସେତେଟା ଉତ୍ସାହଜନକ ରହି ନ ଥିଲା । ୨୫ ମ୍ୟାଚରୁ ଭାରତ କେବଳ ୭ଟିରେ ପରାଜିତ ହୋଇଥିଲା ।

ଅପରପକ୍ଷରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଅବସର ସମୟ ଉପନୀତ ହୋଇଥିବା କେତେକ ତଥାକଥିତ କ୍ରିକେଟ ଜ୍ଞାନୀଙ୍କୁ ଏହି ସିରିଜ ଚାପୁଡା ସଦୃଶ ହୋଇଛି । ଦୁଇ ମହାରଥୀଙ୍କ ଅନୁପସ୍ଥିତିରେ ଟିମ ଇଣ୍ଡିଆର ଅବସ୍ଥା ଅତ୍ୟନ୍ତ ଖରାପ ଥିଲା । ଏହା ପୂର୍ବରୁ ଗତ ବର୍ଷ ଶେଷ ଭାଗରେ ବାଂଲାଦେଶ ବିପକ୍ଷ ସିିରିଜ ମଧ୍ୟ ଭାରତ ହାରିଥିଲା । ଟେଷ୍ଟରେ ବି ବହୁତ କଷ୍ଟରେ ବିଜୟ ମିଳିଥିଲା । ତାହା ପୁଣି ରବିଚନ୍ଦ୍ରନ ଅଶ୍ୱୀନ ଓ ଶ୍ରେୟାଶ ଆୟାରଙ୍କ ସ୍ମରଣୀୟ ବ୍ୟାଟିଂ ଯୋଗୁ ସମ୍ଭବପର ହୋଇଥିଲା ।

ଆଇପିଏଲ ୨୦୨୩ ପୂର୍ବରୁ ଅଷ୍ଟ୍ରେଲିଆ ଟିମ ଭାରତ ଆସି ଘରୋଇ ପରିବେଶରେ ହରାଇ ଯାଇଥିଲା । ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ମଧ୍ୟ ହାରର ସାମ୍ନା କରିବାକୁ ପଡିଥିଲା । ଅନ୍ୟ ଅର୍ଥରେ ୩ଟି ଯାକ ଫର୍ମାଟରେ ଭାରତ ଫେଲ ମାରୁଛି । ଅତ୍ୟଧିକ ପରୀକ୍ଷଣ ଟିମ ଇଣ୍ଡିଆ ପାଇଁ ଘାତକ ସାବ୍ୟସ୍ତ ହେଉଛି । ଏହା ପୂର୍ବରୁ ଗ୍ରେଗ ଚ୍ୟାପେଲଙ୍କ ସମୟରେ ଏ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଆଉ ହାତ ଗଣତି ଦିନ ପରେ ବିଶ୍ୱକପ । ଫିଟ ଏବଂ ଫର୍ମରେ ଥିବା ଖେଳାଳିଙ୍କ ସହ ଉଚିତ ଟିମ କମ୍ବିନେଶନ ଜରୁରୀ । ସବୁ କିଛି ସ୍ପଷ୍ଟ ହେବା ଉଚିତ । ଚୂଡାନ୍ତ ଟିମର ରୂପରେଖ ପ୍ରସ୍ତୁତ ହେଲେ ସେମାନଙ୍କ ମଧ୍ୟରେ ସମନ୍ୱୟ ପ୍ରତିଷ୍ଠିତ ହେବ । ବାରମ୍ବାର ଅଦଳ ବଦଳ ଏହି ଅସୁବିଧାର ମୂଖ୍ୟ କାରଣ ଭାବେ ବିବେଚନା କରାଯାଉଛି । ଡ୍ରାଭିଡଙ୍କ ପ୍ରତି ବିଶ୍ୱାସ ଥିଲେ ମଧ୍ୟ ଏହା ଯେପରି ବିଳମ୍ବ ନ ହୋଇଯିବ ସେଥିପ୍ରତି ଯତ୍ନବାନ ହେବାକୁ ପଡିବ । ଟିମ ଇଣ୍ଡିଆକୁ ସେ ୩ଟି ଭାଗରେ ଭାଗ କରିସାରିଲେଣି । ସିନିୟର, ଜୁନିୟର ଓ ବିକଳ୍ପ ଖେଳାଳି ପରୀକ୍ଷଣରେ ସମସ୍ତେ ଟିମରେ ସ୍ଥାନ ପାଇବା ନେଇ ସଂଘର୍ଷ କରୁଛନ୍ତି । ଏହି ଚାପ ଯୋଗୁ ବିରାଟ କୋହଲିଙ୍କ ପରି ଖେଳାଳି କ୍ୟାରିୟର ଦୋ ଛକିରେ ଛିଡା ହୋଇଥିଲା । ସେ ବହୁ କଷ୍ଟରେ ଫର୍ମକୁ ଫେରି ନିଜ ସ୍ଥାନ ସୁରକ୍ଷିତ ରଖିଲେ । ଏବେଠାରୁ ସତର୍କତା ଆବଶ୍ୟକତା ହୋଇ ପଡିଛି ।

Leave A Reply

Your email address will not be published.