Latest Odisha News

BREAKING NEWS

ହାରିବା ସୂଚନା ପାଇ ରାଜସ୍ଥାନ ଯାଉନାହାଁନ୍ତି ରାହୁଲ !

ଭୁବନେଶ୍ୱର: ଦେଶର ପ୍ରମୁଖ ପାଞ୍ଚୋଟି ରାଜ୍ୟର ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲିଥିବାବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦଳୀୟ ପ୍ରାର୍ଥୀଙ୍କ ପାଇଁ ବ୍ୟାପକ ପ୍ରଚାର କରୁଛନ୍ତି।

କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ତଥା ଜୋରଦାର ଲଢେଇ ଚାଲିଥିବା ରାଜସ୍ଥାନରେ ରାହୁଲଙ୍କ ଦେଖା ମିଳୁନି। ଯାହାକୁ ନେଇ ଭିନ୍ନ ଭିନ୍ନ ରାଜନୈତିକ ଚର୍ଚ୍ଚା ହେଉଛି। ରାଜସ୍ଥାନରେ ପ୍ରତି ପାଞ୍ଚବର୍ଷରେ ଥରେ ସତ୍ତା ପରିବର୍ତ୍ତନର ଧାରା ଚାଲିଆସୁଥିବାବେଳେ ଏଥର କଣ ହେବ ତାକୁ ନେଇ ଅନେକ ଆକଳନ ହେଉଛି।

କଂଗ୍ରେସ କ୍ଷମତାକୁ ବଜାୟ ରଖିବା ପାଇଁ ଉଭୟ ପ୍ରମୁଖ ଚେହେରା ମୁଖ୍ୟମନ୍ତ୍ରୀ ଗେହଲୋଟ ଓ ସଚିନ ପାଇଲଟଙ୍କୁ ଗୋଟିଏ ମଞ୍ଚରେ ଏକାଠି କରି ଆଗକୁ ବଢ଼ୁଛି। ସେପଟେ ଅସନ୍ତୁଷ୍ଟଙ୍କୁ ମନାଇବାକୁ ଦଳ ସବୁ ଉଦ୍ୟମ କରିଛି। ତଥାପି କିଛି ଅସନ୍ତୁଷ୍ଟ ସ୍ୱାଧୀନ ଭାବେ ଲଢୁଛନ୍ତି।

କିନ୍ତୁ ଏସବୁ ଭିତରେ ମଧ୍ୟପ୍ରଦେଶ, ଛତିଶଗଡ ଓ ତେଲେଙ୍ଗାନାରେ ଜୋରଦାର ପ୍ରଚାର କରୁଥିବା ରାହୁଲ ଗାନ୍ଧୀ କାହିଁକି ରାଜସ୍ଥାନ ଉପରେ ସେତେଟା ଫୋକସ କରୁନାହାନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି। ରାଜସ୍ଥାନରେ କଂଗ୍ରେସ ଭଲ ପ୍ରଦର୍ଶନ କରିପାରିବ ନାହିଁ ବୋଲି ଆକଳନ କରି ରାହୁଲ ସେଠାକୁ ଯାଉନାହାନ୍ତି କି ବୋଲି ପ୍ରଶ୍ନ ମଧ୍ୟ ହେଉଛି।

ଅନପକ୍ଷରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ପ୍ରମୁଖ ଚେହେରା ବସୁନ୍ଧରା ରାଜେ ସିନ୍ଧିଆଙ୍କୁ ମ୍ୟାନେଜ କରିବା ପାଇଁ ବିଜେପି ଉଦ୍ୟମ କରିଥିଲେ ମଧ୍ୟ ବସୁନ୍ଧରା ଗୋଷ୍ଠୀଙ୍କର ଅସନ୍ତୋଷ ତଥାପି ରହିଛି। ଏସବୁ ଭିତରେ ଉଭୟ କଂଗ୍ରେସ ଓ ବିଜେପିର ହେଭିୱେଟ ମାନେ ଜୋରଦାର ପ୍ରଚାର କରୁଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ପ୍ରମୁଖ ଅଞ୍ଚଳରେ ପ୍ରଚାର କରିଥିବାବେଳେ ଆସନ୍ତା ୧୫ ତାରିଖରେ ବାଡ଼ମେରର ବାୟତୁ ସିଟରେ ନିର୍ବାଚନ ସଭା କରିବେ। ଯାହାକୁ ନେଇ ବିଜେପିର ରାଜ୍ୟ ନେତୃତ୍ୱ ବେଶ ଉତ୍ସାହିତ।

ମୋଦିଙ୍କ ସଭାକୁ ସଫଳ କରିବା ପାଇଁ ରାଜସ୍ଥାନ ବିଜେପି ଅଧ୍ୟକ୍ଷ ସିପି ଯୋଶୀ ବାଡ଼ମେର ଅଞ୍ଚଳରେ ତଦାରଖ କରୁଛନ୍ତି। କାର୍ଯ୍ୟକ୍ରମକୁ ସଫଲ କରିବା ପାଇଁ କେନ୍ଦ୍ର କୃଷି ରାଜ୍ୟମନ୍ତ୍ରୀ କୈଳାଶ ଚୌଧୁରୀ ବିଜେପି କାର୍ଯ୍ୟକାର୍ତ୍ତାଙ୍କ ସହ ବୈଠକ କରିଛନ୍ତି।

ବାଡ଼ମେର ଜିଲ୍ଲାରେ ସାତୋଟି ବିଧାନସଭା କ୍ଷେତ୍ର ରହିଛି। ବାୟତୁ ସିଟରେ କଂଗ୍ରେସର ପଞ୍ଜାବ ପ୍ରଭାରୀ ହରିଶ ଚୌଧୁରୀ ନିର୍ବାଚନ ଲଢ଼ୁଥିବାରୁ ଏହି ସିଟକୁ ଅଧିକ ଗୁରୁତ୍ୱ ଦିଆଯାଉଛି।

ତେଣୁ ମୋଦିଙ୍କ ସଭା ପରେ ଏହି କ୍ଷେତ୍ରରେ କଂଗ୍ରେସ ରାହୁଲ ଗାନ୍ଧୀଙ୍କ ସଭା କରିବାକୁ ଯାଉଛି। ମୋଦିଙ୍କ ସଭା ୧୫ ତାରିଖରେ ଥିବାବେଳେ ରାହୁଲ ଗାନ୍ଧୀ ୧୭ ତାରିଖରେ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ଯକ୍ରମ ରହିଛି ।

କିନ୍ତୁ ନିର୍ବାଚନ ଘୋଷଣା ପରେ ଅନ୍ୟ ରାଜ୍ୟରେ ଜୋରଦାର ଫୋକସ କରୁଥିବା ରାହୁଲ ଗାନ୍ଧୀ ଏ ଯାଏ ରାଜସ୍ଥାନକୁ ଫୋକସ କରିନାହାନ୍ତି। ଯାହାକୁ ନେଇ ଭିନ୍ନ ଭିନ୍ନ ଆକଳନ କରାଯାଉଛି।

ତେଣୁ ମୋଦୀଙ୍କ ସଭା ପରେ ସଭା କରି ବିଜେପିକୁ କଡା ଚ୍ୟାଲେଞ୍ଜ ଦେବାକୁ କଂଗ୍ରେସ ଯୋଜନା କରିଥିବା କୁହାଯାଉଛି। ରାଜସ୍ଥାନକୁ ରାହୁଲ ଆସୁ ନ ଥିବା ବେଳେ ପ୍ରିୟଙ୍କା ଗାନ୍ଧୀ ପ୍ରଚାର ଚଳାଇଛନ୍ତି।

ତେଣୁ ରାଜସ୍ଥାନକୁ ରାହୁଲଙ୍କ ନ ଅସିବା ଚର୍ଚ୍ଚା ମଧ୍ୟରେ ମୋଦିଙ୍କ ସଭା ପରେ ପରେ ସେହି ଅଞ୍ଚଳରେ ରାହୁଲ ସଭା କରିବା ନିଷ୍ପତ୍ତିକୁ ନେଇ ରାଜନୀତି ସରଗରମ ହୋଇଛି।

Leave A Reply

Your email address will not be published.