Latest Odisha News

BREAKING NEWS

ଅକ୍ଟୋବରରେ ଖୁଚୁରା ମୁଦ୍ରାସ୍ପୀତି ୪.୮୭ ପ୍ରତିଶତକୁ ହ୍ରାସ

ନୂଆଦିଲ୍ଲୀ: ଦେଶରେ ଡାଲିଜାତ ଶସ୍ୟ, ପିଆଜ ଭଳି ଖାଦ୍ୟ ସାମଗ୍ରୀର ଦର ଯଦିଓ ସ୍ବାଭାବିକଠୁ ଅଧିକ ରହିଛି ଏହାରି ଭିତରେ କିନ୍ତୁ ସୋମବାର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ, ଅକ୍ଟୋବରରେ ଖୁଚୁରା ମୁଦ୍ରାସ୍ଫୀତି ୪.୮୭%କୁ ଖସି ଆସିଛି। ଯାହା ସେପ୍ଟେମ୍ବରରେ ୫.୨% ଥିଲା। କ୍ରମାଗତ ଦୁଇ ମାସ ମୁଦ୍ରାସ୍ଫୀତି ହ୍ରାସ ପାଇଛି। ନିକଟରେ ରିଜର୍ଭ ବ୍ୟାଙ୍କ ମଧ୍ୟ ମୁଦ୍ରାସ୍ପୀତି ୪% ରହିବ ବୋଲି ଆକଳନ କରିଥିଲା। ଯଦିଓ ଏହା ସେଭଳି ହୋଇନି କିନ୍ତୁ  ନିକଟତର ହୋଇଛି।

ମୁଖ୍ୟତଃ ଖାଦ୍ୟ ସାମଗ୍ରୀର ଦର କମିବା ଯୋଗୁ ମୁଦ୍ରାସ୍ଫୀତି ହ୍ରାସ ପାଉଛି। ଏହାପୁର୍ବରୁ ଅଗଷ୍ଟ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୬.୮୩ ପ୍ରତିଶତ ଏବଂ ଜୁଲାଇ ମାସରେ ୧୫ ମାସର ସର୍ବୋଚ୍ଚ ୭.୪୪ ପ୍ରତିଶତକୁ ପହଞ୍ଚିଥିଲା। ଗତବର୍ଷ ଅକ୍ଟୋବର ୨୦୨୨ରେ ଖୁଚୁରା ମୁଦ୍ରାସ୍ଫୀତି ହାର ୬.୭୭ ପ୍ରତିଶତ ଥିଲା।

ମୁଦ୍ରାସ୍ଫିତିକୁ ନିୟନ୍ତ୍ରଣ କରିବା ପାଇଁ କଠୋର ମୁଦ୍ରାନୀତି ଅବଲମ୍ବନ କରୁଥିବା ଆରବିଆଇକୁ ମୁଦ୍ରାସ୍ଫିତି ହ୍ରାସ କିଛି ମାତ୍ରାରେ ଆଶ୍ୱସ୍ତି ପ୍ରଦାନ କରୁଛି। ତେବେ ସୁଧ ହାର ହ୍ରାସ କରିବା ପୂର୍ବରୁ ମୁଦ୍ରାସ୍ଫୀତି ୪%ରେ ସ୍ଥିର ରହିବା ଆବଶ୍ୟକ ବୋଲି କେନ୍ଦ୍ରୀୟ ବ୍ୟାଙ୍କ କହିଛି।

ଅକ୍ଟୋବରରେ ଆରବିଆଇ ଏହାର ପ୍ରମୁଖ ଋଣ ହାର ରେପୋ ହାରକୁ କ୍ରମାଗତ ଚତୁର୍ଥ ନୀତି ବୈଠକ ପାଇଁ ୫.୧୫% ରେ ସ୍ଥିର ରଖିଛି। କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ ମୁଦ୍ରାସ୍ଫୀତିକୁ ୪% ଲକ୍ଷ୍ୟର ନିକଟତର କରିବା ଉପରେ ଗୁରୁତ୍ୱ ଦିଆଯାଉଛି।

ପରିସଂଖ୍ୟାନ ମନ୍ତ୍ରଣାଳୟ ଖୁଚୁରା ମୁଦ୍ରାସ୍ଫୀତି ହାର ତଥ୍ୟ ପ୍ରକାଶ କରିଛି। ଏହି ତଥ୍ୟ ଅନୁଯାୟୀ ଖାଦ୍ୟ ମୁଦ୍ରାସ୍ଫୀତି ହାରରେ ସାମାନ୍ୟ ହ୍ରାସ ଘଟିଛି। ଅକ୍ଟୋବର ମାସରେ ଖାଦ୍ୟ ମୁଦ୍ରାସ୍ଫୀତି ହାର ୬.୬୧ ପ୍ରତିଶତ ଥିଲା ଯାହା ସେପ୍ଟେମ୍ବରରେ ୬.୬୨ ପ୍ରତିଶତ ଥିଲା।

ଅକ୍ଟୋବର ୨୦୨୨ ମଧ୍ୟରେ ଖାଦ୍ୟ ମୁଦ୍ରାସ୍ଫୀତି ହାର ୭.୦୧ ପ୍ରତିଶତ ଥିଲା। ଗ୍ରାମାଞ୍ଚଳରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୧୨ ପ୍ରତିଶତ ଏବଂ ଖାଦ୍ୟ ମୁଦ୍ରାସ୍ଫୀତି ହାର ୬.୭୧ ପ୍ରତିଶତ ଥିଲା। ଅକ୍ଟୋବର ୨୦୨୩ ରେ ସହରାଞ୍ଚଳରେ ମୁଦ୍ରାସ୍ଫୀତି ହାର ୪.୬୨ ପ୍ରତିଶତକୁ ଖସି ଆସିଥିବାବେଳେ ଖାଦ୍ୟ ମୁଦ୍ରାସ୍ଫୀତି ହାର ୬.୩୫ ପ୍ରତିଶତ ରହିଛି। ଏହାର ଅର୍ଥ ହେଉଛି ଖୁଚୁରା ମୁଦ୍ରାସ୍ଫୀତି କିମ୍ବା ଖାଦ୍ୟ ମୁଦ୍ରାସ୍ଫୀତି, ଗ୍ରାମାଞ୍ଚଳରେ ଉଭୟ ଅଧିକ।

Leave A Reply

Your email address will not be published.