Latest Odisha News

BREAKING NEWS

ରାଜାରାଣୀ ଶାସ୍ତ୍ରୀୟ ସଙ୍ଗୀତ ଉତ୍ସବ- ୨୦୧୩ ଉଦ୍‌ଯାପିତ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ତ୍ରିଦିବସୀୟ ରାଜାରାଣୀ ଉତ୍ସବ ଉଦ୍ଯାପିତ ହୋଇଯାଇଛି । ଅନୁଜା ତାରିଣୀ ମିଶ୍ରଙ୍କସଂଯୋଜନାରେ ଆୟୋଜିତ ଏହି ଉଦ୍‌ଯାପନୀ ସନ୍ଧ୍ୟାରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ସଭାପତି ଗୁରୁ ଅରୁଣା ମହାନ୍ତି, ଉକ୍ରଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରସନ୍ନ କୁମାର ସ୍ୱାଇଁ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ସଚିବ ପ୍ରବୋଧ କୁମାର ରଥ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।

ଅନ୍ତିମ ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମରେ ପ୍ରଖ୍ୟାତ ମର୍ଦ୍ଦଳ ବାଦକ ଗୁରୁ ଧନେଶ୍ୱର ସ୍ୱାଇଁ ଓ ତାଙ୍କ ଛାତ୍ରମାନଙ୍କ ଦ୍ୱାରା ଆଦିତାଳ ଓ ୧୬ ମାତ୍ରାରେ ପ୍ରଥମେ ଜଗନ୍ନାଥଙ୍କ ଉପରେ ନିବଦ୍ଧ ଶବ୍ଦ ସ୍ୱର, ଛନ୍ଦ ପ୍ରକରଣ ସହିତ ଝମ୍ପାତାଳ ଦଶମାତ୍ରାରେ ଏବଂ ଆଦିତାଳ ଷୋଳମାତ୍ରାରେ ଓଡ଼ିଶୀ ମର୍ଦ୍ଦଳରେ ଜମାଣ, ରଗଡ଼, ଖଣ୍ଡି, ବଡ଼ି, ଅରଶା ଓ ଭଉଁରୀ ଅରଶା ଇତ୍ୟାଦିର ବାଦନ ସହ ଓଡ଼ିଶୀ ସଙ୍ଗୀତର ମୁର୍ଚ୍ଛନାକୁ ଅତି ଚମକ୍ରାର ଭାବେ ପରିବେଷଣ କରିଥିଲେ।

ଦ୍ଵିତୀୟ କାର୍ଯ୍ୟକ୍ରମରେ ଆନ୍ତର୍ଜାଜୀୟ ଖ୍ୟାତି ସମ୍ପନ୍ନ କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତର ଗାୟିକା ରଞ୍ଜନୀ ବାଲଶୁଭ୍ରମନ୍ୟମ୍‌ ଓ ଗାୟତ୍ରୀ ବାଲଶୁଭ୍ରମନ୍ୟମ୍‌ଙ୍କ ଦ୍ୱାରା କର୍ଣ୍ଣାଟକୀ ସଙ୍ଗୀତର ବିଭିନ୍ନ ରାଗ ଓ ତାଳକୁ ନେଇ ସଙ୍ଗୀତ ପରିବେଷଣ କରିଥିଲେ। ସେମାନଙ୍କୁ ବେହେଲାରେ ଚରୁମତି ରଘୁରମନ୍‌ ଏବଂ ମୃଦଙ୍ଗମ୍‌ରେ ଡ଼େଲୀ ସଭମ୍‌ ସହଯୋଗ କରିଥିଲେ ।

ଆକର୍ଷଣୀୟ ସାଜସଜ୍ଜା ଏବଂ ଏକାଦଶ ଶତାବ୍ଦୀ ନିର୍ମିତ ରାଜାରାଣୀ ମନ୍ଦିରର ଅପୂର୍ବ କଳା ସ୍ଥାପତ୍ୟ ସହ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ବିଭିନ୍ନ ରାଗ ରାଗିଣୀର ହୃଦୟସ୍ପର୍ଶୀ ପରିବେଷଣ ସହ ଏହି ଉତ୍ସବରେ ଏକ ସଙ୍ଗୀତମୟ ତଥା ମନୋମୁଗ୍ଧକର ପରିବେଶ ସୃଷ୍ଟି କରିଥିଲା ।

Leave A Reply

Your email address will not be published.