Latest Odisha News

BREAKING NEWS

ଶ୍ରୀମନ୍ଦିରରେ ଅନୁକୂଳ ହେବ ରଥ ନିର୍ମାଣ, ୨୧ ଦିନ ଚାପ ଖେଳିବେ ମହାପ୍ରଭୁ

ଆଜି ଶ୍ରୀମନ୍ଦିରରେ ୨ଟି ପର୍ବ ପାଳନ କରାଯିବ । ଗୋଟିଏ ରଥ କାଠ ଅନୁକୂଳ ହେବ ଓ ଅନ୍ୟଟି ମହାପ୍ରଭୁ ନରେନ୍ଦ୍ର ପୁଷ୍କରିଣୀରେ ୨୧ ଦିନ ଧରି ଚାପ ଖେଳିବାର ପରମ୍ପରା ରହିଛି । ପବିତ୍ର ଅକ୍ଷୟ ତୃତୀୟା ଠାରୁ ମହାପ୍ରଭୁଙ୍କ ରଥ ନିର୍ମାଣ ଆରମ୍ଭ ହେବ । ବନଜାଗ ବିଧିରେ ପୂଜା କାର୍ଯ୍ୟ ସହ ସୁନା କୁରାଢିରେ ରଥ କାଠ ଛେଦନ ହେବ ।

ରଥ ନିର୍ମାଣ ଅନୁକୂଳ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଛାମୁଣ୍ଡିଆ ବନ୍ଧା ଯାଇଛି । ପୂଜାର୍ଚ୍ଚନା ପାଇଁ ତିନି ଧଉରା କାଠ ରଖାଯାଇଛି ।

ଆଜି ଅପରାହ୍ଣରେ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବ । ପୂଜାପଣ୍ଡା ସାମନ୍ତ ମହାପ୍ରଭୁଙ୍କ ତିନୋଟି ଆଜ୍ଞାମାଳ ଆଣି ୩ଟି ଧଉରା କାଠ ଉପରେ ରଖିବେ । ଆଜ୍ଞାମଳ ଆସିବା ପରେ ବନଜାଗ ବିଧିରେ ପୂଜାର୍ଚ୍ଚନା ପରେ ରଥ ନିର୍ମାଣ କାର୍ଯ୍ୟର ଅନୁକୁଳ ହେବ । ସେହି ସମୟରେ ପାଟ୍ଟଯୋଶୀ ମହାପାତ୍ର, ତିନି ରଥର ପ୍ରମୁଖ ବିଶ୍ୱକର୍ମା ସେବାୟତଙ୍କୁ ଶାଢି ବାନ୍ଧିବେ ।

ଏହାସହ ଶ୍ରୀଜିଉ ଆଜି ଠାରୁ ୨୧ ଦିନ ଧରି ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବେ । ମଣି ବିମାନରେ ମଦନମୋହନ, ଭୁଦେବା, ଶ୍ରୀଦେବୀ ଚନ୍ଦନ ପୁଷ୍କରିଣୀକୁ ଆସିବେ ।

ସାଥିରେ ପାଲିଙ୍କିରେ ଆସିବେ ରାମକୃଷ୍ଣଙ୍କ ସହ ଶ୍ରୀକ୍ଷେତ୍ରର ପଞ୍ଚ ମହାଦେବ । ଅକ୍ଷୟ ତୃତୀୟରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ପଞ୍ଚୁପାଣ୍ଡବ ଓ ମଦନମୋହନଙ୍କୁ ଧରି ଚନ୍ଦନ ପୁଷ୍କରିଣୀରେ ନାବକେଳି କରିଥାନ୍ତି । ଏଥିପାଇଁ ଚନ୍ଦନ ପୋଖରୀରୁ ଖୁବ୍ ସୁନ୍ଦର ଭାବେ ସଜେଇ ଦିଆଯାଇଛି । ଆଲୋକମାଳାରେ ନରେନ୍ଦ୍ର ପୋଖରୀର ଚନ୍ଦନ ଚକଡା ଓ ମନ୍ଦିରକୁ ସଜେଇ ଦେଇଛି ଶ୍ରୀମନ୍ଦିର ପ୍ରଶାସନ ।

Leave A Reply

Your email address will not be published.