ପ୍ରତିଦାନ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’

ମୁକୁନ୍ଦ ଚୌଧୁରୀ ଆଉ ମାନଗୋବିନ୍ଦ ମହାପାତ୍ର  ଉଭୟେ ପିଲାଦିନର ସାଥୀ । ଗୋଟିଏ ଗାଁରେ ଜନ୍ମ । ଏକାଠି ବଢ଼ିଛନ୍ତି ଉଭୟେ। ଉଭୟଙ୍କ ଚେହେରା ପ୍ରାୟ ଏକା ଭଳି । ଉଚ୍ଚତା ପାଖାପାଖି ଛଅ ଫୁଟ୍ । ପାଞ୍ଚ ହାତର ମଣିଷ । ମୁକୁନ୍ଦ ଟିକିଏ ଗୋରା ଆଉ ମାନଗୋବିନ୍ଦ ଶ୍ୟାମଳ । ଫରକ୍ ଏତିକି ଯେ, ମୁକୁନ୍ଦ ଅତ୍ୟନ୍ତ ଗରିବ । ଜମିବାଡ଼ି ଏଇ କୁଣେ ମାଣେ ଅଛି । ଘର କହିଲେ ଗୋଟିଏ ବଖରା । ତାରି ଭିତରେ ପାଞ୍ଚ ପାଞ୍ଚଟା ପୁଅ ।  ସମସ୍ତେ ସେଇ ଗୋଟିଏ ବଖରାରେ ଆତଯାତ । ମୁକୁନ୍ଦ ନିଜ ସ୍ତ୍ରୀ ସହିତ ଦିନ ସାରା ଜମିରେ ଖଟିଲେ ଘର ଚଳେ ।  ବଡ଼ ପୁଅ ପାରି ଗଲାଣି । ସିଏ ବାପା ସାଙ୍ଗରେ ଜମିରେ ହଳ ବାନ୍ଧେ । ସବା ସାନପୁଅଟା ସାତ ଆଠ ବର୍ଷର ହେଲା ଯାଏଁ ଗାମୁଛାଟେ କଛା ମାରିଦେଇ ବୁଲୁଥାଏ ଯେ, ଆଉ କାହାକୁ ଧରାଛୁଆଁ ଦିଏନି । ଜୀବନରେ କେବେ ସ୍କୁଲ ଦୁଆର ମାଡ଼ି ପାରିଲାନି । ଗୋଟିଏ ଦିନ ପାଇଁ ବାପା ନେଇକି ତାକୁ ସ୍କୁଲରେ ଛାଡ଼ିଥିଲେ । ସିଏ ସ୍କୁଲ ଯିବ ବୋଲି କଷ୍ଟେ ମଷ୍ଟେ ତା ପାଇଁ ହଳେ ନୂଆ ଅଙ୍ଗି ଆଉ ଜଙ୍ଘିଆ କିଣା ହୋଇଥିଲା । ହେଲେ ସ୍କୁଲରେ କୋଉ ପିଲାକୁ ବାଡ଼େଇ ଦେଲା ବୋଲି ମାଷ୍ଟ୍ରେ ଅମରି ବାଡ଼ିରେ ପାହାରେ ଦେଲେ । ସଙ୍ଗେ ସଙ୍ଗେ ଝର୍କା ବାଟ ଦେଇ ଡେଇଁ ବାହାରକୁ ଚମ୍ପଟ୍ ମାରିଲା ସେ । ବାହାରୁ ଅନ୍ଧାଧୁନିଆ ଟେକା ଫିଙ୍ଗିଲା ସ୍କୁଲ ଭିତରକୁ । କାଳେ କୋଉ ପିଲାକୁ ବାଜି ଯିବ ସେଇ ଭୟରେ ମାଷ୍ଟ୍ରେ ଝରକା ବନ୍ଦ କରିବାକୁ ଗଲାବେଳେ ତାଙ୍କ ମୁଣ୍ଡରେ ବାଜିଲା ଗୋଟିଏ ଟେକା । ମୁଣ୍ଡ ଫାଟି ଧାର ଧାର ରକ୍ତ । ସେଦିନଠୁ ମୁକୁନ୍ଦ ଚୌଧୁରୀଙ୍କ ସାନ ପୁଅ ନା ସ୍କୁଲ ଯାଇଛି ନା ପାଠ କଣ ଜାଣିଲା । ସବା ବଡ଼ପୁଅ ମାତ୍ର ଦ୍ୱିତୀୟ ଶ୍ରେଣୀ ପଢ଼ିଛି । ଅଧିକରୁ ଅଧିକ କେବଳ ନିଜ ନାଁଟା ଲେଖିପାରେ । ତାଠୁ ଅଧିକ କିଛି ଜଣା ନାହିଁ । ହେଲେ ଗାଁ ପିଲାଏ ନାଟକ କଲେ ସେ କେବେ ଅର୍ଜୁନ ପାଲଟିଯାଏ ତ କେତେବେଳେ ଯୁଧିଷ୍ଠିର । ବଡ଼ ଆଉ ସାନକୁ ଛାଡ଼ିଲେ ମଝିରେ ଯୋଉ ତିନି ପୁଅ ରହିଲେ, ସେଥିରୁ ଦୁଇ ଜଣ ସେଇ ତିନି ଚାରି କ୍ଲାସ ପାଠ ପଢ଼ିଛନ୍ତି । କେହି ହାଇସ୍କୁଲ ଦେଖିନାହାନ୍ତି । କେବଳ ଗୋଟିଏ ପୁଅ ନିତ୍ୟାନନ୍ଦ ହାଇସ୍କୁଲରେ ପଢ଼ିଲାଣି । ତା ଉପରେ ମୁକୁନ୍ଦ ଚୌଧୁରୀ ଓ ପରିବାରର ଅନ୍ୟ ସମସ୍ତଙ୍କ ନଜର । ସମସ୍ତେ ଚାହୁଁଛନ୍ତି ସେ ପାଠ ପଢୁ । ଅନ୍ତତଃ ପାଠ ପଢ଼ିଲେ ସେ କିଛି କରିପାରିବ । ତା ସହିତ ସେମାନଙ୍କ ପରିବାରର ଦାରିଦ୍ର୍ୟ ଦୂର ହୋଇପାରିବ । ସେଇ ଆଶାରେ ସମସ୍ତେ ଜମିରେ କାମ କରନ୍ତି । କିନ୍ତୁ ପାଠ ପଢୁଆ ପୁଅ ନିତ୍ୟାନନ୍ଦକୁ କେବେ ବି ବିଲ ହିଡ଼ରେ ଠିଆ କରାଇ ଦେଇନାହାନ୍ତି ସେମାନେ ।

ଏଣେ ମୁକୁନ୍ଦଙ୍କ ବାଲ୍ୟବନ୍ଧୁ ମାନଗୋବିନ୍ଦ ମହାପାତ୍ର ହେଉଛନ୍ତି ଗାଁ ମୁଖିଆଙ୍କ ପୁଅ । ବାପା ଜେଜେ ଅମଳରୁ ଅମାପ ସମ୍ପତ୍ତିର ଅଧିକାରୀ । ଜମିବାଡ଼ିର ଅଭାବ ନାହିଁ । ଘରେ ଗୋଠେ ଗାଈ । ରାତି ପାହିଲେ ହଳିଆ ମୂଲିଆ ଗଣ୍ଡା ଗଣ୍ଡା ଦୁଆର ମୁହଁରେ ହାଜର । ଯାହା ଚାହିଁଲେ ତାହା କରିବାର କ୍ଷମତା ରଖିଛନ୍ତି । ସେଥିପାଇଁ ନିଜ ଇଚ୍ଛା ମୁତାବକ କାମ କରନ୍ତି ମାନଗୋବିନ୍ଦ । ତାଙ୍କ ବୁଢ଼ା ବାପା ମଲା ପରେ, ସେ ଏବେ ଗାଁ ମୁଖିଆ । ଗାଁରେ ଯଦିଓ କମିଟି ଅଛି, କିନ୍ତୁ ସେ କମିଟି କେବଳ ମାନଗୋବିନ୍ଦଙ୍କ ନିର୍ଦ୍ଦେଶ ପାଳନ କରିବା ପାଇଁ । ଗାଁ ସଭାରେ ସମସ୍ତ ଏକତରଫା ନିଷ୍ପତ୍ତି ନେଲେ ବି ମାନଗୋବିନ୍ଦଙ୍କ ବିରୋଧରେ କେହି ପାଟି ଖୋଲନ୍ତି ନାହିଁ । ମାନଗୋବିନ୍ଦଙ୍କର ବି ପାଞ୍ଚଟା ପୁଅ ଆଉ ଦୁଇଟା ଝିଅ । ଝିଅ ଦୁଇଟାକୁ ବଡ଼ କଷ୍ଟେ ମଷ୍ଟେ ସେ ବାହା କରାଇ ବିଦା କରିଦେଇଛନ୍ତି । କିନ୍ତୁ ପୁଅଗୁଡ଼ାକ ଏକହୁଁ ଆରେକ ବଳି । ମାନେ ଲଙ୍କାରେ ଯେତେକ ଜାତ, ସମସ୍ତେ ବାସ୍ତରୀ ହାତ .. ନ୍ୟାୟରେ, ପାଞ୍ଚଟା ଯାକ ପୁଅ ବଦମାସଙ୍କ ପରମଗୁରୁ । ପ୍ରତିଦିନ କାହା ନା କାହା ସାଙ୍ଗରେ ଗଣ୍ଡଗୋଳ କରିବା, ମାରପିଟ୍ କରିବା, ଅନ୍ୟର ଝିଅ ବୋହୂଙ୍କୁ କୁଦୃଷ୍ଟିରେ ଦେଖିବା, ଅନ୍ୟକୁ ଡରେଇବାରେ ଢେର ଆନନ୍ଦ ପାଆନ୍ତି ଏହି ପାଞ୍ଚ ଭାଇ । ଜମିବାଡ଼ି, ଧନସମ୍ପତ୍ତି ସବୁ କିଛି ଥାଇ ବି ଏମାନେ କେବେ ପାଠ ପଢ଼ିବା କଥା ଚିନ୍ତା କରିନାହାନ୍ତି । ବଡ଼ ଦୁଇ ଜଣଙ୍କୁ କେବଳ ଦସ୍ତଖତ କରିବା ଦକ୍ଷତା ହସ୍ତଗତ ହୋଇଛି । ଅନ୍ୟ ତିନି ଜଣଙ୍କୁ ବାଟି ପିଆଇ ଦେଲେ ବି କାହିଁକି ବା ଗୋଟିଏ ଅକ୍ଷର ଆସିଥାନ୍ତା । ତେଣୁ ଉଭୟ ପରିବାରକୁ ତୁଳନା କଲେ, ମୁକୁନ୍ଦଙ୍କ ଘରୁ ପୁଅଟିଏ ପାଠ ପଢୁଛି ସେଇଟା ବଡ଼ ଗୌରବର ବିଷୟ । ତା ଛଡ଼ା ମାନଗୋବିନ୍ଦଙ୍କ ପିଲାମାନେ ଉତଶୃଙ୍ଖଳ ଥିବା ବେଳେ ମୁକୁନ୍ଦଙ୍କ ପିଲାମାନେ ତୁଳନାତ୍ମକ ଭାବେ ନମ୍ର, ଭଦ୍ର ଓ ଶୃଙ୍ଖଳିତ । ନିଜ ପିଲାମାନଙ୍କୁ ତାଗିଦ୍ କରିବାରେ ଦୁନିଆର ସବୁଠୁ ଆଗରେ ରହିବେ ମୁକୁନ୍ଦ ଚୌଧୁରୀ । କିନ୍ତୁ ତାର ଠିକ୍ ଓଲଟା ମାନଗୋବିନ୍ଦ । ଗାଁର ସମ୍ପତ୍ତି ଓ ପ୍ରତିପତ୍ତି ସବୁଥିରେ ଆଗୁଆ ଓ ଶ୍ରେଷ୍ଠ ବୋଲି ଦେଖେଇ ହେବା ଭିତରେ ସେ ନିଜ ପିଲାମାନଙ୍କୁ ଠିକ୍ ଭାବେ ଗଢ଼ିପାରି ନଥିଲେ ।

ଦିନେ ଗାଁ ଦାଣ୍ଡରେ ଭାଦ୍ରବ ମାସର କାଳି ଜହ୍ନିଆ ଜହ୍ନରାତି । ଏତିକି ବେଳେ ମୁକୁନ୍ଦଙ୍କ ହାଇସ୍କୁଲ ପଢୁଆ ପୁଅ ନିତ୍ୟାନନ୍ଦ ନିଜ ସାଙ୍ଗମାନଙ୍କ ସହିତ ଖେଳୁଥାଏ । ହଠାତ୍ ମୁକୁନ୍ଦଙ୍କ ନଜର ପଡ଼ିଲା ତାରି ଉପରେ । କ୍ଷଣକ୍ରୋଧୀ ମଣିଷଟା ସେ ପୁଅକୁ କିଛି କହିବା ପୂର୍ବରୁ, ନିଜ ଘର ଭିତରକୁ ଧାଇଁ ଯାଇ ଝାଟି ଝାନ୍ଥରେ ଝୁଲୁଥିବା ସ୍କୁଲ ବ୍ୟାଗଟାକୁ ଧରି ଆସିଲେ । ତା ଭିତରେ ଥିବା ବହିପତ୍ର ଓ ସ୍କୁଲ ଏନସିସି ୟୁନିଫର୍ମକୁ ନେଇ ବାରିପଟେ ଥିବା  ଶାଗ କିଆରିରେ ଫିଙ୍ଗିଦେଲେ ମୁକୁନ୍ଦ । ବାପାଙ୍କ ଏ ରାଗ ଦେଖି ପୁଅର ଆଉ ସାହସ ହେଉନଥିଲା, ତାଙ୍କ ପାଖକୁ ଯିବାକୁ । ଏ ସବୁ ପଛରେ ମୁକୁନ୍ଦଙ୍କ ଏକମାତ୍ର ସ୍ୱାର୍ଥ ଥିଲା ନିଜ ପିଲାମାନଙ୍କୁ ମାନଗୋବିନ୍ଦଙ୍କ ପିଲାଙ୍କଠାରୁ ଦୂରେଇ ରଖିବା । କିଛି ସମୟ ମଧ୍ୟରେ ମୁକୁନ୍ଦ ଶାନ୍ତ ହେବା ପରେ ନିଜେ ହିଁ ପୁଣି ସେଇ ଶାଗ କିଆରିରୁ ପୁଅର ବ୍ୟାଗ୍ ଏବଂ ୟୁନିଫର୍ମ ଉଠାଇ ଆଣି ପୁଣି ସେହି କାନ୍ଥ କାଠିରେ ଟାଙ୍ଗି ଦେଲେ । ବାପାଙ୍କ ଆଶା ଭରସାକୁ ନଜରରେ ରଖି ଖୁବ୍ ଶୃଙ୍ଖଳିତ ହୋଇଯାଇଥିଲା ନିତ୍ୟାନନ୍ଦ ।

ଏଇ କେତେ ବର୍ଷ ହେଲା ମାନଗୋବିନ୍ଦଙ୍କ ପୁଅମାନେ ତାଙ୍କୁ ଅଣଦେଖା କରିବା ଆରମ୍ଭ କରିଦେଇଛନ୍ତି । ସେମାନେ ଆଉ ବାପା କଥା ଶୁଣିବାକୁ ନାରାଜ । ଫଳରେ ବାରମ୍ବାର ଗାଁ ଲୋକଙ୍କ ସାମ୍ନାରେ ଅପମାନିତ, ନିନ୍ଦିତ ହେବାକୁ ପଡୁଛି ମାନଗୋବିନ୍ଦଙ୍କୁ । ଦିନେ କଣ ଗୋଟାଏ ଛୋଟିଆ କଥାକୁ ନେଇ ବାପା ପୁଅଙ୍କ ଭିତରେ ବଚସା ହେବାରୁ, ମାନଗୋବିନ୍ଦଙ୍କୁ ଘରୁ ବାହାର କରିଦେଇଛନ୍ତି ପାଞ୍ଚଟା ଯାକ ପୁଅ । ସେ ଓ ତାଙ୍କ ସ୍ତ୍ରୀ ଉଭୟେ ରହୁଛନ୍ତି ଦାଣ୍ଡ ବାରଣ୍ଡା ଉପରେ । ଘର ଭିତରେ ସେମାନଙ୍କ ପାଇଁ ସ୍ଥାନ ନାହିଁ । ମାନଗୋବିନ୍ଦଙ୍କ ଏ ଦୁର୍ଦ୍ଦଶା ଦେଖି ନିଜକୁ ନିୟନ୍ତ୍ରଣ କରିପାରିଲେ ନାହିଁ ମୁକୁନ୍ଦ । ମାନଗୋବିନ୍ଦଙ୍କ ଘରକୁ ଯାଇ, ତାଙ୍କ ପୁଅମାନଙ୍କୁ ଯେଚ୍ଛାତା କହିଲେ ମୁକୁନ୍ଦ । ତେବେ ବାପାଙ୍କ ବୟସର ବାପାଙ୍କ ସାଙ୍ଗ ବୋଲି ଜାଣିବା ସତ୍ତ୍ୱେ ମୁକୁନ୍ଦଙ୍କୁ ଦୁର୍ବ୍ୟବହାର କଲେ ମାନଗୋବିନ୍ଦଙ୍କ ପୁଅମାନେ । ଏଥିରେ ନିଜର ନିୟନ୍ତ୍ରଣ ହରାଇ ଏମିତି ରାଗିଗଲେ ଯେ, ତାଙ୍କର ହଠାତ୍ ରକ୍ତଚାପ ବଢ଼ିଗଲା । ଆଉ ସେ ସେଠାରେ ହିଁ ଓଲଟି ପଡ଼ିଲେ । ଦୂରରେ ଥାଇ ଏ ଦୃଶ୍ୟ ଦେଖୁଥିବା ଗାଁର ଅନ୍ୟ ଲୋକମାନେ ଦୌଡ଼ି ଆସିଲେ। ସମସ୍ତେ ମିଶି ମୁକୁନ୍ଦଙ୍କୁ ଡାକ୍ତରଖାନାକୁ ତ ନେଲେ, ହେଲେ ତାଙ୍କ ଶରୀରର ଡାହାଣ ଅଙ୍ଗକୁ ବଞ୍ଚାଇ ପାରିଲେ ନାହିଁ । ସବୁଦିନ ପାଇଁ ସେ ପକ୍ଷାଘାତ ରୋଗରେ ପୀଡ଼ିତ ହୋଇ ନିଜର ଡାହାଣ ହାତ ଓ ଗୋଡ଼କୁ ହରାଇଲେ । ଏବେ ସେ ସମ୍ପୂର୍ଣ୍ଣ ଶଯ୍ୟାଶାୟୀ । କିନ୍ତୁ ମୁକୁନ୍ଦଙ୍କ ପିଲାମାନେ କିନ୍ତୁ ଦିନରାତି ଏକ କରିଦେଇଛନ୍ତି ବାପା ପାଇଁ ।

ସାତ ବର୍ଷ ଧରି ଶେଯରେ ପଡ଼ି ରହିଛନ୍ତି ମୁକୁନ୍ଦ । ଚଳି ପାରୁନାହାନ୍ତି ସେ । ଏଣେ ପୁଅମାନଙ୍କ ଦ୍ୱାରା ଉପେକ୍ଷିତ ହେବା ପରେ ଗାଁରେ ଏକଦା ନିଜର ଆଧିପତ୍ୟ ଜାହିର କରିଥିବା ମାନଗୋବିନ୍ଦ ନିଜର ଦିନ ଗଣୁଛନ୍ତି । କେମିତି ସେ ନିଜ ପିଲାମାନଙ୍କୁ ଦେଇଥିବା ସ୍ୱାଧୀନତାର ସେମାନେ ଅପବ୍ୟବହାର କରୁଛନ୍ତି ତାର ପ୍ରତିଦାନରେ ତାଙ୍କୁ କଣ ମିଳିଛି ।

ଏଇ ସାତ ବର୍ଷ ଭିତରେ ନିତ୍ୟାନନ୍ଦ ଏମ୍.ଏ. ପାସ୍ କରି ସମସ୍ତଙ୍କୁ ଚକିତ କରାଇ ଦେଇଛି । ଘରେ କିନ୍ତୁ ସେ ବାବଦରେ ତା ବାପା. ଭାଇ କିମ୍ବା ଅନ୍ୟ କାହାକୁ କିଛି ଜଣା ନାହିଁ । ଦିନେ ସକାଳୁ ସକାଳୁ  ଦୌଡ଼ି ଯାଇ ବାପାଙ୍କ ସାମ୍ନାରେ ଠିଆ ହୋଇପଡ଼ିଲା ନିତ୍ୟାନନ୍ଦ । ପଛପଟେ ଲୁଚାଇଥିବା ଖବର କାଗଜଟା ବାହାର କରି ଦେଖାଇ ଦେଲା ବାପାଙ୍କୁ । ଯେଉଁଥିରେ ସେ ବିଶ୍ୱବିଦ୍ୟାଳୟ ଟପ୍ପର୍ ହେବା କଥାଟା ଅତି ସ୍ପଷ୍ଟ ଭାବେ ଲେଖା ହୋଇଥିଲା । ଆଉ ତା ସାଥିରେ ସେହି ଖବରରେ ହିଁ ବାପା-ମାଆ ହିସାବରେ ଲେଖାଥିଲା ମୁକୁନ୍ଦ ଚୌଧୁରୀ ଓ ତାଙ୍କ ସ୍ତ୍ରୀଙ୍କ ନାଁ ।

ମୁକୁନ୍ଦ ଏତେ ଗଦଗଦ୍ ହୋଇଯାଉଥିଲେ ଯେ ଖୁସିରେ ତାଙ୍କ ଆଖିରୁ ଝରି ଆସୁଥିଲା ଲୁହ । ଏଇ ଖୁସି ଖବରଟା ଦେବା ପାଇଁ ସେ ମାନଗୋବିନ୍ଦଙ୍କ ପାଖକୁ ଯିବାକୁ ଚାହୁଁଥିଲେ ବି, ତାଙ୍କ ପକ୍ଷାଘାତ ଶରୀର ସମର୍ଥନ କରୁନଥାଏ । ହେଲେ ବାପାଙ୍କ ମନକଥାଟା ଠିକ୍ ବୁଝି ପାରୁଥିଲା ନିତ୍ୟାନନ୍ଦ । ଯେଉଁ କଥାଟା ବ୍ୟଥିତ କରିବ ଭାବି ଏତେ ଦିନ ଧରି ସେମାନେ ତାଙ୍କୁ କହିନଥିଲେ, ତାହା ଏବେ କହିବାର ବେଳ । ଏଇଆ ଭାବି ସେ ବାପାଙ୍କୁ କହିଲା ଯେ ତାଙ୍କ ବାଲ୍ୟବନ୍ଧୁ ମାନଗୋବିନ୍ଦ ଆଉ ନାହାନ୍ତି । ନିଜ ପିଲାମାନଙ୍କ ଦ୍ୱାରା ଅବହେଳିତ ଓ ଉପେକ୍ଷିତ ହେବା ପରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ ମାନଗୋବିନ୍ଦ । ଆଉ ମାତ୍ର ଦୁଇ ଦିନର ଜ୍ୱର ପରେ ସେ ଆଖିବୁଜିଲେ । ତାଙ୍କୁ ପରଲୋକ ହେବାର ସପ୍ତାହେ ହେଲାଣି । ଏଇତକ କଥା ଶୁଣି ଭୋ ଭୋ ହୋଇ କାନ୍ଦି ଉଠିଲେ ମୁକୁନ୍ଦ । ସେହି କାନ୍ଦୁରା କଣ୍ଠରେ ହିଁ କହିଲେ, ବାପାମାଆଙ୍କ ଜୀବନ ତମାମ ଦାନର ଏଇଆ ହିଁ ପ୍ରତିଦାନ ।

ବିଭାଗୀୟ ମୁଖ୍ୟ,
ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍
ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ
ଫୋନ୍- ୯୯୩୭୨୫୨୪୬୪