ନୂଆଦିଲ୍ଲୀ: ଭାରତର ଷ୍ଟାର ୱିକେଟକିପର ରିଷଭ ପନ୍ତଙ୍କ ଉପରୁ ଧୀରେ ଧୀରେ ଚୟନ କମିଟି ଏବଂ ପ୍ରଶଂସକଙ୍କ ଭରୋଷା ଉଠିବାରେ ଲାଗିଛି । ଚଳିତ ଆଇପିଏଲରେ ପନ୍ତ ଲକ୍ଷ୍ନୌ ସୁପର ଜ୍ୟାଂଟସର ନେତୃତ୍ୱ ନେଉଛନ୍ତି । ଦଳର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ପନ୍ତ ବ୍ୟକ୍ତିଗତ ଭାବେ ଭଲ ପ୍ରଦର୍ଶନ କରି ନାହାନ୍ତି । ରିପୋର୍ଟ ମୁତାବକ ଚୟନ କମିଟି ଆଗାମୀ ଦିନିକିଆ ବିଶ୍ୱକପକୁ ଆଖି ଆଗରେ ରଖି ଦଳ ଚୟନ କରିବାକୁ ଚାହୁଁଛନ୍ତି । କେଏଲ ରାହୁଲଙ୍କ ପରେ ସଞ୍ଜୁ ସାମସନ ସେମାନଙ୍କ ଦ୍ୱିତୀୟ ପସନ୍ଦ ରହିଛନ୍ତି । ଧ୍ରୁବ ଜୁରେଲ ମଧ୍ୟ ନଜରରେ ଅଛନ୍ତି । ମାତ୍ର ପନ୍ତ ଏହି ଦୌଡରେ ଧୀରେ ଧୀରେ ପଛରେ ପଡି ଯାଉଛନ୍ତି । ସଞ୍ଜୁ ଟି୨୦ ବିଶ୍ୱକପରେ ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଂଟ ହେବା ପରେ ଏବେ ଆଇପିଏଲରେ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି ।
ଅପରପକ୍ଷରେ ପନ୍ତ ଏଥର ଆଇପିଏଲରେ ମଧ୍ୟ ପ୍ରଶଂସକଙ୍କୁ ନିରାଶ କରିଛନ୍ତି । ଜୁନ ୧୪ରୁ ଆଫଗାନିସ୍ତାନ ବିପକ୍ଷରେ ଭାରତ ଦିନିକିଆ ସିରିଜ ଖେଳିବ । ପନ୍ତ ଆନ୍ତର୍ଜାତୀୟ ଟି୨୦ରେ ତାଙ୍କ ସ୍ଥାନ ହରାଇ ସାରିଛନ୍ତି । ଜୁଲାଇ ୨୦୨୪ ପରଠାରୁ ସେ ଆଉ ଭାରତ ପକ୍ଷରୁ ଟି୨୦ ଖେଳି ନାହାନ୍ତି । ବିଶ୍ୱକପ ପୂର୍ବରୁ ଭାରତୀୟ ଟିମ ୨୦ଟି ଦିନିକିଆ ମ୍ୟାଚ ଖେଳିବ । ଏହି ମ୍ୟାଚଗୁଡିକରେ ଖେଳାଳିଙ୍କ ପ୍ରଦର୍ଶନ ଉପରେ ଚୟନ କମିଟି ନଜର ରଖିଛି । ଆଇପିଏଲ ଏବଂ ଏହି ଆନ୍ତର୍ଜାତୀୟ ମୁକାବିଲା ମାଧ୍ୟମରେ ଖେଳାଳିଙ୍କ ଦକ୍ଷତା, ଫର୍ମ ଏବଂ ଫିଟନେସକୁ ଆଖି ଆଗରେ ରଖାଯାଇ ଦଳ ଚୟନ କରାଯିବ ବୋଲି ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି ।