କବିତା: ପ୍ରଭୁ ହେ…

ବିମଳା ଶଂକର ଦାଶ

ପ୍ରଭୁ ହେ…ତୁମେ ତ କରୁଣା ନିର୍ଝର
ତଥାପି ଦାସକୁ କଲ ପର
ଭକ୍ତକୁ ରଖି ନିଜଠୁ ଦୂର ….ହେଲ କି ନିଷ୍ଠୁର….(ପଦ)

ପ୍ରଭୁ ହେ….
ପ୍ରତି ପ୍ରଭାତରେ ପୂଜୁଥାଏ ନିତି
ଭକତି ଭାବରେ ହଜି
ସଂଜ ନଇଁ ଗଲେ ନୟନ ଯୁଗଳ
ଅଶ୍ରୁଜଳେ ଯାଏ ଭିଜି
ଆକୁଳେ ଭକତ ପଚାରେ ଠାକୁର
ଯାଇଛି କି ଶୁଖି କରୁଣା ଧାର……(୧)

ପ୍ରଭୁ ହେ ….
କରୋନା କାଳରେ ମାୟାଜାଲ ରଚି
ଶ୍ରୀ ମନ୍ଦିରେ ଗଲ ଛକି
କଳା ଶ୍ରୀମୁଖକୁ ଲୁଚାଇଣ ରଖି
ମଉନେ ହସ ମୁରୁକି
ବାହାର ବେଢାରୁ ଦେଖି ନୀଳଚକ୍ର
ଆତୁରେ ବୁଝାଏ ମନକୁ ମୋର ………(୨)

ପ୍ରଭୁ ହେ…
ତୁଳସୀ ଦୟଣା କିଛି ମିଳୁନାହିଁ
ଅଥୟ ହୁଏ ପରାଣ
ଆନନ୍ଦ ବଜାର ଟଙ୍କ ତୋରାଣିର
ତୃଷାରେ ମୁଁ ମିୟମ୍ରାଣ
ଭକ୍ତବନ୍ଧୁ ତୁମେ ହୋଇଲ ପଥର
ଅଥୟ କରିଲ ସାରା ସଂସାର …….(୩)

ପ୍ରଭୁ ହେ…
ହୃଦ ମାନସରେ ଦେଖି ତୁମ ଛବି
କରୁଅଛି ନିବେଦନ
ସିଂହ ଦ୍ବାର ଖୋଲା ରହୁ ଅନୁକ୍ଷଣେ
ଦେଉଥାଅ ଦରଶନ
ଜଗତର କଷ୍ଟ ଯେତେ ବା ସଂକଟ
ହେଳେ ହରି ନିଅ କଳା ଠାକୁର……(୪)