କବିତା : ସୁନେଲୀ ସପନ

“ଆନ୍ତର୍ଜାତିକ ଶାନ୍ତି ଦିବସ” ଉପଲକ୍ଷେ 

ଡାକ ଏବେ ସମସ୍ତଙ୍କୁ
ମୁକ୍ତାକାଶ ତଳେ ଆସି ଏକତ୍ରିତ ହେବା ,
ସମୟର ପ୍ରମତ୍ତପଣକୁ
ବିଧିର ଭସ୍ମଭାବି ଦେହରେ ବୋଳିବା ,
ବେଜାଏ ଦୁଃଖ ଧରି
ବସିଥିବା ମାନଙ୍କୁ ମନେଇବା,
ଅସନା ଆବର୍ଜନା ଯେତେ ସବୁ
ବାଛି ଶୂନ୍ୟରେ ତା’ କବର ତୋଳିବା।
ବିଷାଦର କାଳିମାକୁ ମୁହଁରୁ ପୋଛିବା।

ଆଗେ ନୁହେଁ , ପଛେ ବି ନୁହେଁ
ପରସ୍ପର ହାତଧରି ଆଗକୁ ଚାଲିବା
ଏଇମିତି ଚାଲୁ ଚାଲୁ
ବିଶ୍ଵବ୍ୟାପୀ ମାନବଶୃଙ୍ଖଳଟିଏ
ଅବଶ୍ଯ ଯୋଡିବା,
ନୁହେଁ କିଛି ବି ଅକର୍ତ୍ତବ୍ୟ
ଏ ସଂସାରେ, ଜୀବନର ଅମୂର୍ତ୍ତ ଡାକରେ
ହୃଦଖୋଲି ଆଗକୁ ବଢିବା।

ଦୀର୍ଘ ପଥ ଚାଲିବାରେ ଦିନେ
ବଦଳିବ ଦୃଶ୍ୟପଟ କିପରି ଦେଖିବା ,
ଆଜି ଆମେ ଶତ୍ରୂ ବୋଲି ଯାହାକୁ କହୁଛେ
ନିଶ୍ଚେ ସିଏ ପାଲଟିବ ଦିନେ
ପରମ ମିତ୍ରଟିଏ ଅବା!
ଆସ ଏକାଠି ହସିବା ପାଇଁ ସୁଯୋଗ ଖୋଜିବା
ସପନର ସୁନେଲୀପଣକୁ ଆସ
ଏକାଠି ଭୋଗିବା ଆଉ
ଏକାଠି ବଞ୍ଚିବା ।