Latest Odisha News

BREAKING NEWS

କବିତା:ଏମିତି କଣ ହୋଇପାରେ କାହାଣୀ ଶେଷରେ

ଦେବଯାନୀ ତ୍ରିପାଠୀ
ମୁଁ ଗୋଟିଏ କବିତାର ଜୀବନ ବଞ୍ଚୁଛି
ମୋ ଆଖିରେ ଭଲପାଇବାର
ସମୁଦ୍ର ସମୁଦ୍ର ଲହଡି
ତଥାପି ତୁମେ ଦେଖିପାରୁଛ
ସେଠି ଦରଫୁଟା ମଲ୍ଲୀର ଦୁଃଖ
ଶୁଣିପାରୁଛ ଗୋଟେ ଏକଲା ସମୟର ଶୋକଗୀତ।

ତୁମକୁ ଲାଗେ ସେଠି ଆଜିକାଲି
ଉଜୁଡି ଯାଇଥିବା ସ୍ଵପ୍ନ ମାନଙ୍କ ଭିଡ
ମୋ ମୋବାଇଲର ରିଂ ଟୋନରେ ଶୁଭେ
ଗୋଟେ ଅଦ୍ଭୁତ କାନ୍ଦଣାର ସ୍ଵର
ମୋ ଦେହରୁ ଆସେନି ମଲ୍ଲୀ ଫୁଲର ମିଠା ମିଠା ବାସ୍ନା
ମୋ ଆକାଶରେ ତାରାମାନେ କାନ୍ଦନ୍ତି ଫୁଲିଫୁଲି
ବିଧବାର ଶାଢୀ ପରି ବିଛେଇ ପଡିଥିବା ଉଦାସ ଜହ୍ନରାତିରେ।

ସତେକି ସମୟ ଥମ କରି ଅଟକି ଯାଇଛି
ମୋ ପୃଥିବୀରେ ତୁମ ଅପେକ୍ଷାରେ
ତୁମେ କଣ ଦେଇପାରିବ ମୋତେ ମୋ ସ୍ଵପ୍ନ ରଙ୍ଗର ପୃଥିବୀ?
ଦେଇପାରିବ ମୋ ଶୀତଫଟା ଓଠରେ ବଂଶୀର ଧୂନ
ଯାହାର ତାଳେତାଳେ ମୁଁ ନାଚିବି ଅଦ୍ଭୁତ ରୋମାଞ୍ଚରେ?

ତୁମେ କହ, ଆସ ଆଜି ବର୍ଷାର
ଭିଜା ଭିଜା ସହରରେ ଘର କରିବା
ଛୁଇଁ ପାରିବନି ଯେଉଁଠି ଜଗତ ଯାକର ଘୃଣା କି ଈର୍ଷା
ଚତୁର୍ଥୀର ଚନ୍ଦ୍ରମାରେ ଆଲୋକିତ ଆମ ପ୍ରେମର ନୀଡ଼କୁ
ପୁଣି ଥରେ ଗୋଟିଏ ନୂଆ ଜନ୍ମନେବା ଗୋଟିଏ ନୂଆ ମାନଚିତ୍ରରେ।

କହତ ଏମତି କଣ ହୋଇପାରେ କାହାଣୀର ଶେଷରେ?
ଏଇ ଘୋର ଅନ୍ଧାରକାଳ ରେ?

୨୬୩୦, ହାଲନ ଷ୍ଟ୍ରୀଟ, ଅଇଡାହୋ ଫଲ୍ସ, ଅଇଡାହୋ, ଯୁକ୍ତରାଷ୍ଟ୍ର ଆମେରିକା

Leave A Reply

Your email address will not be published.