ଯଶୋବନ୍ତୀ ରାଉତ
ରେ ମନ,
ତୋତେ ବାନ୍ଧି ଯଦି ହେଉଥାନ୍ତା
ପ୍ରୀତିରେ,ସ୍ମୃତିରେ,
ହସରେ, ଲୁହରେ,
ଧ୍ୟାନ ଅବା ଧାରଣାରେ,
ଗୀତ ଅବା ଗଳ୍ପରେ,
ଚଞ୍ଚଳ ଅସ୍ଥିର ବୋଲି
କେମିତି ତୁ ଛାପି ହେଇଥାନ୍ତୁ
ପ୍ରତି ହୃଦୟରେ !!
ତଥାପି ମନେ ରଖିବୁ
ସମୟ ଆଉ ଭାଗ୍ଯ
ଏମିତି ପରିବର୍ତ୍ତନଶୀଳ ଯେ
ତୋ ଅହଂକାରର ତାଣ୍ଡବ
ତା’ ପାଇଁ ମୁହୂର୍ତ୍ତଟେ ବି ନୁହେଁ
ମନେ ରଖିବୁ
ଲଢି ପାରୁଥିବା ଯାଏ
ଆଣ୍ଟ ନେଇ ଲଢିବୁ ,
ମୁଣ୍ଡ ଉପରେ ପାଣି ବହିବା ପରଠୁ
ଦୁଇ ହାତ ଟେକି
ସକଳ ଜଞ୍ଜାଳ ତାକୁ ସମର୍ପି ଦେବୁ,
ଚିନ୍ତା କଲେ ଖାଲି ନିଜକୁ ଅସହାୟ ପାଇବୁ
ଆଉ ତା’ ସର୍ଜନା ଉପରେ
ସନ୍ଦେହର ପ୍ରଶ୍ନବାଚୀଟିଏ ତିଆରି କରିବୁ
ସୁଗୁଣଟିଏ ଦେଖିଲେ
ହୃଦୟରେ ତୋଳି ରଖିବୁ,
ଦୁର୍ଗୁଣଟିଏ ଦେଖିଲେ
ତା’ଭିତରେ ନିଜକୁ ଢାଳି
ତୋ ମନ ଆଇନାରେ ଦେଖିବୁ,
ସତରେ କ’ଣ ଦୁର୍ଗୁଣକୁ ଗହଣା କରି
ତୁ ସୁନ୍ଦର ଦିଶିବୁ…!!
ମନେ ରଖିବୁ,
ଧୈର୍ଯ୍ୟ ଓ ସହନଶୀଳତା
ତୋର ଦୁର୍ବଳତା ନୁହେଁ,
ଏ ଏମିତି ସବୁ ଚରିତ୍ର
ଯାହା ସଭିଙ୍କ ଚରିତ୍ରରେ ଚିତ୍ରିତ ନ ଥାଏ
ଟିକିଏ ମିଠାପଣ ଫେଣ୍ଟି ପାରିବୁ
ଯଦି ମୁହଁରେ ,
ସୁସ୍ବାଦୁ ଲାଗିବ ତୋ ପାଇଁ ସମ୍ପର୍କ,
ଟିକିଏ ଆପଣାପଣ ଫେଣ୍ଟି ପାରିବୁ
ଯଦି ହୃଦୟରେ,
ପ୍ରେମମୟ ଲାଗିବ ତୋତେ ପ୍ରତିଟି ହୃଦୟ…
ବାହ୍ଯ ପରିପାଟୀରେ ମାତିବୁନି
ତୋର ବିଚାରଧାରା ହିଁ ତୋର ପରିଚୟ,
ସୁନ୍ଦରତା ରୂପରେ ନ ଥାଏ
ହୃଦୟର ସୁନ୍ଦରତାକୁ
ଆୟ ଅଳଙ୍କାରରେ ଖୋଜିବୁନି
ସଚ୍ଚା ମିତ୍ର, ସଚ୍ଚା ବନ୍ଧୁ ,ସଚ୍ଚା ବିଚାର
ତୋ ଜାତି ଗୋତ୍ର କୁଳ ତୋତେ ଦେବନି
ଯାହାକୁ ନେଇ ତୁ ପ୍ରଶାନ୍ତିର ଜୀବନଟେ ଜୀଇଁବୁ,
ସତ୍ ବ୍ଯବହାର ,ସୁବିଚାର ହିଁ ତୋ ଶକ୍ତି
କେବେ ଭୁଲି ଯିବୁନି
ବହୁତ ଗୁଡାଏ କଥା
ତୋତେ କହିଲି ରେ ମନ,
ଉପଦେଶ ଭାବିବୁନି
ଖୁବ୍ ଚଞ୍ଚଳ ବୋଲି ତୁ
ଏ ସବୁକୁ ଭୁଲି ବି ଯିବୁନି
ସ୍ଥିତପ୍ରଜ୍ଞଟିଏ ହେଲେ ଇ ତ
ପଥର ପରି ପଡି ରହିଥିବୁ,
ପତର ପରି ଉଡି ଯିବୁନି l
ଶିକ୍ଷୟିତ୍ରୀ
ଜଗତସିଂହପୁର