Latest Odisha News

BREAKING NEWS

କବିତା : ଦଶରା

କାମଦେବ ମହାରଣା


ଗୋବର ଲିପା କାନ୍ଥ ଉପରେ
ଢାଉରେ ଲେଖା ଓଲଟ ଶୁଆ – ଶାରୀ
କୁଞ୍ଜ ଲତାରେ ପ୍ରଜାପତି,କାନ୍ଥ – ଦେବତୀ
ଲିଭି ଗଲାଣି।

ଶୁଣା ଯାଉନି ତ କାଇଁ
ପାଣି କାଚ ରୁଣୁଝୁଣୁ ,ଖଣ୍ଡିକାଶ
ଦଦରା ଦୀର୍ଘଶ୍ୱାସ,
ଭାଡିରୁ ଓହ୍ଲେଇ
ବାଙ୍କଛୁରୀ, ବାଘପଞ୍ଝା, ତେଣ୍ଟା,କୁନ୍ତ,ଦେବୀ ଖଣ୍ଡା
ସୁଖୁନାହାନ୍ତି ଅଗଣାରେ
କୁନ୍ଦ ଭଙ୍ଗା ବାକୁସ ଓ
ଓଦା ପେଡ଼ି ଉପରେ।

ନଶ ସୁଙ୍ଘା ବୁଢ଼ା ପରି
ହଲହଲ ବଣା, ପଲମ,ଠେକି
କରୁନାହାନ୍ତି ଠିଆ ଯାତ
ଢିଙ୍କିଶାଳରୁ ଶୁଭୁନି ଥିରି ପାହାର
ଭଜା ଆଟିକାରୁ ଉଗୁଜା ଚାଉଳ ବାସ୍ନା
ଦିଶୁନି,ଛାତି ଫଟା ଚୁଡ଼ା ଧାନ
ଲିଆ ହୁଡୁମଙ୍କ ନାଚ।

ଗଦାଏ ମାଟି ତଳେ ହଜିଗଲେ
ମାଝିବା,ବାପା,ବୋଉ,କାଇଆଇ
ବୁଢ଼ା ବରଗଛ ଉପୁଡିଗଲା ପରେ
ଉଡିଗଲେ ଉଡାଶିଖା ଚଢ଼େଇ
ପଡି ରହିଛି କିଛି କାଠି କୁଟା
ନୂଆ ଗଜୁରା ପୁରୁଣା ପର।

କେହି କୁଆଡେ ନାହିଁ
ଘର ବୋଲି ଦିଶୁଥିବା
ବର୍ଷା ବତୁରା ଉଈ ହୁଙ୍କା ଉପରେ
ଦି – ଚାରିଟି ବାଲି – ଗୋବର ଛତୁ
ମୁଣ୍ଡ ଟୁଙ୍ଗାରେ ଏଣ୍ଡୁଅ
ଦାଣ୍ଡପଟ ଚାଖୁଣ୍ଡା ଗଛରୁ।

ଦଶରା ଦିଦିନ ଆଉ
ରୋଗୀଣା ସାନ ଛାଇଟିଏ
ତିନିତି ମୁଣ୍ଡରୁ ଫେରେ
ଚାହିଁ ଚାହିଁ ଭାଇ ଆସିବାର ବାଟ।

କାନ୍ଦୁରା ଜହ୍ନ ଆଲୁଅରେ
ଶୁଣାଯାଏ ଖିଏ କୋହ ବୋଳା ଗୀତ –
ଘର ଛଡା ପୁଅ ଆଉ
ଲେଉଟି ନଇଲା,ଲୋ…କୋଇଲି।”

ଯାନ୍ତ୍ରିକ ବିଭାଗ
ପୂର୍ବତଟ ରେଳପଥ
ପୁରୀ -୨
୯୬୫୮୦୨୬୬୧୨

Leave A Reply

Your email address will not be published.