କବିତା : ମୁଁ ଏବେ ନିଖୋଜ

ପ୍ରାଣକୃଷ୍ଣ ମହାତ୍ତର 

କେଉଁଠି ହଜେଇଛି ନିଜକୁ
ଖୋଜିଖୋଜି ମୁଁ ନୟାନ୍ତ
କେହି ଦେଖିଲେ ସନ୍ଦେଶ ଦେବେ
ନାଁ ଜାଣିଶୁଣି ଲୁଚେଇଚି
ଲୋକହସାର ଭୟରେ
ନାଁ ନାଁ ମୁଁ ହଜିନି
ମୋ ଆତ୍ମା ଏବେ ନିଖୋଜ !

ତୁମେ ପେଟେ ପ୍ରଣୟ ସୁରା ଦେଲ
ସେ ପିଆଲା ପିଆଲା କରି ପିଇଦେଲା
ବେହୋସ ହୋଇ ରାସ୍ତାରେ ଗଡ଼ିଲା
ଲୋକହସା ଭୟରେ ନିଖୋଜ ହେଲା !

ସେଦିନ ମୁହଁସଞ୍ଜ ବେଳାଭୂମିରେ
ତା ରକ୍ତାକ୍ତ ଯୌବନରେ
ତୁମ ଗୋଲାପୀ ଲିପଷ୍ଟିକ୍ ଚିହ୍ନ
ତାକୁ ଆନମନା କଲା
ସେ ନିଖୋଜ ହେଲା !

ସେ କଣ ଆଉ ମୋ ଅଧୀନରେ ଯେ
ମୋ ଇଛାରେ ଭୁଲିଯିବ ତୁମକୁ
ରାତିଅଧେ ଗୁମୁରି ଗୁମୁରି କାନ୍ଦିଲା
ନିଃସଂଗତାର ବ୍ୟାଧିରେ ଆକ୍ରାନ୍ତ ହେଲା
କିଛିଦିନ କୋମାରେ କାଟିଲା !

ଗଭୀର ନିଶିଥରେ ରଡ଼ିଛାଡେ
ତା ଅଳ୍ପାୟୁ ଯୌବନଟା
ସେ ପୁଣି ଜାନ୍ତବ କ୍ଷୁଧାର
ଖୋଜରେ ନିଖୋଜ ହେଲା
ପରେ ଯୌବନକୁ କବର ଦେଲା
ତୁମ ଅଧୁରା ସ୍ମୃତିରେ !

ସୂର୍ଯ୍ୟାସ୍ତପରେ ବେଳାଭୂମିରେ
ତୁମ ପାଦଚିହ୍ନ ଖୋଜେ
ସତେଜ୍ ଅଛି ଏବେବି ସେ ଚିହ୍ନ
ସମୁଦ୍ରବି ଚାହେଁ ଲୋତକପୂର୍ଣ ନୟନରେ
ଜିଇଁବାକୁ ବି କୋଉ ଜୀବନ କହନ୍ତି
ନଇଁ ପଡିଥିବା ଜୀବନ ପାଇଁ
ଶକ୍ତ କାନ୍ଧଟେ ଖୋଜିଖୋଜି
ପୁଣି ନିଖୋଜ ହେଲା !

କେବେ ଭୟକଲା ପରମାଣୁକୁ
ତ ଆଉକେବେ ମହାମାରୀ ଭୁତାଣୁକୁ
ପୁଣିକେବେ ସାମ୍ପ୍ରଦାୟିକ ଦଙ୍ଗାକୁ
କେବେ ଅଛିଣ୍ଡା ଭବିଷ୍ୟତକୁ !

କାଲି ଭେଟହେଲା
ଶୋଇଥିଲା ମରୁଭୂମିର ତତଲା ବାଲିରେ
କତରା ଲଗା ହୋଇ
ମୁଁ କହିଲି ଏ ମରୁଭୂମିଟା ରୁକ୍ଷ
ସେ ଉତ୍ତରଦେଲା
ୟା ଭିତରେବି ତ ପୁଣି ଅଛନ୍ତି
ସପ୍ତଫେଣି ଭଳି ଅନେକ ବୃକ୍ଷ !

ମୁଁ କହିଲି ଫେରିଚାଲେ
କହିଲା ଏବେ ନୁହଁ, ଯେବେ ଫେରିବି
ଗଣ୍ଠିଲିଏ ପ୍ରେମ ଧରି ଫେରିବି
କେହି ପଚାରିଲେ କହିଦେବ
ମୁଁ ଏବେ ନିଖୋଜ ଅଛି !!!

ଯାଜପୁର