Latest Odisha News

BREAKING NEWS

କବିତା : ଉତ୍ତରାଧିକାର

ରବି ପଣ୍ଡା 

ମୋ ଥାକରେ ଖଣ୍ଡେ ବହି ଅଛି
ଦେଇଥିଲେ ବାପା , ତାଙ୍କୁ ତାଙ୍କ ବାପା
ଜେଜୀପାଙ୍କୁ ତାଙ୍କ ବାପା।

ସେ ବହିକୁ ମୁଁ ଦୁର୍ମୂଲ୍ୟ ସମ୍ବଳ ଭଳି
ମୁଁ ସାଇତିଛି, ଦେହରେ ମନରେ ଗୋଟେ
ଅପୂର୍ବ ସ୍ପନ୍ଦନ ମୁଁ ଅମଜେଇଛି,
ଯେତେବେଳେ ତାକୁ ଛୁଇଁଚି
ପୃଷ୍ଠା ରେ ପୃଷ୍ଠାରେ ପାଇଛି ଗୋଟେ
ଗଡ ଜିତିବାର ଉଚ୍ଛ୍ୱାସ, ମୁଣ୍ଡରେ ପଗଡି ଭିଡି
ଖୁବ୍ ଗୋଟେ ଦୂରନ୍ତ ଅତୀତ
ଲେଖି ଦେଇଚି ଇତିହାସ।

ଅକ୍ଷର ଅନାବାଦୀରେ ଦେଖିଛି ରକ୍ତ ଚାଷ
ସମୁଦ୍ରରେ ବୋଇତ , ଗଙ୍ଗାରୁ ଗୋଦାବରୀ କୂଳ
ଖୋର୍ଦ୍ଧାରୁ ଜଉଗଡ଼ , ହାତୀ ଗୁମ୍ଫାରୁ ବାରବାଟୀ
ମଗଧ ରାଜରାସ୍ତାରେ ଦେଖିଛି
ଜୈତ୍ରରଥର ଘର୍ଘର।

ଖୁବ୍ ରୋମାଂଚିତ ହେଇଛି,
ଯେତେବେଳେ ବହିଟି ପଢିଛି।

ଏବେ ପାମ୍ପରା ମାଟି ଉପରେ ଠିଆ ହେଇଥିଲେ ବି
ତା’ତଳେ ପୋତି ହେଇଚି କୁଢ କୁଢ ରତ୍ନ ଚଟାଣ
କଙ୍କାଳର ଚଅଁରା ହାଡ଼ରେ ବି
ସଞ୍ଚିତ ଅଛି ପାରିବାର ଟାଣପଣ।
ଅସ୍ତାଚଳର ଲାଲିମା ତଳେ ସ୍ମ୍ରୁତିର ଛାତି ଚିରି
ଶୋଇପଡ଼ି ଥିବା ଗୋଟେ ଜାତିକି ଦେଖୁଛି
ଯେତେବେଳେ ବହିଟି ଛୁଉଁଚି।

ଏ ମାଟି ର ସ୍ତୋତ୍ର ମନ୍ତ୍ର
ବାଘକୁ କରିପାରେ ,ବାବାଜୀ ସିଂହକୁ ସନ୍ନ୍ୟାସୀ
ଚଣ୍ଡାଳକୁ ଧାର୍ମିକ , ସୀମା ସରହଦ ଡେଇଁ
ବାର୍ତ୍ତା ପହଞ୍ଚାଇପାରେ ପରମ କାରୁଣିକ।

ଏ ସତ୍ଯକୁ ମୁଁ ବୁଝୁଚି, ହେଜୁଚି
ଯେତେବେଳେ ବହିଟି ଛୁଉଁଚି।

ଏ ବହି ମୋତେ ଦେଇଥିଲେ ବାପା
ତାଙ୍କୁ ତାଙ୍କ ବାପା , ଜେଜୀପାଙ୍କୁ ତାଙ୍କ ବାପା
ଏ ବହିଟି ଏବେ ମୋ ପୁଅକୁ ଦବା କଥା
ହେଲେ ………
ମୋର କାଇଁ ସାହସ ହେଉନି
ହୁଏତ ମୁଁ ଡରୁଚି , ଘାବରେଇ ଯାଉଛି
ପୁଅକୁ ଦେଇପାରିନି
ସେଇ ବହି ସାଇତି ରଖିବାର ପ୍ରତ୍ୟୟ
କି ଆଉ ନିଜ ଉପରେ ବିଶ୍ୱାସ ନାହିଁ
ଧରି ରଖିବାକୁ ସେଇ ପରମ୍ପରା ।

ଏ ବହିଟି ଏବେ କେବଳ ଏକ ଇତିହାସ ।

Leave A Reply

Your email address will not be published.