ରବି ପଣ୍ଡା
ହୃଦୟର କେଉଁ କୋଣେ ଛପିଥାଏ ସୁକୁମାର ଅଂଶ
ଆବେଗର ଆବେଶରେ ଶିହରଣ ଖେଳିଯାଏ ସେଠି
ସତେ ଏତେ ସମ୍ବେଦନା ଭରିଥାଏ ଲାଜକୁଳୀ ପରି
ଟିକିଏ ନରମ ଛୁଆଁ ସାରିଦିଏ ତା’ ସହନ ଶକ୍ତି।
ଛଳ ଛଳ ହୁଏ ଆଖି ଟଳଟଳ ଲୁହ ଦୁଇ ବୁନ୍ଦା
ଟପ ଟପ ଝରିପଡ଼େ ଯେମିତିକି ଫାଟିଯାଏ ଛାତି
କୋଉଠୁ ଉଠାଏ କୋହ ସମ୍ଭାଳିବା ଅସମ୍ଭବ ଲାଗେ
ଅଧିକ ରୋକିଲେ ଝରେ ,ଲହୁଣୀରେ ଗଢା ତାର ଛାତି।
ଆଘାତର ଆୟତନ ବୁଝେ ନାହିଁ ଲୁହ କେତେବେଳେ
ଏତେ ନମ୍ର ଏତେ ନମ୍ର ଏତେ ପୁଣି ସମ୍ବେଦନଶୀଳ
ଗୋଟିଏ ଶବ୍ଦ ବି ସେଠି ଭରିଦିଏ କୋହର କାରୁଣ୍ୟ
ବିବେକ ବିଦୀର୍ଣ୍ଣ କରେ ,ପଦେ କଥା ପ୍ରିୟ ମଣିଷର ।
ପାରଦଠୁଁ ଭାରି ଲାଗେ ବୁନ୍ଦେ ମାତ୍ର ଲୁହର ଓଜନ
ସେ ଲୁହରେ ଭରିଥାଏ ପ୍ରିୟ ପାଇଁ ଭାରେ ଅଭିମାନ।
କପିଳ ପ୍ରସାଦ , ଭୁବନେଶ୍ୱର