କବିତା : ମୂଳ

 ରାମକୃଷ୍ଣ 

ବ୍ୟକ୍ତିଗତ ବୋଲି ଆଉ କିଛି ନାହିଁ
ଏବେ ମୋର ଶୋଇବା ଘର
ନିବୁଜ ସିନ୍ଦୁକ, ଗୁପ୍ତ ଡାଏରୀର ପ୍ରତି ପୃଷ୍ଠା
ଓ ଛାତି ତଳ ଢବା ଘରକୁ
ଧସେଇ ପଶିଛି ପୃଥିବୀ

ନିଜକୁ ପଛ କରି
ସମୟର ଚିତ୍ର ଆଙ୍କିବା ବେଳେ
ଖୋଲି ଯାଇଛି ସବୁ ଝରକା କବାଟ
ଗୁପ୍ତ ଖମାରର, ହୃଦୟ ଓ ଆୟୂଷର,
ଫାଟି ବିଛେଇ ପଡିଛି
ତମାମ୍ ଜୀବନର ସ୍ବପ୍ନ, ଅଣାୟତ୍ତ ଇଚ୍ଛା
ଓ ସ୍ବର୍ଗକୁ ନିଶୁଣି ବାନ୍ଧିବାର ବିଫଳ ବିଦ୍ୟା

ଶବ୍ଦ ଫିଟାଇ ଦେଇଛି
ସବୁ ଗୁପ୍ତ ଧନର ରହସ୍ୟ
ପ୍ରେମକୁ ଉତ୍ସର୍ଗୀତ ହୋଇଛି
ରକ୍ତ ପୋଖରୀର ସବୁ ପଦ୍ମଫୁଲ
ସୂର୍ଯ୍ୟକୁ ତର୍ପିତ ହୋଇଛି ସବୁ ଇଚ୍ଛା
ସୀମାନ୍ତର ଲୋହିତ ମରୀଚିକାରେ
ନିଖୋଜ ଈନ୍ଦ୍ରିୟର ସବୁ ଲୋଭ

ଚାହିଁଥଲେ ଅଟକାଇ ପାରିଥାନ୍ତି
ପୃଥିବୀର ଅନୁପ୍ରବେଶ
ମୋର ସୁରକ୍ଷିତ ଦୁର୍ଗକୁ,
ଈଶ୍ବରଙ୍କ ଛଦ୍ମବେଶରେ
ଲୁଚାଇ ପାରିଥାନ୍ତି ଆଦିମ ଅନ୍ଧାର କୁ
ଯଶ ଓ ପ୍ରଭୂତ୍ବରେ ଘୋଡାଇ ପାରିଥାଂତି
ଦୂଷିତ ରକ୍ତର ଗନ୍ଧ

ଚାହିଁଲି ନାହିଁ ଅଥଚ
ସବୁ ଦ୍ବାର ଖୋଲି ଉଡାଇ ଦେଇଛି
ସ୍ବପ୍ନ ମାନଙ୍କୁ ଦିଗ୍ ବିଦିଗ
କ୍ଷତ ଭର୍ତ୍ତି ପାଖୁଡାର ଦେହରୁ
ଉତାରି ଦେଇଛି ପୋଷାକ
ନିଜ ହାଡରେ ତିଆରିଛି
ବଂଶୀ ଓ ବନ୍ଧୁକ
ଆକାଶରେ ଝୁଲାଇ ଦେଇଛି
ମୋର ଉଲଗ୍ନ କଙ୍କାଳ

ବ୍ୟକ୍ତିଗତ ବୋଲି ଆଉ କିଛି ନାହିଁ
କେବଳ ଗୋଟେ ଲାଲ ଫରୁଆ ବ୍ୟତିତ
ଫରୁଆ ଭିତରେ କିଛି ଗାଢ ନୀଳ
ନୀଳ ଭିତରେ ଗୋଟେ ଅଦୃଶ୍ୟ ବୀଜ
ବୀଜ ଭିତରେ ଏଯାବତ୍ ଅନାବିଷ୍କୃତ
ମୋର ମୂଳ l

ସମ୍ବଲପୁର