Latest Odisha News

BREAKING NEWS

କବିତା : ନିରବ ନିୟମ

ସୁବ୍ରତ କୁମାର ଜେନା 

ଏ ବାବୁ , ତୁମେ ବି ନା ଏମିତି !
ତୁମକୁ କ’ଣ ଅଧିକ ମାଗିଥିଲୁଯେ !
ଖାଲି ଯାହା ଟିକେ ଭୋକରୁ ନିର୍ଯ୍ୟାସ,
ଖାଲି ଯାହା ଟିକେ ଭେକର ମାଧ୍ୟମ,
ତୁମେ କିନ୍ତୁ କ’ଣ କଲ ?

ଏମିତି ଆଙ୍କିଲ ଚିତ୍ର ଆମ ନଗ୍ନତାର,
ଏମିତି କ’ଣ କିଏ ଆଙ୍କେ ବାସ୍ତବରେ,
ସାରା ପୃଥିବୀରେ ଚର୍ଚ୍ଚା,
ଆମେ ଗୁଡା କାଳେ ଅମଣିଷ,
ଏବେ ଏବେ ସବୁ ଖବର କାଗଜର ଶିରୋନାମା ଆମେ,
ଆମେ କ’ଣ ଏ ସବୁ ମାଗିଥିଲୁ ?

କେତେ ସହଜରେ ଠକିପାର ତୁମେ!

ନା ଦୋଷ ନୁହଁ ତୁମର,
ଆମେ ଠକି ଯାଇଛୁ ନିଜଠୁ ନିଜେ,
ବଡ଼ ଭୁଲ୍ ଥିଲା ତୁମକୁ ବିଶ୍ୱାସ କରି,
ପାଛୋଟି ନେବା ଆମ ବିଶ୍ୱାସର ଅଗଣାକୁ,
ଭଲ ହୋଇଥାନ୍ତା “ଘିନୂଆ ପରି ରକ୍ତର ନଦୀ ବୁହାଇଥିଲେ”
ଆଜି ହୁଏତ କେହି ସାହସ କରିନଥାନ୍ତା
ଏତେ ସହଜରେ କାହାର ନଗ୍ନଚିତ୍ର ଆଙ୍କି ବିକିବାକୁ ।

ନିୟମଗିରିରେ ନିୟମ ପ୍ରକୃତି କରିଛି,
ତାକୁ ବଦଳାଇବାକୁ ତୁମେ ଆଉ ଆମେ ବା କିଏ?
ହେଲେ ସବୁଦୋଷ ତୁମର ନୁହଁ,
ଆମେ ପରା ବିଶ୍ୱାସଘାତକ ଥିଲୁ,
ବିଭୀଷଣ ଆଉ ଲଳିତା ପରି ହୋଇଥିଲୁ ତାଣ୍ଡବର କାରଣ,
ଯାହାକୁ ହୁଏତ ତୁମେ କହିପାର ପଥ ମୁକ୍ତିର !

ଆଜି ଦେଖୁଛ ! ଆକାଶ ଆକାଶ ଜାଗାରେ ଅଛି,
ମାଟି ବି ସେମିତି ପଡିଛି ଯେମିତି ଥିଲା ଆଗରୁ,
ହେଲେ ନଦୀରୁ ଶୁଖିଲାଣି ପାଣି,
ଝରଣାର ଶବ୍ଦ କ୍ଷୀଣ ହେଲାଣି,
ଅନେକ ଭୁଲି ଗଲେଣି କହିବାକୁ ନିନାଦିନି ପାହାଡ଼ି ଝରଣା ବୋଲି,
ଅବଶ୍ୟ ଏଥିରେ ଯେତିକି ଭୁଲ୍ ତୁମର ସମାନ ବି ଆମର,
ନହେଲେ ଆଜି କଣ ଆମକୁ ନେଇ ଏତେ ଚର୍ଚ୍ଚା ହୋଇଥାନ୍ତା ।

ଭୋକ ଆଉ ଭେକ ବଦଳରେ,
ଏମିତି କଣ କିଏ ଦେଇପାରେ ଯନ୍ତ୍ରଣାର ଛାପ,
ଥରେ ଭଲା ବୁଝିଥାନ୍ତ ,
ଆମେ କ’ଣ ବାମ, ସାମ, ଦାମ ବାଦୀ ନହୁଁବୋଲି,
ଖାଲି ହାତପାତି ମାଗିଥିଲୁ ଜୀବନ ଜୀବିକା ପ୍ରକୃତିକୁ ନେଇ,
ବେଶ ହୋଇଗଲା ନଗଡାର ନଗ୍ନ ଚିତ୍ର ଅଙ୍କା,
ଯଦି ଏଥିରେ ତୁମର ଚୁଲି ଜଳୁଛି ଜଳୁ,
ହେଲେ ଆମ ଶରୀରରୁ ବସ୍ତ ହଟାଅନି,
ଆମକୁ ବି କଷ୍ଟ ହେଉଛି ଠିକ ତୁମପରି,
ବୁଝୁନ କାହିଁକି ,କେତେଦିନ ଚାଲିଥିବ ଏ କପଟତାର ଖେଳ,
କେବେ ତୁମର ସ୍ୱାର୍ଥରେ,କେବେ ଆଉ କାହାର ।

ଗରୀବ କିନ୍ତୁ ରହିଗଲା ଗରୀବ ହୋଇ,
ତା ଭାଗ୍ୟରେ ଆଜିବି ସେଇ ସାତ ସିଲା ଚିରା ଲୁଗା,
କେତେ ବେଳେ ବକ୍ଷୋଜକୁ ଲୁଚାଉ ଲୁଚାଉ,
ଦେଖାଯାଏ ଉନ୍ମୁକ୍ତ ନାଭି,
କେବେ ପୁଣି ବିନା ଅନ୍ତବସ୍ତ୍ରରେ ଜଂଘର ପୁଳେ ମାଂସ,
କେବେ ତାକୁ ଲୁଚାଉ ଲୁଚାଉ,
ପଛ ପାଖ ପିଚାରୁ ପୁଳାଏ ଦେଖାଯାଏ ଫୁଟି ବାହାରକୁ

ଧେତ !ଏସବୁ ଆମର ଲକ୍ଷ ନଥାଏ,
ଥାଏ ତୁମ ଭଳି ମାଂସ ଲୋଭୀଙ୍କର,
ଆରମ୍ଭ କରିଦିଅ ଆଙ୍କିବାକୁ ଆମ ଦେହର ଜ୍ୟାମିତିକୁ,
ଚାଲେ ଗୋଟେ ରୀତିମତ ବିଚାର ବିମର୍ଷ,
କୂଟନୀତି ଅବା ରାଜନୀତିରେ ପେଶୀ ହେଉ ଆମେ,
ତୁମେ ଯାହା ଚାହଁ ବାଧ୍ୟ କରାଅ କରିବାକୁ ସେସବୁକୁ,
ହଁ ଏଥିରେ ଯେ ସବୁ ଦୋଷ ତୁମର ନା !

ଆମର ବି ଅଛି !

ଆମେ ଭୁଲୁଥିଲୁ ଆମକୁ,
ଆମକୁ ସଭ୍ୟ ହେବାର ଥିଲା କିନ୍ତୁ ହନୁକରଣରେ ନୁହଁ,
ଆମକୁ ମୁହଁରେ ରଙ୍ଗ ମାଖିବାର ଥିଲା,
ହେଲେ ବେଶ୍ୟା ସାଜି ନୁହଁ
ଆମକୁ ଆଧୁନିକତାର ଦ୍ୱାହିଦେଇ ଏତେ ଉଡିବାର ନଥିଲା,
ଭୁଲିବାର ନଥିଲା ଆମ ମହାନ ସଂସ୍କୃତିକୁ,
ହେଲେ ଆମେ ବି କୋଉ ମାନିବାର ଥିଲୁ ଯେ,
ଆମେ ହଜିଯାଇଥିଲୁ ତୁମେ ଦେଖାଇଥିବା କୁତ୍ରିମ ରଙ୍ଗର ଆବରଣରେ,
ସେଥିପାଇଁ ପରା ଆଜି ଏ ଜୀବନ ଶେଷର ଯୁଦ୍ଧ,
ବିନା ଜିତାପଟର ଆଶା ଆଶଙ୍କାରେ….. ।

ଶୂରଡିହ,ନନ୍ଦିପୁର,ଯାଜପୁର
ଦୂରଭାଷ -୯୭୭୬୨୦୮୯୩୦ 

Comments are closed, but trackbacks and pingbacks are open.