କବିତା : କାଳାନ୍ତର

ଗଗନ ଭେଦି ଅନ୍ତରୀକ୍ଷ ପର୍ଯ୍ୟନ୍ତ
ଲମ୍ବିଯାଉଥିବା ଶବ୍ଦ ସବୁ
ବେଳେବେଳେ ଗଢିପାରନ୍ତି ନାହିଁ ବାକ୍ୟ।
କେଉଁ ଅଜଣା କ୍ଷେପଣାସ୍ତ୍ରରେ
ଆହତ ହୋଇ
ଅକ୍ଷ ,କକ୍ଷଚ୍ୟୁତ ହୋଇ ଯାଆନ୍ତି।
ତାପରେ ,
ସମୀକ୍ଷା
ଆତତାୟୀର ଠିକଣା ନିର୍ଦ୍ଧାରଣରେ
ସଜଡ଼ା ଯାଇପାରେନା
ଆଉ ଏକ ବ୍ୟୋମଯାନ।
ଉଲକାପିଣ୍ଡ ପରି
ଆହତ ଶବ୍ଦର ତର୍ଜମାରେ
ଲମ୍ବିଯାଏ ଗବେଷଣାର ଫର୍ଦ୍ଦ
କାହିଁକି , କିପରି ,କିଏ
ପ୍ରଶ୍ନ ଚିହ୍ନ ମାନେ
ବ୍ୟତିବ୍ୟସ୍ତ କରନ୍ତି
ଚିନ୍ତା ଚେତନାକୁ ।
ଭୟକୁ ଜଡ଼େଇ ସଡ଼େଇ
ଧରି ରଖନ୍ତି।
ଟିକେ ଚେଷ୍ଟା କଲେ
ପରସ୍ତ ପରସ୍ତ ଯନ୍ତ୍ରଣାରୁ
ଉକୁଟି ଆସନ୍ତା ଆନନ୍ଦର ଉଛ୍ୱାସ
ଦୀର୍ଘଶ୍ଵାସରେ ମିଲିପାରନ୍ତା
ଆଶ୍ୱସ୍ତିର ଛାୟା
ବିଗତକୁ ଅତୀତର ଆଖ୍ୟାଦେଇ
କାଳାନ୍ତରରେ ସଜାଡ଼ି
ମୁହୂର୍ତ୍ତ ମାନଙ୍କୁ ଜୀବନ୍ୟାସ ଦେଇ
ଜିଇଁ ହୋଇପାରନ୍ତା ଯୁଗଟିଏ।

ରସୁଲଗଡ଼, ଭୁବନେଶ୍ୱର