ମୂଳ ବାଂଲା : ଶାମସୁର ରହମାନ
ମେଘ ନଚାହିଁ ବି
ପାଣି ମିଳିଯିବା ପରି
ମୋ ହାତ ତୁମ ହାତପରେ
ଏଇ ପ୍ରଥମ ଥର ପାଇଁ
ପାଇଲି ତୁମର ସ୍ପର୍ଶ
ମୋ ଭିତରେ କଣ ଯେ ହେଇଗଲା
କିଏ ମତେ କହିବ ତାର ଅର୍ଥ !
ଆକାଶରେ ଗୋଲ ଜହ୍ନ
ଖୁବ୍ ଚକମକ କରୁଥିଲା
ନୂଆ ବାଦଶାହୀ ମୁଦ୍ରା ପରି
ଅଥଚ ମୁଁ ଦେଖୁଥିଲି ତୁମକୁ
ଉପେକ୍ଷା କରି ଚନ୍ଦ୍ରର ବେଶ ପୋଷାକ
ତୁମ ଶରୀରକୁ ଆବୃତ କରି ରଖିଥିଲା
ଏକ ଟୁକୁରା ନୀଳ ଆକାଶ।
ମୋ ହାତ ତୁମ କରତଳର କାନେ କାନେ
କିଛି ଏକ ଭିନ୍ନ ବଚନରେ
କଣ କହିବାକୁ ଚେଷ୍ଟା କରୁଥିଲା
ଚନ୍ଦ୍ରାଲୋକର ଭାଷାକୁ ଉଧାର ନେଇ
ତୁମର ସରୁ ସୁନ୍ଦର ଆଙ୍ଗୁଳିଗୁଡ଼ିକ
ପାଇଥିଲେ କି ସେଇ ସନ୍ଧ୍ୟାଳାପକୁ ଠଉରାଇ?
ତୁମ ହାତର ସ୍ପର୍ଶ
ମୋର ସମଗ୍ର ସତ୍ତାରେ
ଫୁଟାଇ ପକାଇଲେ
ରଙ୍ଗ ବେରଙ୍ଗ ଫୁଲ। ଅନୁଭବ କଲି ମୋ ହୃଦୟରେ
ଅଜସ୍ର ନକ୍ଷତ୍ରର ନାଚକୁଦ
ନିମିଷକରେ ମୋ ଶରୀର
ହୋଇପଡ଼େ ଦିବ୍ୟ ସ୍ୱର୍ଗୀୟ ସଙ୍ଗୀତ।
ତୁମର ସୁନେଲି ହାତ
ରୁପେଲୀ ସରୋବରେ
ଏକ ନିସ୍ତବ୍ଧ ମାଛ,
ପୁଣି ପର ମୁହୂର୍ତ୍ତରେ
ଜଣେ ଓସ୍ତାଦର ନିପୁଣ ସ୍ୱନ
ତୁମର ସଙ୍ଗୀତମୟ ହାତ
ମତେ ବିହ୍ୱଳିତ କରି
ମୋର ଶିରା ପ୍ରଶିରାରେ
କରି ଚାଲିଥିଲା ଶହ ଶହ
କବିତାର ଜନ୍ମ।
ମୁଁ ତୁମ ଦେହର ସୁବାସ
ଆଘ୍ରାଣରେ ଯେତେବେଳେ ତଲ୍ଲୀନ
ଯେତେବେଳେ ଜ୍ୟୋତ୍ସ୍ନାର ଚୁମ୍ବନରେ
ବିହ୍ୱଳ ଗଛମାନଙ୍କୁ ମୁଁ ଦେଖୁଥିଲି
ସେହି ଗଛମାନଙ୍କ ମେଳରୁ
ବିଜୁଳି ପରି ହଠାତ୍ ଏକ ପ୍ରଶ୍ନର ଝଲକ
ପବନରେ ଆସି ପହଞ୍ଚିଗଲା
ମୋ କାନରେ ” କବି ତୁମେ ସନ୍ତୁଷ୍ଟ ଏତେ ଅଳ୍ପରେ ?”
ଅନୁବାଦ : ମନୋରଞ୍ଜନ ହୋତା