Latest Odisha News

BREAKING NEWS

ଗଳ୍ପ : ବାପା

ସ୍ମୃତି ପଟ୍ଟନାୟକ

ସୂର୍ଯ୍ୟଙ୍କ ଚାରିପଟରେ ପୃଥିବୀ ଦିନ ରାତି ଘୁରିଲା ପରି, ବାପାମାନେ ବି ଘୁରି ବୁଲନ୍ତି ଦିନ ଓ ରାତି ନିଜ ସନ୍ତାନର ଚାରିପାଖରେ ଭଲମନ୍ଦରେ ସାମିଲ୍ ହେବା ପାଇଁସ୍ମୃତି ପଟ୍ଟନାୟକ । ମୁଁ ଛୋଟ ଥିଲା ବେଳେ ବାପା ଜଗନ୍ନାଥ ପୁର ଗାଁରେ ଚକବନ୍ଦୀ ଅଫିସର୍ ଥିଲେ, ସାଲେପୁରଠାରୁ ଦଶକିଲୋମିଟର ଦୂରରେ ଗାଁଟି,ବହୁତ ସୁନ୍ଦର ଗାଁ,ପ୍ରାଣ ପ୍ରାଚୁର୍ଯ୍ୟରେ ଭରପୁର,ମୋର ସେତେବେଳକୁ ପଞ୍ଚମ ଶ୍ରେଣୀ,ମୋ ଅପାର ଷଷ୍ଠ ଶ୍ରେଣୀ, ସେ ଘରେ ବଡ ଝିଅ । ଆମେ ଦୁହେଁ ତଳ ଉପର ସବୁଥିରେ, ମୋ ତଳେ ସାନ ଭାଇ ପାପୁ , ତା ପରେ ଦୁଇ ଭଉଣୀ ଲିପୁ ଓ ସିପୁ ।

ବାପାଙ୍କର ଅଫିସ୍ ଆମ ରହୁଥିବା ଭଡା ଘରଠାରୁ ଏକ କିଲୋମିଟର ଦୂରରେ ଥିଲା। ଅଫିସକୁ ଲାଗି ଗୋଟେ ବଡ ପଡିଆ, ମାଆ ବଜ୍ରକାଳୀଙ୍କ ମନ୍ଦିର। ଆଉ ତା’ପରେ ଆମ ସ୍କୁଲ,ଖେଳ ଛୁଟିରେ ଆମେ ଦୁଇ ଭଉଣୀ ବାପାଙ୍କ ପାଖକୁ ଚାଲିଯାଉ। ବାପା ଆମକୁ ଦେଖି ଚକୋଲେଟ କିଣିବା ପାଇଁ ପଇସା ଦିଅନ୍ତି, ଆମେ ସେ ପଇସାକୁ ଆଣି ଘରେ ନିଜ ନିଜର ମାଟି କୁମ୍ଫିରେ ପକେଇ ଦେଉ। ପ୍ରତି ବର୍ଷ ମାଆ ବଜ୍ରକାଳୀଙ୍କ ପାଖରେ ବାସନ୍ତୀ ଦୁର୍ଗା ପୂଜା ହୁଏ ଖୁବ୍ ଧୂମଧାମରେ। ସାତ ଆଠ ଦିନ ଧରି ଦୋକାନ ବଜାର ବସେ। ଯାତ୍ରା ପାର୍ଟି ଆସି ଯାତ୍ରା ବି କରନ୍ତି। ସେଇ କିଛି ଦିନ ସ୍କୁଲ ବି ଛୁଟି ହୋଇଯାଏ ।ଆମେ ସବୁଦିନ ସନ୍ଧ୍ୟା ବେଳକୁ ବାପାଙ୍କ ସାଙ୍ଗରେ ଯାଉ ବୁଲିବାକୁ। ଦୋକାନରୁ ବିଭିନ୍ନ କିସମର ଜିନିଷ ଆଣୁ, ଖାଇବା ଜିନିଷ ସହ ଘର ସଜେଇବା ଜିନିଷ ବି ଆଣୁ ବହୁତ, ଭାରି ମଜା ଲାଗେ,।

ତାପରେ ଘରକୁ ଫେରିଲା ପରେ ଖାଇ ସାରି ରାତି ଦଶଟା ବେଳକୁ ବାହାରି ପଡୁ ଯାତ୍ରା ଦେଖିବା ପାଇଁ ।ବାପାଙ୍କ ଅଫିସ୍ କାମ ବହୁତ ଥାଏ। ବାପା ଆମ ସାଙ୍ଗରେ ଯାଆନ୍ତି, ଯାତ୍ରା ବି ଦେଖନ୍ତି, ସେଥର ତାରାପୁର ଯାତ୍ରା ପାର୍ଟି ଆସିଥାନ୍ତି। ସେଦିନ କଳାପାହାଡ଼ ଯାତ୍ରାର ବିଷୟ ବସ୍ତୁ ଥାଏ, ଯାତ୍ରା ଆରମ୍ଭ ହେଲା, ଆମେ ଦୁହେଁ ଅପା ଓ ମୁଁ ବାପାଙ୍କ ସହ ଆଗରେ ବେଞ୍ଚ ଉପରେ ବସି ଯାତ୍ରା ଦେଖୁଥିଲୁ । ଯିଏ କଳାପାହାଡ଼ ଭୂମିକା ରେ ଅଭିନୟ କରୁଥିଲେ। ଷ୍ଟେଜ୍ ଉପରକୁ ଆସିଲା ବେଳକୁ ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ ଆସୁଥାଏ। ଆଇଲା କଳାପାହାଡ଼, ଭାଙ୍ଗିବ ଲୁହାର ବାଡ, ପିଇବ ମହାନଦୀର ପାଣି,…….ଜୋରରେ ଜୋରରେ ମ୍ୟୁଜିକ ପଡୁଥାଏ ଉଠୁଥାଏ। ସେ କଳା ରଙ୍ଗର ଜରି ଲଗା ଚିକମିକ୍ ପୋଷାକ ପିନ୍ଧିଥାନ୍ତି ଖୁବ୍ ଭୟଙ୍କର ମେକପ୍ ନେଇଥାନ୍ତି। ସେ ଯୁଦ୍ଧ କଲାବେଳକୁ ହଠାତ୍ ଖଣ୍ଡାକୁ ଏମିତି ବୁଲାଇ ଦେଲେ ଯେ ତାହା ଛିଟକି ଆସି ମୋ ଦେହରେ ବାଜିଲା, ଭୟରେ ମୋ ଆଖି ବୁଜି ହୋଇଗଲା, ବାପା ଙ୍କୁ ଜାବୁଡି କି ଧରିଥିଲି, ।

ସେଦିନ ଯାତ୍ରା ଦେଖା ସେଇଠି ରହିଲା, ଘରକୁ ଆସିଲୁ ସମସ୍ତେ । ମୋର କିଛି ହେଇ ନଥିଲା, ହେଲେ ଏତେ ଭୟ ହେଇଯାଇଥିଲା ମନ ଭିତରେ ଯେ ମୋତେ ଜ୍ବର ହୋଇଗଲା ବହୁତ ଜୋରରେ । ବହୁତ ଦିନ ଧରି ରହିଲା, ଏମିତି ହେଲା ଯେ ଜଣେ ଗୁଣିଆ ଆସି ଝଡାଫୁଙ୍କା କଲେ।ତଥାପି ଛାଡିଲାନି, ତା ପରେ ବ୍ଲଡ୍ ଟେଷ୍ଟ୍ କଲାପରେ ଜଣାପଡିଲା ଟାଇଫଏଡ୍ ବୋଲି । ସେଇ କିଛି ଦିନ ବାପା ସମୟ ଅନୁସାରେ ମୋତେ ମେଡିସିନ୍ ଦେଉଥିଲେ ଖାଇବା ପାଇଁ, ବହୁତ ଯତ୍ନ ନେଉଥିଲେ, ତାଙ୍କର ଅଫିସ୍ କାମ ସବୁ ପଛରେ ପକାଇ, ଧିରେ ଧିରେ ଦେହ ବି ଭଲ ହୋଇଆସିଲା କିନ୍ତୁ ମନ ଭିତରେ ଏକ ପ୍ରକାର ର ଭୟ ରହିଗଲା, ସେଇ ପ୍ରକାରର ଭୟ ଯିବା ପାଇଁ ବହୁତ ଦିନ ସମୟ ଲାଗିଲା ।

ବାପା ଶୋଇଲା ବେଳେ ବହୁତ ଗପ କହୁଥିଲେ, ଗପ ଛଳରେ ସାହାସୀ ହେବା ପାଇଁ ଉପଦେଶ ଦେଉଥିଲେ,ସେସବୁ କଥା ମୋ ମନ ଭିତରେ ଏବେ ବି ପ୍ରତି ସମୟରେ ଗୁଞରିତ ହେଉଛି । ସେତେବେଳେ ସବୁଠାରୁ ପ୍ରିୟ ଥିଲା ଆମ ସମସ୍ତଙ୍କର ସାଲେପୁର ରସଗୋଲା। ବାପା ଯେବେ ସାଲେପୁର ଯାଆନ୍ତି ରାଜଦୂତ ମଟର ସାଇକେଲରେ, ଅଫିସ୍ କାମରେ ଫେରିଲା ବେଳକୁ ରାତି ଦଶଟା କିମ୍ବା ଏଗାରଟା ବାଜିଯାଏ। ଆମେ ସବୁ ଭାଇଭଉଣୀ ଅନେଇକି ବସିଥାଉ ବାପା କେତେବେଳେ ଫେରିବେ ? ବାପା ଆସିଲା ବେଳକୁ ସାଲେପୁର ରସଗୋଲା, ବରା, ତରକାରୀ ସବୁ ଆଣିଥାନ୍ତି। ଆମ ସମସ୍ତଙ୍କର ଖୁସି କହିଲେ ନସରେ, ସେଦିନ ଆମକୁ ପର୍ବ ଭଳି ଲାଗେ। ଦାଦାଙ୍କ ବାହାଘର ହୋଇଥିଲା ବାପା ଜଗନ୍ନାଥପୁର ଗାଁରେ ଚକବନ୍ଦୀ ଅଫିସର୍ ଥିଲାବେଳେ,ମୋ ଖୁଡୀଙ୍କ ବାପଘର ଛାଣିପୁର । ବାପା ସବୁ ଯେଉଁ ଜାଗାରେ ରହୁଥିଲେ ଦାଦା ଖୁଡୀ ଆସୁଥିଲେ ବୁଲିବାକୁ । ଏମିତିରେ ଛାଣିପୁର ହାଇସ୍କୁଲରେ ମୋର ମାଟ୍ରିକ ପରୀକ୍ଷା ସେଣ୍ଟର ହୋଇଥିଲା । ମୁଁ ଛାଣିପୁରରେ ମାମୁଁ ଘରେ ରହି ପରୀକ୍ଷା ଦେଇଥିଲି ।

ମାମୁଁ ଘର ଗାଁ ବାରୁଣା । ଆମେ ଛୋଟ ବେଳେ ରଜ ଛୁଟିରେ ଯାଉଥିଲୁ । ଚିତ୍ରୋତ୍ପଳା ନଈ କୂଳରେ ଅବସ୍ଥିତ । ବହୁତ ମଜା କରୁଥିଲୁ , ମାମୁଁ,ମାଉସୀମାନେ ସମସ୍ତଙ୍କ ଗହଣରେ । ସେ ସମୟ ଆଜି ଅତୀତର ଉଜ୍ବଳ ବିନ୍ଦୁଟିଏ ହୋଇ ରହିଯାଇଛି । ଆମ ନିଜ ଗାଁ ଓଡପଡା ଖୁବ୍ ସୁନ୍ଦର ଗାଁଟିଏ । ପ୍ରତିବର୍ଷ ଦୁର୍ଗା ପୂଜାରେ ଆମେ ସମସ୍ତେ ଗାଁ କୁ ଯାଉଥିଲୁ । କୁମାର ପୂର୍ଣ୍ଣିମା ସରିଲା ପରେ ଆସୁ । ଏତେ ଖୁସି ଲାଗେ ତାହା ଅବର୍ଣ୍ଣନୀୟ । ବାପାଙ୍କ ଚାକିରୀ ସ୍ଥାନରେ ଥାଇ ଆମେ ସବୁ ଭାଇଭଉଣୀ ମାଆ ଓ ବାପାଙ୍କ ସହ ଖୁସିରେ ସବୁ ଜାଗା ବୁଲିଛୁ । ସତରେ କେତେ ସୁନ୍ଦର ଓ ଆକର୍ଷଣୀୟ ଦିନ ସବୁ ବିତିଯାଇଛି!! ମାଆ ଆମମାନଙ୍କର ସବୁଠାରୁ ବଡ ଶିକ୍ଷୟତ୍ରୀ ଥିଲା,ବାପା ଥିଲେ ପଥ ପ୍ରଦର୍ଶକ ।

ଏମିତି ହେଇ ବାପା ସାଲେପୁରରେ ତହସିଲଦାର ହେଲେ, ସେତେବେଳେ ଆମେ ସାଲେପୁରରେ ରହିଲୁ।ବାପାଙ୍କର ଚାକିରୀରେ ନିଷ୍ଠା, ସଚ୍ଚୋଟତା, ସର୍ବୋପରି ସମୟାନୁବର୍ତ୍ତିତାକୁ ମୁଁ ଭଲଭାବରେ ଅନୁଭବ କରିଥିଲି କଲେଜରେ ପଢିଲା ସମୟରେ, ତା ଭିତରେ ନିଜ ପିଲାମାନଙ୍କ ପ୍ରତି ଦାୟିତ୍ୱବୋଧ ଓ କର୍ତ୍ତବ୍ୟବୋଧ ମଧ୍ୟ ଥିଲା । ମୁଁ ସାଲେପୁର କଲେଜରେ ପଢିଲା ବେଳେ ଦିନେ ଦିନେ ପ୍ରାକ୍ଟିକାଲ୍ କ୍ଲାସ୍ ସରିଲା ବେଳକୁ ପାଞ୍ଚଟା ହେଇ ଯାଉଥିଲା, ଶୀତ ଦିନମାନଙ୍କରେ ଶିଘ୍ର ସନ୍ଧ୍ୟା ହେଇ ଯାଉଥିଲା, ସେଇ ଶୀତ ଦିନରେ ଥରେ କଲେଜ୍ ରୁ ଫେରିଲା ବେଳକୁ ରମା ପାଗଳୀ ଦେଖା ହୋଇଗଲା। ସେ ବିଚିତ୍ର ବେଶଭୂଷା ଧାରଣ କରି ଆସି ମୋ ଆଗରେ ଛିଡ଼ା ହୋଇଗଲା। ଜୋରରେ ଜୋରରେ ରଡି କରୁଥିଲା, ସେଦିନ ମୋ ସାଙ୍ଗରେ ଆଉ କେହି ନ ଥିଲେ, ମୁଁ ବରଡା ପତ୍ର ଭଳି ଥରୁଥିଲି। ତା’ପରେ ସେ ମୋତେ ବହୁତ ସମୟ ଚାହିଁ ରହିଲା। ମୁଁ ସେମିତି ଚୁପ୍ ହୋଇ ଛିଡା ହୋଇଥିଲି ତା ସାମ୍ନାରେ, ତା’ପରେ ସେ କଣ ଭାବିଲା କେଜାଣି ମୋ ଆଗରୁ ଚାଲିଗଲା। ମୁଁ ଘରେ ତା ପରେ ଆସି ପହଞ୍ଚିଲି ଦୌଡ଼ି ଦୌଡ଼ି ଏକା ନିଃଶ୍ଵାସରେ, ବାପା ମୋଠାରୁ ସବୁ ଶୁଣିଲା ପରେ ମୋତେ ବୁଝାଇ ଦେଇଥିଲେ ପରିସ୍ଥିତିରେ ପଡି ରମା ସିନା ଆଜି ପାଗଳୀ ହେଇଯାଇଛି, ସେ କାହାର କିଛି କ୍ଷତି କେବେ କରିବନି। ସେବେଠାରୁ ମୋର ରମା ପାଗଳୀକୁ ଯେବେ ଦେଖୁଥିଲି ତା ପ୍ରତି ଆଉ ଭୟ ଆସୁ ନ ଥିଲା ବରଂ ସ୍ନେହ ଓ ଭଲପାଇବା ଆପେ ଆପେ ଚାଲି ଆସୁଥିଲା ।

ବାପା ବାଙ୍କିରେ ସବକଲେକ୍ଟର ଥିଲାବେଳେ ବହୁ ଘାତ ପ୍ରତିଘାତର ସମ୍ମୁଖୀନ ହୋଇଛନ୍ତି । କିନ୍ତୁ ନିଜର ସତ୍ୟନିଷ୍ଠତା ଯୋଗୁ ସେ ସବୁ ସମୟରେ ସମସ୍ତଙ୍କର ପ୍ରିୟଭାଜନ ହୋଇ ପାରିଥିଲେ, ବାପାଙ୍କର ସାଗର ଠାରୁ ବିଶାଳ ହୃଦୟ , ଖୁବ୍ ନିର୍ଭେଜାଲ ବ୍ୟକ୍ତିତ୍ବର ବ୍ୟକ୍ତି ଜଣେ । ସ୍ଥିର ସ୍ଥବିର ପ୍ରବୃତ୍ତି, ନିଜ ପିଲାମାନଙ୍କର ଖୁସିରେ ବିହ୍ୱଳ ହୋଇ ପଡୁଥିବା ନିଛ୍ଛକ ମଣିଷ ଜଣେ ।

ବହୁତ କଥା ମନେପଡୁଛି, ଲେଖା ସରିବ ନାହିଁ, ଛୋଟ ଛୋଟ କଥାର ସମାହାର ରେ ଜୀବନ ରୂପକ ଉପନ୍ୟାସ ସୃଷ୍ଟି ହୁଏ । ସେଇ ଉପନ୍ୟାସ ହିଁ ଜଣକ ଜୀବନର ଶ୍ରେଷ୍ଠ ଉପନ୍ୟାସ ର ମାନ୍ୟତା ପାଏ। ଏତିକି ମୋର କାମନା ଆଜିର ଦିନରେ। ବାପା ଯେଉଁଠି ଥାଅ ଭଲରେ ଥାଅ । ତମେ ଜଣେ କର୍ମବୀର ଥିଲ ।ଜୀବନ ର ଶେଷ ସମୟ ପର୍ଯ୍ୟନ୍ତ ତମେ କାହା ଉପରେ ନିର୍ଭର କରି ନଥିଲ। ହସ୍ପିଟାଲକୁ ଯିବା ପାଇଁ ସାର୍ଟ୍ ପ୍ୟାଣ୍ଟ୍ ପିନ୍ଧିଲ, ମାଗିଲ ଘଣ୍ଟା ଯାହା କି ତମର ସବୁଠାରୁ ପ୍ରିୟ ଜିନିଷ ତାକୁ ହାତରେ ବାନ୍ଧିଲ, ଉପର ମହଲାରୁ ତଳକୁ ଆସିଲ ପାହାଚରେ କିଛି ତ ନଥିଲା । ଜୋତା ପିନ୍ଧିଲ,କାର୍ ଭିତରେ ବସିଲ ତମ ପାଖରେ ମୁଁ ବସିଲି ପଛରେ । ପାପୁ ଗାଡି ଚଲାଇଲା, ଆଗରେ ପୁପୁ ବସିଲା,ବାଟରେ ତମକୁ ବଟଲ୍ ରୁ ପାଣି ଟିକେ ପିଆଇ ଦେଲି । ତାପରେ ହସ୍ପିଟାଲ ରେ ପହଞ୍ଚିଲା ବେଳକୁ ଡାକ୍ତରଙ୍କ କଥା ଶୁଣି ମୁଁ ଭାବି ପାରୁ ନଥିଲି, କେମିତି ସମ୍ଭବ ହେଲା? ମୁଁ ପାଟି କରି କମ୍ପାଇ ଥିଲି । ମୋ ବାପାଙ୍କୁ କାହିଁକି ଭିତରକୁ ନେଉନାହାନ୍ତି ? ତମେ ଖୁବ୍ ପ୍ରଶାନ୍ତିରେ ମୋ ହାତକୁ ଧରି ମୋ କାନ୍ଧରେ ମୁଣ୍ଡ ଦେଇ ଶୋଇ ଯାଇଥିଲ!! ଡାକ୍ତରଙ୍କ ଶେଷ କଥା ସେ ଆଉ ନାହାନ୍ତି ଏବେ ବି ମୋ ମନ ଭିତରେ ବିରାଟ ପ୍ରଶ୍ନବାଚୀ ? ଜନ୍ମ ଅଛି ମାନେ ମୃତ୍ୟୁ ଅନିବାର୍ଯ୍ୟ ଏକଥା ଜାଣି ମଧ୍ୟ ମୁଁ ଗ୍ରହଣ କରିପାରୁନି ଏଯାବତ୍ । ମୋ ବାପା ଆଉ ନାହାନ୍ତି ଆମ ଗହଣରେ ।ବାପା ତମର ମନେ ଅଛି ନା ଯେଉଁ ଦିନ ତମେ ଭୁବନେଶ୍ବର ସେକ୍ରେଟାରୀଏଟ୍ ରୁ ଜଏଣ୍ଟ୍ ସେକ୍ରେଟାରୀ ଭାବେ ରୁରାଲ୍ ଡେଭଲପମେଣ୍ଟ କର୍ପୋରେସନ୍ ବିଭାଗରୁ ଅବସର ନେଲ । ସେଦିନ ମୁଁ ଘରେ ଥିଲି,ତମକୁ ଥାଟ ପଟୁଆର ରେ ଅଫିସ୍ ର କର୍ମଚାରୀମାନେ ଆଣି ମହାନଦୀ ବିହାର ବାସ ଭବନରେ ଛାଡି ଥିଲେ । ସମସ୍ତଙ୍କ ଆଖିରେ ଲୁହ ଥିଲା ସେମାନଙ୍କର ପ୍ରିୟ ଅଫିସର୍ ଙ୍କର ଅବସର ନେଲେ ଚାକିରୀରୁ, ଆସନ୍ତା କାଲିଠାରୁ ଆଉ ଭେଟ ହେବ ନାହିଁ ।

ସତରେ ବାପା ତମେ ଥିଲ ଜଣେ ଦିବ୍ୟ ମାନବ । ତମର ପାର୍ଥିବ ଶରୀର ବିଦାୟ ନେଇଛି ସଂସାରର ମାୟା ଓ ବନ୍ଧନରୁ ହେଲେ ବାପା ତମେ ସବୁବେଳେ ଅଛ ଆମ ସମସ୍ତଙ୍କର ହୃଦୟ ଭିତରେ, ସାରା ଜୀବନ ପାଇଁ ଆଛାଦିତ କରି ରଖିଥିବ ତମର ହସ ହସ ମୁହଁ ଓ ଶାନ୍ତ ସ୍ବଭାବ । ରହିଲି ବାପା ।

 

ମୋବାଇଲ୍ ନଂ-୯୯୩୮୪୪୦୯୪୯

Comments are closed.