Latest Odisha News

BREAKING NEWS

ଜୀବନ

ଜୀବନ

ଅମିୟଭାନୁ ଧଳ

ମୁଁ, ତମେ ଓ ଆମେ
କେତେ କାଳ ଏଇମିତି
ପ୍ରତ୍ୟେକ ମୂହୁର୍ତ୍ତର ପ୍ରଶ୍ୱାସରେ ମରୁଥିବା,
-ପାପର ପିପାସା
-ମନର ଓର୍‌ମାନ୍‌
-ଦେହର ଦାହ
-ଲହୁ-ଲୁହ ମିଶ୍ରିତ କୋହ,
କିଛି ସମୟର ରୋମାଞ୍ଚରେ
ବାଣ୍ଟି କୁଣ୍ଟି ମେଣ୍ଟେଇବାର ସୁଖ ସ୍ୱପ୍ନ ଲାଗି
ଚର୍ବଣ, ଚୋଷଣ, କର୍ଷଣ,
ଶୋଷଣ, ଧର୍ଷଣ, ଆଲିଙ୍ଗନ ଓ ଚୁମ୍ବନର
ନିର୍ବିପାକରେ ସୃଷ୍ଟ ବିବିଧ ଦୁଃଖ ଅବସାଦ,
ବିବର୍ଜିତ ନିରାନନ୍ଦ ଚତୁରତାର ବିବରଣୀ
କେତେକାଳ ଏଇମିତି ପଢୁଥିବା ପଢାଉଥିବା
ଜିଇଁ ଥାଉଥାଉ ପ୍ରତି ମୂହୁର୍ତ୍ତରେ ମରୁଥିବାର କାହାଣୀ !

ମଶାଣିର ହିଡ଼ରେ ଦେହର ହାଡ଼,
ପେଟ, ପିଠି, ଗର୍ବ ଓ ଦାମ୍ଭିକତାର ଦାଢ,
ମଟାଳ ମାଟିରେ କୁର୍ମର ପାଟିରେ,
ଅଗ୍ନିର ଉତ୍ତପ୍ତ ଉଦ୍ଧତ ଲେଲିହାନ ନିଆଁ ଖୁଣ୍ଟାରେ,
ଲୋଭିଲା କମନୀୟ ନାଚାର ନଗ୍ନ ଦେହ ହେବ ଅବଶ,
ଜଳିପୋଡ଼ି ନିର୍ବିଶେଷରେ ହୋଇଯିବ ମୁଠାଏ ମାତ୍ର ପାଉଁଶ ।

ମୃତ୍ୟୁ- ସତ୍ୟ, ଶିବ ଓ ସୁନ୍ଦର
ନୂତନ ଏକ ଜନ୍ମର ଉଜ୍ଜ୍ୱଳ ଜୀବନର ଅୟମାରମ୍ଭ,
ଆସ ବନ୍ଧୁ ! ଜୀବନ ଥାଇ ମୃତବତ୍ ଦେହର ମନର ଆତ୍ମାରେ
ଅନ୍ୟକୁ ସୁଖବାଣ୍ଟି ପରଓଠରେ ଫୁଟାଇବା ହସ,
ଆତ୍ମତୃପ୍ତିର ଶୀତଳ ଦୀର୍ଘ ପ୍ରଶ୍ୱାସରେ
ଅନୁଭବିବା ଆତ୍ମବିଶ୍ୱାସର ରାସ ।

ଆତ୍ମା-ପରମାତ୍ମା, ସ୍ରଷ୍ଟା ଓ ସୃଷ୍ଟିର ଅପୂର୍ବ ମିଳନରେ
ଉତ୍ସବ ମୁଖରିତ ହେବ ଚିନ୍ତା ଓ ଚେତନାରେ
ସାଗର, ମର୍ତ୍ତ୍ୟ, ଦଶଦିଗ ଓ ଆକାଶର ଚତୁଃପାଶ୍ୱର୍,
ମନ, ପ୍ରାଣ, ଶରୀର ଓ ଆତ୍ମାର ଅତୀନ୍ଦ୍ରିୟତାରେ
ମହକିବ ଚହଟିବ, ପବିତ୍ରାନନ୍ଦ ଚନ୍ଦନର ବାସ,
ପ୍ରକମ୍ପିତ ହେବ ହୃଦୟର ତନ୍ତ୍ରୀରେ ସୁନ୍ଦର ଜୀବନର ଉଚ୍ଛ୍ୱାସ ।
—————————-
ସା/ପୋ- ଚାନ୍ଦବାଲି, ଭଦ୍ରକ, ପିନ-୭୫୬୧୩୩
ମୋ-୭୯୭୮୫୫୨୨୫୨ / ୯୪୩୮୧୭୬୨୫୧

Leave A Reply

Your email address will not be published.