Latest Odisha News

BREAKING NEWS

କାଳିଆ ତୋ ପ୍ରତୀକ୍ଷାରେ…

କାଳିଆ ତୋ ପ୍ରତୀକ୍ଷାରେ…

ସୁସ୍ମିତା ମହାପାତ୍ର 

ଧନ୍ୟ ତୋର ଲୀଳା ଖେଳାରେ କାଳିଆ
ଧନ୍ୟ ତୋ କପଟ ଛଳ,
ନିୟତିର ଦାଉ ସବୁ ସହୁଥାଉ
ଚାହିଁ ରହି ଜଳଜଳ l
ତୋ ପରି ଠାକୁର ଜଗତେ ବିରଳ
ପଡୁଛି ସବୁଠି ହୁରି,
ଭକତ ଜଣାଣେ ଆପଣାର ପଣେ
ଧାଇଁ ଆସୁ ବେଗେ
ବେଦି, ଗାଦି ପରିହରି l
ଦୁଃଖ ଅପସରେ ଥରେ ବରଷରେ
ରାଥୋପରେ ତୋତେ
ଆବେଗରେ ଦେଲେ ଚାହିଁ,
କି କାରଣେ ଊଣା କରୁ ତୋ କରୁଣା
କୋଟିଜନେ ତୁଚ୍ଛା କରୁ ବାଟବଣା
ବୁଝି ନପାରଇ ମୁହିଁ l
ଅଖି ତୃତୀୟାରୁ ଶ୍ରୀଗୁଣ୍ଡିଚା ଯାଏଁ
ଜଗିଛି ତୋହରି ପଥ,
ଅପଲକ ଆଖି ରହିଛି ନିରେଖି
ଦେଖିବାକୁ ତୋର ଯାତ l
କେବେ ତୁ କହୁଛୁ ଆସିବୁ ଆସିବୁ
କେବେ ପୁଣି କରୁ ମନା,
କପଟିଆ ତୋର ଛନ୍ଦ କପଟେ
ହେଉଛି ମୁଁ ଆନମନା l
ନିଶି ଦିବସରେ ଶଢେ ଦ୍ବନ୍ଦ୍ବରେ
ମିଳିବକି ଆଜ୍ଞାମାଳ,
ଭକତି ଭାବରେ ଅତି ଶରଧାରେ
ଛୁଇଁବାକୁ ଚାରମାଳ ?
ଗଡ଼ିବକି ଚକ ଗଡ଼ିବକି ଅଖ
ପାରିବୁକି ରଥେ ଦେଖାଇ ତୋ ମୁଖ
କହ ଥରେ ଇସାରାରେ,
କାହିଁ ପାଇଁ ଏତେ ମାନ ଅଭିମାନ
ଓଡ଼ିଶାର ସାଢେ ଚାରିକୋଟି ଜନ
ଚାତକ ପରାଏ
ରହିଛନ୍ତି ପ୍ରତୀକ୍ଷାରେ l
————————————-
ସରକାରୀ ଉଚ୍ଚ ବିଦ୍ୟାଳୟ, ସେକ୍ଟର-୧୬, ରାଉରକେଲା-୩
ମୋ- ୯୪୩୭୫୦୩୧୩୮, ଇମେଲ୍‌: susmita6674@gmail.com
Leave A Reply

Your email address will not be published.