ଧାରାବାହିକ ଉପନ୍ୟାସ: କୁକୁର କାହାଣୀ (୪)

ମାନବୀୟ ସମ୍ପର୍କର କଥାଶିଳ୍ପୀ ମୃଣାଳ (ଡ. ମୃଣାଳ ଚାଟାର୍ଜୀ, ଜନ୍ମ ୧୯୬୧) ସାହିତ୍ୟର ବିଭିନ୍ନ ବିଭବରେ ସ୍ୱଚ୍ଛନ୍ଦ ବିଚରଣ କରନ୍ତି । ଗଳ୍ପ, ଉପନ୍ୟାସ, ନାଟକ, ନିବନ୍ଧ, ପ୍ରବନ୍ଧ, ସବୁ ଲେଖିଛନ୍ତି ସେ । ଜଣେ ସ୍ତମ୍ଭକାର ଭାବରେ ସେ ବେଶ ପରିଚିତ । ବଙ୍ଗଳା, ହିନ୍ଦୀ ଓ ଇଂରାଜୀରୁ ଓଡ଼ିଆକୁ ଅନୁବାଦ ବି କରିଛନ୍ତି । ଜଣେ ସୃଜନାତ୍ମକ ଲେଖକ ଭାବରେ ତାଙ୍କର ଦୁଇଟି ବିଶେଷତ୍ୱ । ପ୍ରଥମ: ବିଷୟର ଅଭିନବତ୍ୱ । ଅପାରମ୍ପରିକ ବିଷୟକୁ ନେଇ ଗଳ୍ପ ରଚି ପାରନ୍ତି ସେ । ଆଉ ଦ୍ୱିତୀୟ: ତାଙ୍କ କାହାଣୀଗୁଡ଼ିକରେ ହସ ଆଉ ଲୁହ ମିଶାମିଶି ହୋଇ ଥାଏ । ଅଧ୍ୟାପନାରୁ ସକ୍ରିୟ ସାମ୍ବାଦିକତା ପୁଣି ସେଠୁ ଗଣମାଧ୍ୟମ-ଅଧ୍ୟାପନାକୁ ଆସି ଏବେ ସେ ଭାରତୀୟ ଜନସଂଚାର ସଂସ୍ଥାନର ପୂର୍ବ ଭାରତୀୟ ଶାଖାର ପ୍ରଫେସର ତଥା ଆଞ୍ଚଳିକ ନିର୍ଦ୍ଦେଶକ ଅଛନ୍ତି । (ଯୋଗାଯୋଗ: ୯୪୩୭୦୨୬୧୯୪)

‘କୁକୁର କାହାଣୀ’ ଉପନ୍ୟାସରେ କଣ ଅଛି ?

(ଆପଣମାନଙ୍କ ଚାରିପାଖରେ ଦେଖିବେ ଦୁଇ ପ୍ରକାର କୁକୁର ବସବାସ କରନ୍ତି । ଦଳେ ହେଲେ ପୋଷାକୁକୁର । ଦଳେ ବୁଲାକୁକୁର । ଏ ଦୁଇ ଜାତିର କୁକୁରଙ୍କ ଭିତରେ ବିଶେଷ ସଦ୍ଭାବ ନାହିଁ । ବୁଲାକୁକୁରମାନଙ୍କ ଭିତରେ ମଧ୍ୟ ନିଜ ଏରିଆକୁ ନେଇ, ସୁନ୍ଦରୀ କୁକୁରୀଙ୍କ ଉପରେ ଅଧିକାରକୁ ନେଇ ବହୁତ ବିବାଦ । ବହୁସହସ୍ର ବର୍ଷ ଧରି ମଣିଷ କୁକୁରକୁ ପୋଷା ମନେଇ ରଖିଛି । କିନ୍ତୁ ଧରନ୍ତୁ ଯଦି ଏ କୁକୁରମାନେ ନିଜର ବିବାଦ ଓ ବିଭେଦ ଭୁଲି ଏକ ହୁଅନ୍ତି ଆଉ ମଣିଷଜାତି ବିରୋଧରେ ଯୁଦ୍ଧ ଘୋଷଣା କରନ୍ତି, ତେବେ କଣ ହେବ? ଇଏ ହେଲା ଏ ଉପନ୍ୟାସର କାହାଣୀ-ସାର । କୁକୁରମାନଙ୍କ କାହାଣୀ ଭିତରେ ଯଦି ପାଠକ ଆଉକିଛି କଥା ଓ କାହାଣୀ ଖୋଜି ପାଇଲେ- ତେବେ ସେ କୃତିତ୍ୱ ସମ୍ପୂର୍ଣ୍ଣ ଭାବେ ତାଙ୍କର ।)

କୁକୁର କାହାଣୀ

ମୃଣାଳ

୪: ବିଉଟିର କାହାଣୀ

ବିଉଟି ହେଲା ଗୋଟେ ତୋଫା ଧଳା ରଙ୍ଗର ପୋମେରାନିଆନ କୁକୁରୀ । ଉଚ୍ଚତା କମ । ମାତ୍ର ଦେଢ଼ ଫୁଟ । ଓଜନ କମ । ଦୁଇ-ଅଢେ଼ଇ କିଲୋା ଆଖିର ରଙ୍ଗ ଶରତର ଆକାଶ ଭଳି ସଫା ନୀଳ । ବିଉଟି ଅବସରପ୍ରାପ୍ତ ବିଚାରପତି ବିପଦଭଂଜନ ବାବୁଙ୍କ ଘରେ ବେଶ ଆରାମରେ ଥିଲା । ବିପଦଭଂଜନ ବାବୁଙ୍କ ସ୍ତ୍ରୀ ବେଶ କେଇ ବର୍ଷ ହେଲା ଆରପାରିକୁ ଚାଲିଯାଇଛନ୍ତି । ବିପଦଭଂଜନ ବାବୁ ଏକୁଟିଆ ରହନ୍ତି । ଜଣେ ସ୍ତ୍ରୀଲୋକ ଆସି ସକାଳ ସଂଜେ ଘର ସଫା କରିଦିଏ, ରୋଷେଇପତ୍ର କରିଦିଏ । ତାଙ୍କର ସାଥୀ କହିଲେ କେବଳ ବିଉଟି । ଜଣେ ଭଲ ବିଦେଶୀ ଜାତିର ସ୍ୱାସ୍ଥ୍ୟବତୀ କୁକୁରୀକୁ ଯେମିତି ଆଦର ଓ ସମ୍ମାନ ମିଳିବା କଥା ବିପଦଭଂଜନ ବାବୁଙ୍କ ଘରେ ତାହା ମିଳୁଥିଲା । ବିଉଟି ତାର ନିଜ ଜାତିର ମାନ୍ୟତା ବିଷୟରେ ବେଶ ସଚେତନ ବି ଥିଲା।

ମଧ୍ୟ ଇଉରୋପର ପୋମେରାନିଆ ଅଞ୍ଚଳରେ ଏ ଜାତିର କୁକୁର ଦେଖାଯାଏ ବୋଲି ଏହାର ଏପରି ନାମକରଣ । ଏ ଅଞ୍ଚଳଟି ଉତ୍ତର-ପୂର୍ବ ଜର୍ମାନୀ ଆଉ ଉତ୍ତର -ପଶ୍ଚିମ ପୋଲାଣ୍ଡରେ । ପୋମେରାନିଆନ କୁକୁରର ଉତ୍ପତ୍ତି ଜର୍ମାନ ସ୍ପିଟଜ କୁକୁରରୁ । ସ୍ପିଟଜ କୁକୁର ଏତେ କମ ଉଚ୍ଚତାର ହୁଏନି । ପୋମେରାନିଆନ କୁକୁର ବି ଏତେ କମ ଉଚ୍ଚତାର ନଥିଲା । ବ୍ରିଡିଂ କରାଯାଇ ତାର ଉଚ୍ଚତା କମ କରାଯାଇଛି । ସାରା ପୃଥିବୀରେ ପୋମେରାନିଆନ କୁକୁରର ଭାରି ଆଦର । ଅଷ୍ଟାଦଶ ଶତାବ୍ଦୀରୁ ରାଜ ପରିବାରର ଲୋକମାନଙ୍କର ପ୍ରଥମ ପସନ୍ଦ ହୋଇ ରହିଛି ପୋମେରାନିଆନ କୁକୁର । ରାଣୀ ଭିକ୍ଟୋରିଆ ଗୋଟେ ଛୋଟ ପୋମେରାନିଆନ କୁକୁର ରଖିଥିଲେ । ତାପରଠୁଁ ରାଜ ପରିବାରରେ ଛୋଟ ପୋମେରାନିଆନ କୁକୁର ରଖିବା ଗୋଟେ ଚଳଣୀ ପ୍ରାୟ ହୋଇଯାଇଥିଲା । ପୋମେରାନିଆନ ଅତ୍ୟନ୍ତ ଖୁସମିଜାଜର କୁକୁର । କିନ୍ତୁ ଅନ୍ୟ କୁକୁରମାନଙ୍କୁ ଏହା ବିଶେଷ ପସନ୍ଦ କରେନି ।

ବିଉଟି ମଧ୍ୟ କରେ ନାହିଁ । ସେ ବିପଦଭଂଜନ ବାବୁଙ୍କ ଘରେ ରାଣୀ ପରି ରହୁଥିଲା । ତା ପାଇଁ କୁକୁରମାନଙ୍କ ପାଇଁ ବିଶେଷ ଭାବେ ତିଆରି ବିସ୍କୁଟ ଆଉ ଖାଦ୍ୟ ଆସୁଥିଲା । ସେ ମାଂସ ଭଲ ପାଏ ବୋଲି ସପ୍ତାହରେ ଚାରି ଦିନ ତା ପାଇଁ ଖାସି ମାଂସ ଆଉ ହାଡ଼ ଆସୁଥିଲା । ପନ୍ଦର ଦିନରେ ଥରେ କୁକୁର-ଶ୍ୟାମ୍ପୁରେ ତାକୁ ଗାଧୋଇ ଦିଆଯାଉଥିଲା । ତା ପାଇଁ ସୁଗନ୍ଧୀ ପାଉଡର ବି ଆସିଥିଲା । ମାସରେ ଥରେ ତାକୁ ଡାକ୍ତରଙ୍କ ପାଖରେ ଚେକଅପ ପାଇଁ ନିଆଯାଉଥିଲା । ପ୍ରତିଦିନ ତାକୁ ସକାଳେ ସଂଜେ ହଗିବାମୁତିବା ପାଇଁ, ବୁଲେଇନେବା ପାଇଁ, ତାର ସେବା କରିବା ପାଇଁ ଗୋଟେ ଲୋକ ବି ଖଂଜା ହୋଇଥିଲା । ତା ନାଁ କୁଂଜଲାଲ । ଡାକ ନାଁ କୁଂଜ । ସେ ତାକୁ ଖୁବ ସେବା କରୁଥିଲା । ରୋଜିର ସହବାସ ବୟସ ହୋଇଯିବାରୁ ପାଖ କଲୋନୀର ଏକ ସୁଦର୍ଶନ ପୋମେରାନିଆନ କୁକୁର ସହିତ ତାର ମିଳନର କଥାବାର୍ତ୍ତା ମଧ୍ୟ ଚାଲୁଥିଲା ।

କିନ୍ତୁ ବିଉଟିର ଏତେ ସୁଖ ଉପରେ ବୋଧହୁଏ କାହାରି କୁନଜର ପଡ଼ିଗଲା ।

ବିପଦଭଂଜନ ବାବୁଙ୍କ ଏକମାତ୍ର ସନ୍ତାନ ମାନଭଂଜନ ରହେ ଆମେରିକାରେ । ବହୁଦିନୁ ସେ ବାବାମାଙ୍କୁ ଆମେରିକାରେ ଆସି ରହିବାକୁ କହୁଥିଲା । ହେଲେ ବିପଦଭଂଜନ ବାବୁ ଯାଉନଥିଲେ । ଓଡ଼ିଶାରେ ନିଜ ସହରରେ ସେ ଭଲ ଅଛନ୍ତି ବୋଲି କହି ଆସୁଥିଲେ । କହୁଥିଲେ: ଏଟା ମୋର ଜନ୍ମଭୂମି । ତାର ଗୋଟେ ଆକର୍ଷଣ ଅଛି । ତାପରେ ପରିଚିତ ପରିବେଶ, ଚାରିପାଖରେ ପରିଚିତ ମୁହଁ । ବିଦେଶରେ ପରିଚିତ ମୁହଁ ଦିଶିବନି । ଯାହା ସେ କହୁନଥିଲେ ତାହା ହେଲା: ଛୋଟ ସହରରେ ତାଙ୍କର ଏକ ବିଶେଷ ପରିଚିତି ଅଛି । ଏଠି ପାଞ୍ଚ ଲୋକ ତାଙ୍କୁ ମାନ୍ୟ କରନ୍ତି । ସଭାସମିତିରେ, ସ୍କୁଲ କଲେଜ ଫଙ୍କସନରେ ମୁଖ୍ୟ ଅତିଥି- ମୁଖ୍ୟ ବକ୍ତା କରି ଡାକନ୍ତି । ବଜାରକୁ ବାହାରିଗଲେ ପାଞ୍ଚ ଲୋକ ନମସ୍କାର କରନ୍ତି । ସାଇକଲରେ ଯାଉଥିଲେ ତାଙ୍କୁ ଦେଖି ଓହ୍ଲେଇ ପଡ଼ନ୍ତି । ଏହାକୁ ଖୁବ ଉପଭୋଗ କରନ୍ତି ବିପଦଭଂଜନ ବାବୁ । ସେ ଜାଣିଥିଲେ ବଡ଼ ସହରରେ ଏଇ ପରିଚିତି ଓ ମାନ୍ୟତା ତାଙ୍କୁ ମିଳିବନି । ବିଦେଶରେ ତ ଆଦୌ ମିଳିବନି । ବିଦେଶରେ ସେ ମାନଭଂଜନର ବାପା ଭାବରେ ପରିଚିତ ହେବେ । ତାଙ୍କର ନିଜସ୍ୱ କୌଣସି ପରିଚୟ ବି ରହିବ ନାହିଁ ।

ହେଲେ ମାସେ ତଳେ ସେ ଅସୁସ୍ଥ ହୋଇପଡ଼ିଲେ । ଡାକ୍ତର କହିଲେ: ଆପଣଙ୍କ ହୃତପିଣ୍ଡରେ କିଛି ସମସ୍ୟା ଦେଖାହେଲାଣି । ମାରାତ୍ମକ କିଛି ନୁହେଁ, କିନ୍ତୁ ଆପଣଙ୍କୁ ସତର୍କ ରହିବାକୁ ପଡ଼ିବ । ଏକଥା ଶୁଣି ପୁଅ ମାନଭଂଜନ ତାଙ୍କୁ ନିଜ ପାଖକୁ ନେବା ପାଇଁ ଜିଦ ଧରି ବସିଲା । କହିଲା, ସେଠି ତମକୁ ଦେଖିବାକୁ ନିଜ ଲୋକ ଆଉ କିଏ ଅଛି ଯେ! କେତେବେଳେ କେଉଁ କଥା । କଣ ଗୋଟେ ହୋଇଗଲେ ପଡ଼ିଶାମାନେ ସିନା ତମକୁ ହାସପାତାଳକୁ ନେଇ ଯିବେ- କିନ୍ତୁ ଚିକିତ୍ସା କ୍ଷେତ୍ରରେ କଣ ବା କରିପାରିବେ! ପୁଣି ରାତିବିତିରେ କଣ ହେଲେ- ପଡେ଼ାଶୀ ଖବର କେମିତି ପାଇବେ ଯେ ତମକୁ ହାସପାତାଳକୁ ନେବେ! ମୋ ପାଖକୁ ଚାଲି ଆସ । ଏଠି ମୋର ବିରାଟ ଘର । ଏଠିକାର ସ୍ୱାସ୍ଥ୍ୟସେବା ବି ଚମତକାର । ଆମେ ଅଛୁ ତମକୁ ଦେଖିବାକୁ । … ତା କଥା ୱାଜିବ । ପାଞ୍ଚ ଲୋକ ମୋତେ ମାନ୍ୟ କରିବେ ତାର ଆନନ୍ଦଠୁଁ ଦେହ ଖରାପ ହେଲେ ଚିକିତ୍ସା ମିଳିବା- ଅଧିକ ଗ୍ରହଣୀୟ ବୋଲି ଲାଗିଲା ତାଙ୍କୁ ।

ବିପଦଭଂଜନ ବାବୁ ସବୁଦିନ ପାଇଁ ପୁଅ ପାଖକୁ ଚାଲିଯିବେ ବୋଲି ସ୍ଥିର କଲେ । ଘରଦୁଆର ଜିନିଷପତ୍ର ସମେତ ବିକ୍ରି କରିଦେଲେ । ହେଲେ ସମସ୍ୟା ହେଲା ବିଉଟିକୁ ନେଇ । ବିପଦଭଂଜନ ବାବୁ ବିଉଟିିକୁ ଆମେରିକା ନେଇ ଯିବା ପାଇଁ ଚାହୁଁଥିଲେ । ହେଲେ ମାନଭଂଜନ କହିଲା, କୁକୁରକୁ ଆମେରିକା ଆଣିବାରେ ବହୁତ ଖର୍ଚ୍ଚ । ତାପରେ ମୋ ପାଖରେ ଅଲରେଡି ଦିଟା ଆଲସେସିଆନ କୁକୁର ରହିଛନ୍ତି । ଆଉ ଗୋଟେ କୁକୁର ପହଞ୍ଚିଲେ, ବିଶେଷ କରି ପୋମେରାନଆନ କୁକୁର- ଆଡଜଷ୍ଟ କରିବାକୁ ଅସୁବିଧା ହେବ । ତେଣୁ ବିଉଟିକୁ ତମେ ଇଣ୍ଡିଆରେ ହିଁ ଛାଡ଼ି ଦେଇ ଆସ ।

ବିଉଟିକୁ ନେଇ କଣ କରିବେ ବୋଲି ବିପଦଭଂଜନ ବାବୁ ତିନିଦିନ ଭାବିଲେ । ତାଙ୍କର ବନ୍ଧୁବାନ୍ଧବଙ୍କୁ ପଚାରିଲେ । ସେମାନେ ଭଦ୍ର ଭାବରେ ବୁଲେଇବଙ୍କେଇ ମନା କଲେ । କାହାର ବିଉଟି ରହିପାରିଲା ପରି ଘର ନାହିଁ ତ କାହାର କୁକୁର ଲୋମରେ ଆଲର୍ଜି! ଆଉ ପୋମେରାନିୟାନ କୁକୁରର ତ ଲୋମଭର୍ତ୍ତି ।

କଣ କରାଯାଏ! ବିପଦଭଂଜନ ବାବୁ ଅଗତ୍ୟା କୁଞ୍ଜଲାଲକୁ କହିଲେ, କୁଂଜ ବିଉଟିକୁ ସକାଳେ ସଂଜେ ବାହାରକୁ ବୁଲେଇନେବା, ଖାଇବାକୁ ଦେବା, ଡାକ୍ତର ପାଖକୁ ନେବା- ଏ ସବୁ ଏତେ ବର୍ଷ ହେଲା ତୁ କରି ଆସିଛୁ । ବିଉଟିିକୁ ତୁ ରଖ । ତୋ ପାଖରେ ସେ ଭଲରେ ରହିବ ।

କୁଂଜ କହିଲା, ବାବୁ ବିଉଟିକୁ ମୁଁ କେମିତି ରଖିବି? ତାକୁ କେମିତି ଚଳେଇବି? ତା ପଛରେ କେତେ ଖର୍ଚ୍ଚ! ମୁଁ ଗରିବ ଲୋକ କଉଠୁ ସେ ଖର୍ଚ୍ଚ ତୁଲେଇବି? ମୁଁ କଉଠି କାମ ଧନ୍ଦା କରି ନିଜ ପେଟ ପୋଷିବି ନା ବିଉଟିର ଡ୍ୟୁଟି କରିବି?

– ଠିକ ଅଛି । ତୋତେ ମୁଁ କିଛି ଟଂକା ଦେଇ ଯିବି । ତାକୁ ଯେମିତି ଚଳଉଛୁ ଚଳା ।

ବିପଦଭଂଜନ ବାବୁ ଆମେରିକା ଚାଲିଗଲେ । ଗଲାବେଳେ ବିଉଟିିକୁ କୁଣ୍ଢେଇ ଧରି ବହୁତ ଗେଲ କଲେ । ତାଙ୍କ ଥରଥର ଶିରାଳ ହାତରେ ବହୁତ ଆଉଁଶିଲେ । ଧାର ଧାର ଲୁହ ଝରୁଥିଲା ତାଙ୍କ ଆଖିରୁ ।

ବିଉଟି ରହିଲା କୁଂଜ ପାଖରେ । ସହର ଉପକଣ୍ଠରେ ନୂଆ କରି ଗଢ଼ିଉଠିଥିବା ବସ୍ତି ଭିତରେ କୁଂଜର ଘର । ସେଠି ।

… … …

କୁଂଜ ପାଖରେ ରହିବାକୁ ବିଉଟିିକୁ ଭଲ ଲାଗେନି । ଲାଗେ ତାର ଜାତି ମାରା ହୋଇଯାଉଛି । ସେ ରହିବା କଥା କେଉଁଠି? ରହୁଛି କେଉଁଠି? ଜର୍ମାନୀର କୁକୁରୀ ସେ । ରାଣୀ ଭିକ୍ଟୋରିଆଙ୍କ କୋଳରେ ବଢ଼ିଛି ତାର ପୂର୍ବପରୁଷ ଭିତରୁ କେହି ଜଣେ । ସେ ରହିବ ଭରତପୁର ବସ୍ତିରେ! ସେ ଖାଇବା କଥା କଣ? ଖାଉଛି କଣ?

ତାପରେ କୁଂଜ ଧୀରେ ଧୀରେ ତାର ମାଲିକାନା ଜାହିର କରିବାକୁ ଲାଗିଲା । ତାକୁ ସକାଳେ ସଂଜେ ଠିକ ସମୟରେ ବାହାରକୁ ବୁଲେଇ ନେଲାନି । ଠିକ ସମୟରେ ଖାଇବାକୁ ଦେଲାନି । ସେ ଯାହା ଖାଇ ଆସୁଥିଲା ସେ ଖାଦ୍ୟ ଦେଲାନି । ବିଉଟି ପାଇଁ ମାଂସ କିଣା ହୋଇ ରନ୍ଧା ହେଉଥିଲା । କୁଂଜ ତାକୁ ଅଇଁଠା ହାଡ଼କଣ୍ଟା ଦେଲା । ବିଉଟିକୁ ବଡ଼ ଖରାପ ଲାଗିଲା । ସେ ଭୁକଭୁକ କରି ଭୁକିଲା । କୁଂଜ ସେଦିନ ଦି ବୋତଲ ଦେଶୀ ଚଢେ଼ଇ ଆସିଥିଲା । ମାତାଲ କଣ୍ଠରେ କହିଲା, ଚୋପ ଶାଳି । ବେଶୀ ଭୁକ ଭୁକ ହେବୁ ତ ପିଟି ମୁଣ୍ଡ ଫଟେଇଦେବି । ଶାଳି ମୁଁ କଣ ତୋ ଚାକର? ତୁ ମୋ ପାଖରେ ରହିଛୁ । ଯେମିତି ରଖିବି ସେମିତି ରହିବୁ । ଯାହା ଖୁଆଇବି ତାହା ଖାଇବୁ ।

ବିଉଟି ମନଟା ଦୁଃଖ ହୋଇଗଲା । କାନ୍ଦିଲା । କର୍ମକୁ ନିନ୍ଦିଲା । ବିପଦଭଂଜନ ବାବୁଙ୍କୁ ଭାରି ଝୁରିହେଲା । ସେ ଥିଲେ କେତେ ଗେଲ କରୁଥିଲେ । ଦିନେ ଭଲ କରି ଗାଧୋଇ ନ ଦେଲେ କୁଂଜ ଉପରେ ଗାଳି ହେଉଥିଲା । ଏବେ ତା ଦେହ ମଇଳା ଅସନା ହେଲାଣି । ଏମିତି ହେଲେ ତାର ଲୋମ ସବୁ ଝଡ଼ିଯିବ । ସେକଥା କେହି ବୁଝୁନାହନ୍ତି । ବସ୍ତିର କୁକୁର ଗୁଡ଼ାକ ତା ପାଖରେ ନସର ପସର ହେଉଛନ୍ତି । ବିଉଟିିକୁ ଭାରି ଖରାପ ଲାଗିଲା ।

ବେଶି ଖରାପ ଲାଗିଲା କୁଂଜ ଯେତେବେଳେ ତା ଉପରେ ବାଳୁଆ ଆଉ ହାଡ଼ୁଆ ଗୋଡ଼ ଦିଟା ଲଦି ଦେଲା । ବିଉଟି ଭଲ ଜାତିର କୁକୁରୀ । ତା ଜିନରେ ଅଛି ପ୍ରଭୁଭକ୍ତି । ପ୍ରଭୁକୁ ଛାଡ଼ି କୁଆଡେ଼ ଯିବା ତାର ଧର୍ମବିରୁଦ୍ଧ । ବିପଦଭଂଜନ ବାବୁ ଥିଲେ ତାର ପ୍ରଭୁ । ହେଲେ ବିପଦଭଂଜନ ବାବୁୁ ଏବେ କୁଂଜକୁ ତାର ପ୍ରଭୁ କରି ଦେଇ ଯାଇଛନ୍ତି । ସେ କଣ କୁଂଜକୁ ପ୍ରଭୁ ବୋଲି ମାନି ଜୀବନ ଜୀଇଁବ? ଏଇ ଅସନା ମସନା, ହାଡ଼ୁଆ, ବାଳୁଆ ଲୋକଟା ତାର ପ୍ରଭୁ! କାହାକୁ ସେ ପ୍ରଭୁ ବୋଲି ସ୍ୱୀକାର କରିବ- ସେଟା କଣ ସେ ନିଜେ ଠିକ କରିବା କଥା ନୁହେଁ! କିନ୍ତୁ ସେ ଯଦି କୁଂଜର ଏ ଘର ଛାଡ଼ି ଚାଲିଯାଏ- ତେବେ ଖାଇବ କଣ? ରହିବ କେଉଁଠି? ଜନ୍ମ ହେଲାଦିନୁ ବିଉଟି ନିଜେ ନିଜର ଖାଦ୍ୟ ଅନ୍ୱେଷଣ କରି ଖାଇନି । ଅନ୍ୟ ସହିତ ଲଢେ଼ଇ କରି ବଞ୍ଚିନି । ଏକ ସୁରକ୍ଷିତ କିନ୍ତୁ ଆଶ୍ରିତ ଜୀବନ ବଞ୍ଚି ଆସିଛି ସେ । ଏବେ ତାକୁ ସେଇ ଅଭ୍ୟାସଗତ ସୁରକ୍ଷା ଦେବ କିଏ?

ଗୋଟେ ପଟରେ ଶହ ଶହ ବର୍ଷର ଅଭ୍ୟାସଗତ ପ୍ରଭୁଭକ୍ତି ଆଉ ଗୋଟେ ପଟରେ ତାର ବିଦ୍ରୋହୀ ମନ, ଗୋଟେ ପଟରେ ନିଜର ସୁରକ୍ଷା ଆଉ ଗୋଟେ ପଟରେ ସ୍ୱାଧୀନତା – କଣ କରିବ ବିଉଟି । କୁକୁର ଖୁବ ବେଶି ଚିନ୍ତା କରି ପାରେନା । ସେ ଶଗଡ଼ଗୁଳାରେ ଜୀବନ ଜୀଁଏ । ହେଲେ ଏ କ୍ଷେତ୍ରରେ ବିଉଟି ବହୁତ ଚିନ୍ତା କଲା । ନ ଖାଇ ନ ପିଇ ଦୁଇ ଦିନ ଧରି ଭାବିଲା ।

ତାପରେ ଦିନେ ଗଭୀର ରାତିରେ ସେ କୁଂଜର ଘର ଛାଡ଼ି ରାସ୍ତାକୁ ବାହାରି ଆସିଲା । ବାଧ୍ୟବାଧକତାରେ କାହାର ଦାସ ହୋଇ ଜୀବନ ଜୀଇଁବନି ସେ।

ରାସ୍ତାକୁ ବାହାରି ଆସି ଭାରି ଉଶ୍ୱାସ ଲାଗିଲା ତାକୁ । ପ୍ରଥମ ଥର ପାଇଁ ଆକାଶକୁ ଚାହିଁ ଖୁବ ଜୋରରେ ଭୁକିଲା ବିଉଟି ।

ଭୁକଭୁକ । ଭୁକଭୁକ ।