Latest Odisha News

BREAKING NEWS

କବିତା : ଆମ ପଖାଳ କଂସା

  • ଗଦାଧର ସାହୁ 

ମୋ ଘର ଓଡିଶା
ଓଡ଼ିଆ ମୋ ଭାଷା
ବଳ ମୋ ପଖାଳ କଂସା,
ବାସି ପଖାଳ ମୋ
ହାଣ୍ଡିରେ ନଥିଲେ
ଭୋକରେ ଉଡଇ ହଂସା ।

ସକାଳ ପାଇଲେ
ପଖାଳ ଖୋଜଇ
ଶାଗ ସଙ୍ଗେ ବଡି ଚୁରା,
ଚୁନାମାଛ ସାଥେ
ଶୁକୁଆ ରାଇତା
ଖାଇ ଦେଉ ପେଟ ପୂରା ।

କଞ୍ଚା ଲଙ୍କା ଲେମ୍ବୁ
ପିଆଜ କାକୁଡି
ଆଳୁ ବାଇଗଣ ପୋଡା,
ବାଇଗଣ ଆଳୁ
ଭରତା ସହିତ
ଛୁଇଁ ଭଜା ପୋଡ ପୋଡା ।

ଆମ୍ବ ଚଟଣୀକୁ
ଲିମ୍ବର ଚକୁଳି
ପଖାଳକୁ ଦେବ ଗିଳି,
ଚିଙ୍ଗୁଡିର ଭଜା
ତା ସଙ୍ଗେ ମିଶିଲେ
ପିଲା ଖାଆନ୍ତି କୁରୁଳି ।

ପୋଟଳ କଲରା
ଗୋଟା ଭଜା ଥିବ
ପେଟରେ ମସଲା ଭରି,
କାମୁଡି କାମୁଡି
ଧିରେ ଧିରେ ଖାଅ
ପଖାଳ ମଜା ଆହୁରି ।

ଭୁର୍ସୁଙ୍ଗା ପତର
କମଳା ପତର
ବାସ ଚହଟାଇ ଦିଏ,
ଆମ୍ବ କଷିଆକୁ
ଦହି ମିଶିଗଲେ
ତୋରାଣୀ ନ ପିଏ କିଏ !

ଯେତେ ପରକାର
ଭଜା ଭାଜି ଥିବ
ଭାଗ ମାପେ ଲୁଣ ଦେବ,
ଖାଇବା ବେଳରେ
ଲୁଣ ରଖିଥିବ
ଅଲଣା ଦୋଷ କାଟିବ ।

ମୋ ପଖାଳ ଏବେ
ପରୀକ୍ଷା ଚାଲିଛି
ଔଷଧୀୟ ଗୁଣ ପାଇଁ,
କୋଉ ଖାଦ୍ୟ ତାର
ସରି ହେବ ନାହିଁ
ଡାକ୍ତର ବାବୁ କହଇ ।

ମୋ ଜାତି ଦେବତା
ସଉକେ ଖାଆନ୍ତି
ଘିଅ ଢାଳି ପଖାଳରେ,
ଅଶେଷ ପ୍ରକାର
ବ୍ୟଞ୍ଜନ ସହିତ
ଗଣି ଭୁଲି ଯିବୁ ତୁରେ ।

ମୁଁ ଖୁସି ଓଡିଆ
ମୋ ଖାଦ୍ୟ ବଢିଆ
ମୋ ପଖାଳ କଂସେ ଖାଅ,
ଖରା ଦିନ ଏବେ
ମାଡି ଆସୁଅଛି
ଅଂଶୁଘାତୁ ରକ୍ଷା ପାଅ ।

ବ୍ରହ୍ମଗିରି । ପୁରୀ ।

Leave A Reply

Your email address will not be published.