Latest Odisha News

BREAKING NEWS

ଶିଶୁ କବିତା : ବିଷୁବ ସଂକ୍ରାନ୍ତି ଆସିଛି

କୁଞ୍ଜବିହାରୀ ସାହୁ

ଦେଖରେ ଦେଖରେ ବିଷୁବ ସଂକ୍ରାନ୍ତି
ଆସିବାର ଦେଖି ବସନ୍ତ
ପବନଟା ଏବେ ଉଭେଇଗଲାଣି
ତାତି ଖରା ଟାଣେ ପଣତ ।

ଝାଞ୍ଜି ବହିଲାଣି ସହି ହେଉନାହିଁ
ବିଷୁବର ଟାଣଖରାରେ,
ପଣା ପିଇବାରେ ମଜା ରହିଅଛି
ଏଇ ବଇଶାଖୀ ଧରାରେ ।

ବିଷୁବରେଖାକୁ ଡେଇଁ ଡେଇଁ ଗଲା
ଉତ୍ତର ଦିଗକୁ ସୂରୁଜ,
ସେଥିପାଇଁ ପରା ମରତେ ପଡ଼ିଛି
ତତଲା ଧୋବଲା ମୂରୁଜ ।

ତୁଳସୀ ଗଛରେ ଜେଜିମା ବାନ୍ଧିଛି
ବସୁନ୍ଧରା ଠେକି ସଜେଇ,
ଭକତି ଭାବରେ ଢାଳିଲା ତହିଁରେ
ସୁଆଦିଆ ପଣା ମଜେଇ । ୩

ଠେକିରୁ ପଡ଼ୁଛି ପଣାରୁ ଟୋପାଏ
ତୁଳସୀ ଗଛର ପତରେ,
ଏମିତି କରିଲେ ବରଷା ଆସିବ
ଜେଜିମା କହିଲା ସତରେ । ୪

ବାରି ବେଲ ଆଣି ବାପା ବନେଇଲେ
ଭରି ଦହି, ଗୁଡ଼, ନଡ଼ିଆ,
ଗୋଲମରିଚକୁ ତହିଁରେ ଢାଳିଲେ
ହେଲା ବେଲପଣା ବଢିଆ ।

ଗାଁ ମୁଣ୍ଡେ ହେଲା ଝାମୁଯାତରାଟି
ଲାଗିଲା ଭକତ ଗହଳ,
ଦେଖିବାକୁ ଗଲି ଝାମୁଯାତରାକୁ
ଗୋଡ଼ କାଢି ଘରୁ ସଅଳ ।

ସଙ୍କଟମୋଚନ ହନୁମାନଙ୍କର
ଆନନ୍ଦେ ଭଜନ ଗାଇଲି,
ଆପଦେ ବିପଦେ ସାହା ସେ ହୋଇବେ
ମୁଣ୍ଡିଆ ଗୋଟିଏ ମାଇଲି ।

ହିନ୍ଦୁ ଧରମର ନୂଆ ବରଷଟି
ପଣା ସଂକରାନ୍ତି ପରବ,
ବୋଉ କହିଦେଲା -ଆସରେ ପିଲାଏ
ଖୁସିରେ କରିବା ଗରବ ।

ଭୁବନେଶ୍ବର
୭୦୦୮୧ ୪୨୦୪୦

Leave A Reply

Your email address will not be published.